NATIONALODISHATOP STORIES

ପୋଲାଭରମ୍ ବିବାଦ, ସୁପ୍ରିମକୋର୍ଟରେ ଓଡ଼ିଶାକୁ ଝଟକା

ନୂଆଦିଲ୍ଲୀ,୩ ।୧୨: ବହୁଚର୍ଚ୍ଚିତ ପୋଲାଭରମ ପ୍ରକଳ୍ପ ବିବାଦରେ ସୋମବାର ଓଡ଼ିଶା ସରକାରଙ୍କୁ ଏକ ବଡଧରଣର ଝଟ୍କା ଲାଗିଛି । ପ୍ରକଳ୍ପ କାମ ବନ୍ଦ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବାବେଳେ ଅଦାଲତ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି । ଏହାସହ ଜନଶୁଣାଣି ପାଇଁ ଓଡ଼ିଶା ଓ ଛତିଶଗଡ ସରକାରଙ୍କୁ ଆବଶ୍ୟକ ତଥ୍ୟ କେନ୍ଦ୍ରକୁ ମାଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତାବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ହେବ ବୋଲି ଅଦାଲତ ଦିନଧାର୍ଯ୍ୟ କରିଛନ୍ତି । ସୋମବାର ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଦୀପକ ଗୁପ୍ତା ଓ ଜଷ୍ଟିସ୍ ମଦନ ବି ଲୋକୁରଙ୍କ ସମେତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣିକରି କହିଥିଲେ ଯେ, ଜନଶୁଣାଣି ନେଇ କେନ୍ଦ୍ର ସରକାର ଓଡ଼ିଶା ଓ ଛତିଶଗଡକୁ ଆବଶ୍ୟକୀୟ ତଥ୍ୟ ଦେବେ । ପ୍ରକଳ୍ପ ହେଲେ କେଉଁ କେଉଁ ଅଞ୍ଚଳ ଓ କେତେ ପରିମାଣର କ୍ଷତିଘଟିବ ସେ ନେଇ କେନ୍ଦ୍ର ସମସ୍ତ ତଥ୍ୟ ଏହି ଦୁଇରାଜ୍ୟକୁ ଦେବ । ପରେ କେନ୍ଦ୍ର ସରକାର ଅଦାଲତରେ ଏ ନେଇ ଏକ ସତ୍ୟପାଠ ଦାଖଲ କରିବେ । ସବୁତଥ୍ୟ ମିଳିବା ପରେ ରାଜ୍ୟ ସରକାର ଜନଶୁଣାଣି କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି । ତେବେ ଶୁଣାଣି ସମୟରେ ଏହି ପ୍ରକଳ୍ପ କାମ ବନ୍ଦ କରିବା ପାଇଁ ଅଦାଲତ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରକଳ୍ପ କାମ ଚାଲୁରହିବ ବୋଲି ଅଦାଲତ ସ୍ପଷ୍ଟ ଭାବେ କହିଛନ୍ତି । ଖଣ୍ଡପୀଠଙ୍କ ଏହି ନିର୍ଦ୍ଦେଶ ପରେ ଓଡ଼ିଶାକୁ ଏକ ବଡଧରଣର ଝଟ୍କା ଲାଗିଛି । ପୋଲାଭରମ ପ୍ରକଳ୍ପ କାମ ସ୍ଥଗିତ ପାଇଁ ପୂର୍ବରୁ ଓଡ଼ିଶା ସରକାର ମଧ୍ୟବର୍ତ୍ତୀକାଳୀନ ଆବେଦନ କରିଥିବାବେଳେ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ପ୍ରକଳ୍ପ କାମ ଚାଲୁରହିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ତେବେ ଜାନୁଆରୀ ପ୍ରଥମ ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯାଇ ନିଷ୍ପତ୍ତି ନିଆଯିବ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ଘଟିବ ବୋଲି ଓଡ଼ିଶା ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close