ODISHASPORTSTOP STORIES

ସ୍ପେନ୍-ଫ୍ରାନ୍ସ ମ୍ୟାଚ ଡ୍ର, ନ୍ୟୁଜିଲାଣ୍ଡକୁ ହରାଇଲା ଆର୍ଜେଣ୍ଟିନା

ପୁରୁଷ ହକି ବିଶ୍ୱକପ୍

ଭୁବନେଶ୍ୱର, ୩ା୧୨, (ଆ.ପ୍ର.) : କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରୁଷ ହକି ବିଶ୍ୱକପ୍ରେ ସୋମବାର ଚିତାକର୍ଷକ ମ୍ୟାଚ ଦେଖିବାକୁ ମିଳିଥିଲା । ପୁଲ୍ ଏ’ରେ ଅନୁଷ୍ଠିତ ଏହି ୨ଟି ମ୍ୟାଚ ମଧ୍ୟରୁ ପ୍ରଥମ ମ୍ୟାଚ ସ୍ପେନ୍ ଓ ଫ୍ରାନ୍ସ ମଧ୍ୟରେ ହୋଇଥିଲା । ଏହି ରୋମାଞ୍ଚକର ମ୍ୟାଚ ୧-୧ରେ ଡ୍ର ରହିଛି । ବିଶ୍ୱର ୮ ନମ୍ବର ଦଳ ସ୍ପେନ୍ ଅପେକ୍ଷାକୃତ ଦୁର୍ବଳ କୁହାଯାଉଥିବା ଫ୍ରାନ୍ସ ଠାରୁ ହାରୁ ହାରୁ ଅଳ୍ପକେ ରକ୍ଷା ପାଇଯାଇଛି । ଦୀର୍ଘ ୨୮ ବର୍ଷ ପରେ ବିଶ୍ୱକପ୍ ଖେଳୁଥିବା ଫ୍ରାନ୍ସ ଆରମ୍ଭରୁ ସ୍ପେନ୍ ଉପରେ ଚାପ ପ୍ରୟୋଗ କରିବା ଆରମ୍ଭ କରିଦିଆଯାଇଥିଲା । ମ୍ୟାଚର ଷଷ୍ଠ ମିନିଟ୍ରେ ଫ୍ରାନ୍ସର ଟିମୋଥି କ୍ଳେମେଣ୍ଟ ଏକ ଚମକ୍ରାର ଗୋଲ୍ କରିଥିଲେ । ଫଳରେ ସ୍ପେନ୍ ପଛୁଆ ହୋଇଯାଇଥିଲା । ପ୍ରଥମ କ୍ୱାର୍ଟରରେ ସ୍ପେନ୍କୁ ଏକାଧିକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଏଗୁଡ଼ିକୁ ଗୋଲ୍ରେ ପରିଣତ କରିବାରେ ବିଫଳ ହୋଇଥିଲା । ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ସ୍ପେନ୍ ଘନ ଘନ ଆକ୍ରମଣ କରିଥିଲେ ମଧ୍ୟ କୌଣସି ସୁଫଳ ପାଇପାରିନଥିଲା । ହାପ୍ ଟାଇମ୍ ପର୍ଯ୍ୟନ୍ତ ଫ୍ରାନ୍ସ ୧-୦ରେ ଆଗୁଆ ରହିଥିଲା । ତୃତୀୟ କ୍ୱାର୍ଟରରେ ମଧ୍ୟ ସ୍ପେନ୍ ଗୋଲ୍ କରିବାର କୌଣସି ସୁଯୋଗ ପାଇନଥିଲା । ମ୍ୟାଚର ୪ର୍ଥ କ୍ୱାର୍ଟର ଅର୍ଥାତ୍ ୪୮ତମ ମିନିଟ୍ରେ ସ୍ପେନ୍ ନିଜର ରଣନୀତି ପରିବର୍ତ୍ତନ କରିଥିଲା । ଫଳରେ ସ୍ପେନ୍ ତରଫରୁ ଆଲଭୋରା ଲିଗ୍ ଲସିଆସ ଗୋଲ କରି ସ୍କୋରକୁ ସମାନ ସ୍ଥିତିକୁ ଆଣିବାକୁ ସମର୍ଥ ହୋଇଥିଲେ । ୫୧ତମ ମିନିଟ୍ରେ ଫ୍ରାନ୍ସକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ସ୍ପେନ୍ ଗୋଲକିପର ଏହାକୁ ଅଟକାଇ ଫ୍ରାନ୍ସର ବିଜୟ ଆଶାକୁ ଧୂଳିସାତ କରିଦେଇଥିଲା । ଶେଷରେ ମ୍ୟାଚଟି ଡ୍ରରେ ଶେଷ ହୋଇଥିଲା ।

