ODISHASPORTSTOP STORIES

ପୁରୁଷ ହକି ବିଶ୍ୱକପ, ଦ୍ୱିତୀୟ ଦିନରେ ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡର ବିଜୟ

ଭୁବନେଶ୍ୱର, ୨୯ା୧୧, (ଓଡ଼ିଶା ଭାସ୍କର): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ର ଦ୍ୱିତୀୟ ଦିନରେ ୨ଟି ରୋମାଞ୍ଚକର ମୁକାବିଲା ଅନୁଷ୍ଠିତ ହୋଇଛି । ପୁଲ୍ ଏ’ର ଏହି ୨ଟି ମ୍ୟାଚ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଦିନର ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲ୍ରେ ସ୍ପେନ୍କୁ ପରାସ୍ତ କରିଥିଲା । ଏହା ପରେ ସଂଧ୍ୟାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ୨-୧ ଗୋଲ୍ରେ ଫ୍ରାନ୍ସକୁ ହରାଇଥିଲା । ଟୁର୍ଣ୍ଣାମେଣ୍ଟର ତୃତୀୟ ମୁକାବିଲାରେ ୨ଟି ଶକ୍ତିଶାଳୀ ଦଳ ସ୍ପେନ୍ ଓ ଆର୍ଜେଣ୍ଟିନା ମୁହାଁମୁହିଁ ହୋଇଥିଲେ । ଉଭୟ ଦଳର ଖେଳାଳୀମାନେ ପରସ୍ପରକୁ କଡାଟକ୍କର ଦେବା ସହ ଶେଷ ପର୍ଯ୍ୟନ୍ତ ମ୍ୟାଚରେ ରୋମାଞ୍ଚ ବଳବତ୍ତର ରଖିଥିଲେ । ସ୍ପେନ୍ ତୃତୀୟ ମିନିଟ୍ରେ ପ୍ରଥମ ଗୋଲ୍ କରିବାରେ ସଫଳ ହୋଇଥିଲା । ଏନ୍ରିକ୍ ଗୁଞ୍ଜାଲେଜ୍ ଏହି ଫିଲ୍ଡଗୋଲ୍ ମାଧ୍ୟମରେ ସ୍ପେନ୍କୁ ଅଗ୍ରଣୀ କରିଥିଲେ । ତେବେ ପରବର୍ତ୍ତୀ ମିନିଟ୍ରେ ଆର୍ଜେଣ୍ଟିନା ତରଫରୁ ମାଜିଲି ଅଗଷ୍ଟିନ୍ ଏକ ଚମକ୍ରାର ଗୋଲ୍ କରି ମ୍ୟାଚକୁ ବରାବରିରେ ପହଞ୍ଚାଇଥିଲେ । ପ୍ରଥମ କ୍ୱାର୍ଟର ଶେଷ ବେଳକୁ ଉଭୟ ଦଳ ପୁଣି ଥରେ ଆକ୍ରମଣାତ୍ମକ ହୋଇପଡିଥିଲେ । ସ୍ପେନ୍ ତରଫରୁ ଯୋଶେଫ୍ ରୋମିଓ ୧୪ତମ ମିନିଟ୍ରେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଥିଲେ । ତେବେ ଆର୍ଜେଣ୍ଟିନା ଅଧିକ ସମୟ ପର୍ଯ୍ୟନ୍ତ ମ୍ୟାଚରେ ପଛୁଆ ରହିନଥିଲା । ୧୫ତମ ମିନିଟ୍ରେ ଅଗଷ୍ଟିନ୍ ଆଉ ଏକ ଫିଲ୍ଡ ଗୋଲ୍ କରି ମ୍ୟାଚକୁ ୨-୨ର ବରାବରିରେ ପହଞ୍ଚାଇଥିଲେ । ଏହା ପରେ ଆର୍ଜେଣ୍ଟିନାକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ପିଲାଟ୍ ଗୋଞ୍ଜାଲୋ ଗୋଲ୍ରେ ପରିଣତ କରି ଦଳକୁ ଆଗୁଆ କରିଥିଲେ । କଡା ସଂଘର୍ଷ ମଧ୍ୟରେ ସ୍ପେନ୍ ୩୫ତମ ମିନିଟ୍ରେ ଆଉ ଏକ ଗୋଲ୍ କରିବାର ସୁଯୋଗ ପାଇଥିଲା । ଭିସେନ୍ସ ରୁଇଜ୍ ଏକ ଫିଲ୍ଡ ଗୋଲ୍ କରି ମ୍ୟାଚରେ ରୋମାଞ୍ଚ ବୃଦ୍ଧି କରିଥିଲେ । ଶେଷ ପର୍ଯ୍ୟନ୍ତ ଉଭୟଦଳ ଆଗୁଆ ହେବା ପାଇଁ ସଂଘର୍ଷ କରୁଥିବାର ଦେଖିବାକୁ ମିଳୁଥିଲା । ଆର୍ଜେଣ୍ଟିନାକୁ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ମ୍ୟାଚରେ ଆଗେଇବାର ଶେଷ ସୁଯୋଗ ମିଳିôତଲା । ୪୯ତମ ମିନିଟ୍ରେ ଆର୍ଜେଣ୍ଟିନା ପକ୍ଷରୁ ଗୋଞ୍ଜାଲୋ ଏହି ବିଜୟ ସୂଚକ ଗୋଲ୍ କରି ଦଳକୁ ମଜଭୂତ ସ୍ଥିତିରେ ପହଞ୍ଚାଇଥିଲେ । ଶେଷ ପର୍ଯ୍ୟନ୍ତ ସ୍ପେନ୍ ଅନ୍ୟ କୌଣସି ଗୋଲ୍ କରିବାରେ ସକ୍ଷମ ହୋଇପାରିନଥିଲା । ଅନ୍ୟପଟେ ପୁଲ୍ ଏ’ର ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଚମକ୍ରାର ରଣନୀତି ସହ ଫ୍ରାନ୍ସକୁ ହରାଇଥିଲା । ମ୍ୟାଚ ଆରମ୍ଭରୁ ଉଭୟ ଦଳ ଗୋଲ୍ ହାସଲ କରିବା ପାଇଁ ପରସ୍ପରର ଗୋଲ୍ ପୋଷ୍ଟ ଉପରେ ଆକ୍ରମଣ ଜାରି ରଖିଥିଲେ । ତେବେ ଏହା ସତ୍ୱେ ପ୍ରଥମ କ୍ୱାଟର ଗୋଲ୍ ଶୂନ୍ୟ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ ପ୍ରଥମ ଗୋଲ୍ କରିବାରେ ସଫଳ ହୋଇଥିଲା । ୧୬ତମ ମିନିଟ୍ରେ କେନ୍ ରସେଲ ଏକ ଚମକ୍ରାର ଫିଲ୍ଡ ଗୋଲ୍ କରି ନ୍ୟୁଜିଲାଣ୍ଡରେ ୧-୦ରେ ଆଗୁଆ କରିଥିଲେ । ଏହା ପରେ ଅନ୍ତିମ କ୍ୱାର୍ଟର ପର୍ଯ୍ୟନ୍ତ ଉଭୟ ଦଳର ଖେଳାଳୀ କୌଣସି ଗୋଲ୍ କରିପାରିନଥିଲେ । ମ୍ୟାଚ ଶେଷ ହେବା ପାଇଁ ଅଳ୍ପ କିଛି ମିନିଟ୍ ବାକି ଥିବା ବେଳେ ଷ୍ଟିଫେନ୍ ଜେନେସ୍ ୫୬ତମ ମିନିଟ୍ରେ ନ୍ୟୁଜିଲାଣ୍ଡ ପାଇଁ ଦ୍ୱିତୀୟ ଗୋଲ୍ କରିଥିଲେ । ସମ୍ପୂର୍ଣ୍ଣ ମ୍ୟାଚରେ ଜୋରଦାର ସଂଘର୍ଷ କରିଥିବା ଫ୍ରାନ୍ସ ୫୯ତମ ମିନିଟ୍ରେ ପ୍ରଥମ ଗୋଲ୍ କରିବାର ସୁଯୋଗ ପାଇଥିଲା । ଏକ ପେନାଲ୍ଟି କର୍ଣ୍ଣରକୁ ଭିକ୍ଟର ଚାର୍ଲେଟ୍ ଗୋଲ୍ରେ ପରିଣତ କରିଥିଲେ । ତେବେ ଏହା ଫ୍ରାନ୍ସକୁ ପରାଜୟରୁ ରକ୍ଷା କରିପାରିନଥିଲା । ବିଶ୍ୱକପ୍ର ତୃତୀୟଦିନରେ ଶୁକ୍ରବାର ପୁଲ୍ ବି’ର ୨ଟି ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଆୟରଲାଣ୍ଡ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏହା ପରେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଓ ଚାଇନା ମଧ୍ୟରେ ମୁକାବିଲା ହେବ ।

Show More

Related Articles

Leave a Reply

Your email address will not be published. Required fields are marked *

Close