NATIONALTOP STORIES

ଦେଶର ସାମ୍ପ୍ରଦାୟିକ ବିଭାଜନ କରିଛି କଂଗ୍ରେସ : ମୋଦି

ହନୁମାନଗଡ଼ : ରାଜଗାଦିରେ ବସିବା ଲୋଭରେ କଂଗ୍ରେସ ଦେଶର ସାମ୍ପ୍ରଦାୟିକ ବିଭାଜନ କରିଛି । କଂଗ୍ରେସର ଭୁଲର ଫଳ ଏବେ ଦେଶକୁ ଭୋଗିବାକୁ ପଡୁଛି । କଂଗ୍ରେସ ଯୋଗୁଁ ଗୁରୁ ନାନକ ଦେବଙ୍କ କର୍ମଭୂମି କରତାରପୁର ପାକିସ୍ତାନ ହାତକୁ ଚାଲିଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ରାଜସ୍ଥାନର ହନୁମାନଗଡରେ ନିର୍ବାଚନ ପ୍ରଚାର ସମୟରେ ମୋଦି କଂଗ୍ରେସକୁ କଡା ସମାଲୋଚନା କରିଥିଲେ । ମୋଦି କହିଥିଲେ ଯେ, କଂଗ୍ରେସ ସେହି ସମୟରେ ବୁଝିସୁଝି ପଦକ୍ଷେପ ଗ୍ରହଣ କରିଥିଲେ ଏବେ କରତାରପୁର ଆମ ପାଖରେ ଥାନ୍ତା । କଂଗ୍ରେସ ଦଳର ଚିନ୍ତନ ଶକ୍ତିର ଅଭାବ ଏବଂ ରାଜଗାଦିରେ ବସିବାରେ ତତ୍ପରତା କାରଣରୁ କରତାରପୁର ଭାରତ ହାତରୁ ପାକିସ୍ତାନକୁ ଚାଲିଯାଇଛି ବୋଲି ମୋଦି କହିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ କେବେ ବି ଶିଖ୍ମାନଙ୍କ ବିକାଶ ପାଇଁ କାର୍ଯ୍ୟ କରିନାହିଁ । ମାନବତାର ବାର୍ତ୍ତା ଦେଉଥିବା ଗୁରୁୂ ନାନକଦେବଙ୍କ ଆଗରେ ନତମସ୍ତକ ହେବା ପାଇଁ ଲୋକମାନେ ଅନାଇ ରହିଛନ୍ତି । କିନ୍ତୁ ଦୀର୍ଘ ୭୦ ବର୍ଷ ଧରି କଂଗ୍ରେସ ଶିଖ୍ ବିକାଶ ଦିଗରେ ଧ୍ୟାନ ଦେଇନାହିଁ । କଂଗ୍ରେସର ପ୍ରତ୍ୟେକ ଭୁଲ୍କୁ ଏବେ ସୁଧାରିବାକୁ ପଡୁଛି । ତେଣୁ କରତାରପୁର କରିଡରକୁ ଖୋଲିଦିଆଯାଇଛି ବୋଲି ମୋଦି କହିଛନ୍ତି । ରାଜସ୍ଥାନରେ ବିଜେପି ସରକାର ରହିଛି । ପୂର୍ବରୁ କେନ୍ଦ୍ରରେ ଓ ପଞ୍ଜାବରେ କଂଗ୍ରେସ ସରକାର ରହିଥିଲା । ତେଣୁ ଅନେକ ସମୟରେ ରାଜସ୍ଥାନରେ ଜଳସଙ୍କଟ ଦେଖାଯାଉଥିଲା । ଏହି ସମୟରେ କେନ୍ଦ୍ରର କଂଗ୍ରେସ ସରକାର କିମ୍ବା ପଞ୍ଜାବ ସରକାର ରାଜସ୍ଥାନର ଜଳସଙ୍କଟ ସମାଧାନ ଦିଗରେ ପଦକ୍ଷେପ ନେଉନଥିଲେ । କିନ୍ତୁ ଏବେ ସମୟ ବଦଳିଛି । ରାଜସ୍ଥାନରେ ଜଳସଙ୍କଟର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୋଦି କହିଛନ୍ତି । କେନ୍ଦ୍ର ସରକାରଙ୍କ ସଠିକ୍ ପଦକ୍ଷେପ ଯୋଗୁଁ ଦେଶରେ କୋଟି କୋଟି ଟଙ୍କାର ଚୋରି ବନ୍ଦ ହୋଇପାରିଛି । ଦୁର୍ନୀତି ଘଟଣା ମଧ୍ୟ ଅନେକ ପରିମାଣରେ କମ୍ ହୋଇଛି ବୋଲି ମୋଦି କହିଛନ୍ତି । କଂଗ୍ରେସ ମିଛ କହିବାରେ ମାହିର । କୃଷକଙ୍କ ପାଇଁ କଂଗ୍ରେସ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । କେବଳ ନିର୍ବାଚନକୁ ଆଖିଆଗରେ ରଖି କଂଗ୍ରେସ ଏବେ କୃଷକଙ୍କ ଭୋଟ ହାତେଇବାକୁ ଉଦ୍ୟମ କରୁଛି ବୋଲି ମୋଦି କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close