03/12/2018: BHUBANESWAR : Players of New Zealand (Black) and Argentina on an action mode during a match on the Hockey World Cup at Kalinga Stadium in Bhubaneswar on Monday.- Express photo by Biswanath Swain

ସେହିପରି ସୋମବାରର ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରିଛି ରିଓ ଅଲମ୍ପିକର ସ୍ୱର୍ଣ୍ଣପଦକ ବିଜେତା ଆର୍ଜେଣ୍ଟିନା । କ୍ରମାଗତ ୨ଟି ମ୍ୟାଚରେ ବିଜୟ ହାସଲ କରି ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନକୁ ଏକ ପ୍ରକାର ସୁରକ୍ଷିତ ରଖିପାରିଛି । ମ୍ୟାଚର ପ୍ରଥମ କ୍ୱାର୍ଟରରେ କେହି କାହାକୁ ଗୋଲ୍ ଦେବାରେ ସଫଳ ହୋଇପାରିନଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ଆକ୍ରମଣାତ୍ମକ ଖେଳ ଦେଖାଇଥିଲା । ୨୩ତମ ମିନିଟ୍ରେ ଆର୍ଜେଣ୍ଟିନାର ଅଗଷ୍ଟିନ୍ ମାଜିଲି ଗୋଲ୍ କରି ଦଳକୁ ୧-୦ରେ ଆଗୁଆ କରିଥିଲେ । ନ୍ୟୁଜିଲାଣ୍ଡ ସ୍ଥିତିକୁ ସମାନସ୍ତରକୁ ଆଣିବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଆର୍ଜେଣ୍ଟିନାର ଡିଫେନ୍ସକୁ ଏହି ଦଳ ଭେଦି ପାରିନଥିଲା । ତୃତୀୟ କ୍ୱାର୍ଟର ଅର୍ଥାତ୍ ମ୍ୟାଚର ୪୧ତମ ମିନିଟ୍ରେ ଆର୍ଜେଣ୍ଟିନା ତରଫରୁ ଲୁକାସ୍ ଭିଲ୍ଲା ଦ୍ୱିତୀୟ ଗୋଲ୍ କରିଥିଲେ । ମ୍ୟାଚର ୪୫ତମ ମିନିଟ୍ରେ ନ୍ୟୁଜିଲାଣ୍ଡ ଗୋଲ୍ କରିବାର ସୁଯୋଗ ପାଇଥିଲେ ମଧ୍ୟ ଏହାକୁ ମିସ୍ କରିଥିଲା । ମ୍ୟାଚ ଶେଷ ହେବାକୁ ଆଉ ମାତ୍ର ୫ ମିନିଟ୍ ଥିବା ବେଳେ ଆର୍ଜେଣ୍ଟିନାକୁ ପୁଣି ଏକ ପେନାଲ୍ଟିି କର୍ଣ୍ଣର ମିଳିଥିଲା ଏବଂ ଆର୍ଜେଣ୍ଟିନାର ଲୁକାସ ମାର୍ଟିନେଜ୍ ଏହାକୁ ଗୋଲ୍ରେ ପରିଣତ କରି ଦଳକୁ ୩-୦ରେ ଆଗୁଆ କରିଦେଇଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close