HOCKEYODISHASPORTSPORTSTOP STORIES

ସାରା ବିଶ୍ୱ ନଜରରେ ଭୁବନେଶ୍ୱର, ଆଉ ମାତ୍ର କେତେ ମିନିଟ୍ ର ଅପେକ୍ଷା, ଉଦ୍ଘାଟିତ ହେବ ହକି ମହାକୁମ୍ଭ

ଭୁବନେଶ୍ୱର,୨୭ ।୧୧(ଓଡ଼ିଶା ଭାସ୍କର): ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ହକି ମହାକୁମ୍ଭ । ଏଥିପାଇଁ ସାରା ବିଶ୍ୱର ନଜର ଏବେ କେନ୍ଦ୍ରିଭୂତ ହୋଇଛି ଭୁବନେଶ୍ୱର ଉପରେ । ନୂଆରୂପ, ନୂଆରଙ୍ଗରେ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ । ଆଉ ସମୟ ପାଖେଇ ଆସିବା ସହ ଦର୍ଶକଙ୍କ ହୃଦ୍ସ୍ପନ୍ଦନ ବଢ଼ି ବଢ଼ି ଚାଲିଛି । ଏଥିସହ ସାରା ଭୁବନେଶ୍ୱର ମଧ୍ୟ ନୂଆରୂପରେ ସଜେଇ ହୋଇଛି । ଉଦ୍ଘାଟନ ପରେ ବୁଧବାରଠାରୁ ଆରମ୍ଭ ହେବ ହକି ମ୍ୟାଚ୍ । ଯାହା ବିଶ୍ୱ କ୍ରୀଡା ଇତିହାସରେ ଏକ ନୂଆଫର୍ଦ୍ଦ ଯୋଡିବ ବୋଲି ଆଶା କରାଯାଉଛି । ହକି ହେଉଛି ଭାରତର ଜାତୀୟ କ୍ରୀଡା । ବିଶ୍ୱକପ୍ରେ ଭାରତ ୧୪ ଥର ନିଜକୁ କ୍ୱାଲିଫାଏ କରିବାରେ ସମର୍ଥ ହୋଇଛି । ଭାରତରେ ହକିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ୫ ବର୍ଷ ନିମନ୍ତେ ଭାରତୀୟ ମହିଳା ଓ ପୁରୁଷ ହକି ଦଳର ପୃଷ୍ଠପୋଷକ ସାଜିଛନ୍ତି । ସାରାରାଜ୍ୟରେ ହକି ବିଶ୍ୱ କପ୍ର ଏକ ମାହୋଲ ସୃଷ୍ଟି କରାଯାଇଛି । ୧୯୭୮ ମସିହାରେ ନିର୍ମାଣ ହୋଇଥିବା କଳିଙ୍ଗ ଷ୍ଟାଡିୟମରେ କ୍ରୀଡାର ଭିତ୍ତିଭୂମି ପାଲଟିଛି । ସୋମବାର ରାଜଧାନୀର ମୁକ୍ତେଶ୍ୱର ମନ୍ଦିରରେ ୧୬ ହକିଦଳର ଅଧିନାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ କିଛିସମୟ ବିତାଇଥିବାର ଦେଖିବାକୁ ମିଳିଥିଲା । ସେ ସେମାନଙ୍କ ସହ ଆଲୋଚନା କରିବା ସହିତ ସେଲ୍ଫି ଉଠାଇଥିଲେ । ସୂଚନାଯୋଗ୍ୟ ଯେ, ଭାରତରେ ୧୯୮୨ ମସିହାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ୍ ଆୟୋଜିତ ହୋଇଥିଲା । ମୁମ୍ବାଇରେ ପ୍ରଥମ ଥର ଏହା ଅନୁଷ୍ଠିତ ହୋଇଥିବାବେଳେ ୨୦୧୦ରେ ନୂଆଦିଲ୍ଲୀରେ ଦ୍ୱିତୀୟ ଥର ପାଇଁ ଏହା ଅନୁଷ୍ଠିତ ହୋଇଥିଲା । ଭାରତରେ ତୃତୀୟ ଥର ହକି ବିଶ୍ୱକପ୍ର ଆୟୋଜନ ଓଡ଼ିଶା ଭାଗରେ ପଡିଛି ।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନାଚଗୀତରେ ଝୁମିବେ ଦର୍ଶକ
