ODISHASPORTSTOP STORIES

ହକି ବିଶ୍ୱକପ୍, ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କଲା ଜର୍ମାନୀ

ଭୁବନେଶ୍ୱର, ୧ା୧୨ (ଆପ୍ର): କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ହକି ବିଶ୍ୱକପ୍ର ଚତୁର୍ଥ ଦିନରେ ଅର୍ଥାତ ଶନିବାର ପୁଲ୍ -ଡି ରେ ୨ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍ରେ ନେଦରଲାଣ୍ଡ ୭-୦ ଗୋଲ୍ରେ ମାଲେସିଆକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କରିଛି ଜର୍ମାନୀ । ପ୍ରଥମ ମ୍ୟାଚ୍ଟି ଏକତରଫା ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ଟିରେ ପାକିସ୍ତାନ ଓ ଜର୍ମାନୀ ମଧ୍ୟରେ ବେଶ୍ ସଂଘର୍ଷ ଦେଖିବାକୁ ମିଳିଥିଲା । ଜର୍ମାନୀ ଏହି ମ୍ୟାଚ୍ରେ ପାକିସ୍ତାନକୁ ୧-୦ ଗୋଲ୍ରେ ପରାସ୍ତ କରିବାକୁ ସକ୍ଷମ ହୋଇଛି । ଏହାସହ ଜର୍ମାନୀ ହକି ଟିମ୍ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛି । ଜର୍ମାନୀ ପକ୍ଷରୁ ମାର୍କୋ ମିଲତକୌ ଖେଳର ୩୬ତମ ମିନିଟ୍ରେ ଏକମାତ୍ର ନିର୍ଣ୍ଣାୟକ ଗୋଲ୍ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ମ୍ୟାଚ୍ରେ ମିଲତକୌଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଆରମ୍ଭରୁ ଉଭୟ ଜର୍ମାନୀ ଓ ପାକିସ୍ତାନ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ମ୍ୟାଚ୍ରେ ୨ ଦଳ ପରସ୍ପର ବିପକ୍ଷରେ ଗୋଲ୍ ଦେବାକୁ ଅନେକ ଉଦ୍ୟମ କରିଥିଲେ ମଧ୍ୟ ସେଗୁଡିକ ଗୋଲ୍ରେ ରୂପାନ୍ତରଣ ହୋଇ ପାରି ନଥିଲା । ପ୍ରଥମ ଦୁଇଟି କ୍ୱାର୍ଟର ଗୋଲ୍ ଶୂନ୍ୟ ରହିଥିଲା । ତେବେ ତୃତୀୟ କ୍ୱାର୍ଟରରେ ମିଲତକୌ ୩୬ତମ ମିନିଟ୍ରେ ପାକିସ୍ତାନର ଡିଫେନ୍ସକୁ ଭେଦ କରି ଏକ ମାତ୍ର ଗୋଲ୍ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ଜର୍ମାନୀ ୧-୦ ଗୋଲ୍ରେ ଅଗ୍ରଣୀ ହୋଇଥିଲା । ଏହି ସ୍କୋରକୁ ବାରବର କରିବାକୁ ପାକିସ୍ତାନ ହକି ଟିମ୍ର ଖେଳାଳୀମାନେ ଅନେକ ଉଦ୍ୟମ କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନ ଥିଲା । ଚତୁର୍ଥ କ୍ୱାର୍ଟରରେ ପାକିସ୍ତାନ ଆକ୍ରମଣାତ୍ମକ କ୍ରୀଡା ଦେଖାଇଥିଲେ ମଧ୍ୟ ଜର୍ମାନୀର ଡିଫେନ୍ସକୁ ଭେଦ କରି ସ୍କୋର କରିବାକୁ ସଫଳ ହୋଇ ନ ଥିଲା । ମ୍ୟାଚ୍ ଚାଲିଥିବା ବେଳେ ରେଫରୀ ପାକିସ୍ତାନର ଜଣେ ଖେଳାଳୀଙ୍କୁ ୟଲୋ କାର୍ଡ ଦେଇଥିଲେ । ଫଳରେ ଅନ୍ତିମ କ୍ୱାର୍ଟରେ ପାକିସ୍ତାନ ୧୦ଜଣ ଖେଳାଳୀଙ୍କ ସହ ଖେଳିବାକୁ ବାଧ୍ୟ ହୋଇଥିଲା । ଶେଷରେ ଜର୍ମାନୀ ୧-୦ ଗୋଲ୍ରେ ବିଜୟୀ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close