ODISHASPORTSTOP STORIES

ହକି ବିଶ୍ୱକପ୍, ଦକ୍ଷିଣ ଆଫ୍ରିକାକୁ ୫-୦ରେ ହରାଇଲା ଭାରତ

ଭୁବନେଶ୍ୱର, (ଓଡ଼ିଶା ଭାସ୍କର) : ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଚିତାକର୍ଷକ ଢଙ୍ଗରେ ପୁରୁଷ ହକି ବିଶ୍ୱକପ୍ର ଉଦ୍ଘାଟନ ପରେ ଭାରତୀୟ ଦଳ ଧମାକାଦାର ଅନ୍ଦାଜରେ ବିଶ୍ୱକପ୍ ଅଭିଯାନର ଶୁଭାରମ୍ଭ କରିଛି । ମନପ୍ରିତ୍ ସିଂଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ପ୍ରଥମ ଦିବସର ଦ୍ୱିତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲ୍ରେ ପରାସ୍ତ କରି ସ୍ପଷ୍ଟ କରିଦେଇଛି ଯେ, ବିଶ୍ୱକପ୍ ଜିତିବା ପାଇଁ ଭାରତ ପ୍ରସ୍ତୁତ ରହିଛି । ଲଗାତାର ସମାଲୋଚନା ସାମ୍ନା କରୁଥିବା ପୁରୁଷ ହକି ଦଳ ଏଠାରେ ସମ୍ପୂର୍ଣ୍ଣ ଏକତରଫା ବିଜୟ ହାସଲ କରିଥିଲା । ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଦେଖାଇ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଉପରେ ଚାପ ପକାଇଥିଲା । ଏହା ପୂର୍ବରୁ ବିଶ୍ୱକପ୍ରେ ୫ ଥର ଏହି ୨ ଦଳ ମୁହାଁମୁହିଁ ହୋଇଥିଲେ । ଯାହା ମଧ୍ୟରୁ ୩ଟି ମ୍ୟାଚ ଅମିମାଂସିତ ରହିଥିଲା । ଯେବେ କି ଅନ୍ୟ ୨ଟି ମ୍ୟାଚ ଭାରତ ବିଜୟୀ ହୋଇଥିଲା । ଦକ୍ଷିଣଆଫ୍ରିକା ବିପକ୍ଷରେ ବିଶ୍ୱକପ୍ରେ ଭାରତ ନିଜର ଏହି ବିଜୟ ଧାରାକୁ ଅବ୍ୟାହତ ରଖିଥିଲା । ମ୍ୟାଚର ୧୦ମ ମିନିଟ୍ରେ ମନଦୀପ ସିଂ ଦଳକୁ ମିଳିଥିବା ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିଥିଲେ । ମନଦୀପ ଚତୁରତାର ସହ ଫ୍ଲିକ୍ ବଲ୍କୁ ରିବାଉଣ୍ଡ କରି ଗୋଲ୍ ହାସଲ କରିଥିଲେ । ଏହାର ୨ ମିନିଟ୍ ପରେ ଆକାଶଦୀପ ସିଂ ଦଳୀୟ ସ୍କୋରକୁ ୨-୦ରେ ପହଞ୍ଚାଇଥିଲେ । ସେ ଏକ ଉତ୍ତମ ଫିଲ୍ଡ ଗୋଲ୍ ମାରି ଭାରତକୁ ଆରମ୍ଭରୁ ମଜଭୂତ ସ୍ଥିତିରେ ଛିଡ଼ା କରିଥିଲେ । ପ୍ରଥମ କ୍ୱାର୍ଟରରେ ଭାରତ ଏହି ଲିଡ୍ ବଜାୟ ରଖିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ଗୋଲ୍ କରିବାରେ ଅନେକ ମହତ୍ୱପୂର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା । ଯାହା ଫଳରେ ହାଫ୍ ଟାଇମ୍ ପର୍ଯ୍ୟନ୍ତ ସ୍କୋର ଅପରିବର୍ତ୍ତିତ ରହିଥିଲା । ତୃତୀୟ କ୍ୱାର୍ଟରରେ ଦକ୍ଷିଣ ଆଫ୍ରିକା ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ କଡ଼ା ସଂଘର୍ଷ କରିଥିଲା । ତେବେ ଭାରତ ମଧ୍ୟ ନିଜର ଆକ୍ରମଣ ଜାରି ରଖି ପ୍ରତିପକ୍ଷ ଗୋଲ୍ ପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲା । ଏହାର ଫଳ ସ୍ୱରୂପ ତୃତୀୟ କ୍ୱାର୍ଟରରେ ଭାରତ ଆଉ ୨ଟି ଗୋଲ୍ କରିବାରେ ସକ୍ଷମ ହୋଇଥିଲା । ୪୩ତମ ମିିନିଟ୍ରେ ସିମ୍ରନଜିତ୍ ସିଂ ଭାରତ ପାଇଁ ତୃତୀୟ ଗୋଲ୍ କରିଥିଲେ । ମନଦୀପଙ୍କ ପାସ୍କୁ ସେ ସୁନ୍ଦରତା ସହ ଦକ୍ଷିଣ ଆଫ୍ରିକା ଗୋଲ୍ପୋଷ୍ଟରେ ପହଞ୍ଚାଇଥିଲେ । ଏହାର ୨ ମିନିଟ୍ ପରେ ଲଲିତ ଉପାଧ୍ୟାୟ ଆଉ ଏକ ଗୋଲ୍ କରି ଭାରତକୁ ୪-୦ରେ ଆଗୁଆ କହିଥିଲେ । ୪ର୍ଥ କ୍ୱାର୍ଟର ଆରମ୍ଭରୁ ଦକ୍ଷିଣ ଆଫ୍ରିକା ପୁଣି ଥରେ ନିରାଶ ହୋଇଥିଲା । ସିମ୍ରନଜିତ୍ ଭାରତକୁ ମିଳିଥିବା ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିଥିଲେ । ୪୬ତମ ମିନିଟ୍ରେ ମିଳିଥିବା ଏହି ଗୋଲ୍ ପରେ ଭାରତ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଥିଲା । ଶେଷ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାକୁ କୌଣସି ଗୋଲ୍ କରିବାର ସୁଯୋଗ ମିଳିନଥିଲା । ପୁଲ୍ ସିରେ ଭାରତୀୟ ଦଳ ନିଜର ପରବର୍ତ୍ତୀ ୨ଟି ମ୍ୟାଚରେ ବେଲ୍ଜିୟମ ଓ କାନାଡାକୁ ଆସନ୍ତା ଡିସେମ୍ବର ୨ ଓ ୮ ତାରିଖରେ ଭେଟିବାକୁ ଯାଉଛି । ଗୁରୁବାର ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ପୁଲ୍ ଏ’ର ୨ଟି ମହତ୍ୱପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ଓ ସ୍ପେନ୍ ମୁହାଁମୁହିଁ ହେବେ । ଯେବେ କି ଦ୍ୱିତୀୟ ମୁକାବିଲା ନ୍ୟୁଜିଲାଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଅନୁଷ୍ଠିତ ହେବ ।

Show More

Related Articles

Leave a Reply

Your email address will not be published. Required fields are marked *

Close