ଗୁଲଜାରଙ୍କ ସଙ୍ଗୀତ, ଏଆର ରେହମାନଙ୍କ ସ୍ୱର ଓ ବଲିଉଡ୍ର ପ୍ରଖ୍ୟାତ ଅଭିନେତା ଶାହାରୁଖ୍ ଖାନ୍ ଏବଂ ଅଭିନେତ୍ରୀ ମାଧୁରୀ ଦିକ୍ଷିତଙ୍କ ରଙ୍ଗାରଙ୍ଗ ପ୍ରଦର୍ଶନ ଭିତରେ ଏହି ମହାକୁମ୍ଭର ଉଦ୍ଘାଟନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଯାଉଛି । ଏଥିନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମଙ୍ଗଳବାର ସଂଧ୍ୟାରେ ସାରାବିଶ୍ୱ ଏହି ଉଦ୍ଘାଟନୀ ସମାରୋହ ଦେଖିବାର ସୌଭାଗ୍ୟ ଲାଭ କରିବ । ପ୍ରଖ୍ୟାତ ସଙ୍ଗୀତଜ୍ଞ ଏଆର ରେହମାନ ଭୁବନେଶ୍ୱରରେ ବହୁପୂର୍ବରୁ ପହଞ୍ଚି ସାରିଥିବାବେଳେ ସୋମବାର ସଂଧ୍ୟାରେ ବଲିଉଡ୍ର ପ୍ରଖ୍ୟାତ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ପହଞ୍ଚି ନୃତ୍ୟାଭ୍ୟାସ କରିଛନ୍ତି । ପ୍ରାୟ ୧୧ଶହ କଳାକାରଙ୍କ ସହ ସେ ନୃତ୍ୟ ପ୍ରଦର୍ଶନ କରିବେ ବୋଲି ସୂଚନା ମିଳିଛି । ଏହି ସମାରୋହରେ ପ୍ରାୟ ଅଢ଼େଇଘଣ୍ଟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ୮୦୦ କଳାକାର ନିଜ ନିଜ ରାଜ୍ୟର କଳାସଂସ୍କୃତି ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଶାସ୍ତ୍ରୀୟ ସଙ୍ଗୀତ ସହ ପାଶ୍ଚାତ୍ୟ ସଙ୍ଗୀତର ସମାରୋହରେ କମ୍ପିଉଠିବ କଳିଙ୍ଗ ଷ୍ଟାଡିୟମ । ମଙ୍ଗଳବାର ବଲିଉଡ୍ର ପ୍ରଖ୍ୟାତ ଅଭିନେତା ଶାହାରୁଖ୍ ଖାଁ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ଦର୍ଶକମାନଙ୍କ ମନୋରଂଜନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ବୁଧବାର ବାରବାଟୀରେ ଦ୍ୱିତୀୟ ଉଦ୍ଘାଟନୀ ସମାରୋହ
ପ୍ରଥମ ଉଦ୍ଘାଟନୀ ସମାରୋହ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପରଦିନ ଅର୍ଥାତ ବୁଧବାର କଟକର ବାରବାଟୀ ଷ୍ଟାଡିୟମ୍ରେ ଦ୍ୱିତୀୟ ଉଦ୍ଘାଟନୀ ସମାରୋହ ହେବ । ଏହି କାର୍ଯ୍ୟକ୍ରମରେ ମଧ୍ୟ ସଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇବେ ଦର୍ଶକ । ବଲିଉଡ୍ର ନାମିଦାମୀ ଷ୍ଟାରଙ୍କୁ ଏହି କାର୍ଯ୍ୟକ୍ରମକୁ ଅଣାଯିବାକୁ ପ୍ରୟାସ ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ଏ ଆର୍ ରେହମାନ୍ ସଙ୍ଗିତ ପରିବେଷଣ କରିବାକୁ ଥିବା ବେଳେ ଦବଙ୍ଗ ଷ୍ଟାର ସଲମାନ୍ ଖାନ୍ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏପରିକି ବଲିଉଡ୍ ସୁପରଷ୍ଟାର ପ୍ରଭାସ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବୁଧବାର ସଂଧ୍ୟା ୫ଟା ୩୦ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ସୋମବାର କଟକ ଡିସିପି ଅଖିଳେଶ୍ୱର ସିଂ ବାରବାଟୀ ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିବା ସୂଚନା ମିଳିଛି ।

୨୮ରୁ ୧୬ ଯାଏଁ ୧୬ ଦଳ ମଧ୍ୟରେ ଚାଲିବ ଲଢ଼େଇ
ମଙ୍ଗଳବାରର ଉଦ୍ଘାଟନୀ ଉତ୍ସବ ପରେ ବୁଧବାର ଅର୍ଥାତ ଚଳିତ ମାସ ୨୮ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ୍ ମ୍ୟାଚ ଖେଳାଯିବ । ଦେଶ ବିଦେଶର ୧୬ଟି ହକି ଟିମ୍ ମଧ୍ୟରେ ଚାଲିବ ଘମାଘୋଟ ଲଢ଼େଇ । ବିଶ୍ୱକପ୍ ହକି ଟାଇଟଲ୍ ହାସଲ କରିବାକୁ ସମସ୍ତ ଦଳ କରିବେ ଯୋରଦାର ପ୍ରୟାସ । ପ୍ରତି ମ୍ୟାଚ୍ ହେବ ଉତ୍କଣ୍ଠାପୂର୍ଣ୍ଣ । ଦଳକୁ ବିଜୟୀ କରାଇବାକୁ ସମସ୍ତ କଳ କୌଶଳ ଅପଣାଇବେ ଦଳର ଷ୍ଟାର ଖେଳାଳୀମାନେ ।

କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା କଡ଼ାକଡି
ମଙ୍ଗଳବାର ହେବାକୁ ଥିବା ଉଦ୍ଘାଟନୀ ସମାରୋହକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସମଗ୍ର ରାଜଧାନୀକୁ ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଖେଳାଳି, ଷ୍ଟାଡିୟମ ଓ ଦର୍ଶକମାନଙ୍କ ସୁରକ୍ଷା ପାଇଁ ମୋଟ୍ ୭୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଡିଏସ୍ପି ପାହ୍ୟା କିମ୍ବା ତା’ଠାରୁ ଅଧିକ ପାହ୍ୟାର ୧୫ ଜଣ ଅଧିକାରୀଙ୍କୁ ସୁରକ୍ଷା ଅନୁଧ୍ୟାନ ଦାୟିତ୍ୱରେ ରଖା ଯାଇଥିବାବେଳେ ୩୦୦ରୁ ଅଧିକ ଇନ୍ସପେକ୍ଟର ଓ ସବ୍ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି । ୫ଟି ଅଞ୍ଚଳରେ ୫ଟି କୁଇକ୍ ଆକ୍ସନ ଟିମ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଆତଙ୍କୀ ଆକ୍ରମଣର ମୁକାବିଲା ପାଇଁ ସ୍ପେଶାଲ ଟାକ୍ଟିକାଲ ଗ୍ରୁପ୍କୁ ମୁତୟନ କରାଯାଇଛି । ରାଜଧାନୀର ୬୦ଟି ଅଞ୍ଚଳରେ ୨୭୦ ସିସିଟିଭି ଲଗାଯାଇଛି । ଏଥିସହ କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ସଂପର୍କିତ ଏକ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି ।

ପୂର୍ବରୁ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍
୨୦୧୬ ଜାନୁଆରୀ ୧୮ରୁ ଫେବ୍ରୁଆରୀ ୨୮ କଳିଙ୍ଗ ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍ ଅନୁଷ୍ଠିତ ହୋଇଥିବାବେଳେ ସେହିବର୍ଷ ମାର୍ଚ୍ଚ ୧୭ରୁ ୨୨ ମଧ୍ୟରେ ୩୭ତମ ଜାତୀୟ ସବ୍ଜୁନିୟର ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହିପରି ୨୦୧୭ ଜୁଲାଇ ୫ ତାରିଖରୁ ୯ ତାରିଖ ମଧ୍ୟରେ ଏସିଆନ ଆଥଲେଟିକ ଚାମ୍ପିଅନସିପ୍ର ଆୟୋଜନ ମଧ୍ୟ କରାଯାଇଥିଲା । ୨୦୧୭ ଡିସେମ୍ବର ୧ରୁ ୧୦ତାରିଖ ମଧ୍ୟରେ ଓଡ଼ିଶା ମେନ୍ସ ହକି ୱାର୍ଲ୍ଡ ଲିଗ୍ ଫାଇନାଲ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *