ODISHATOP STORIES

ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ସୂଚନା, ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟରେ ଆଇଏଏସ୍‌ କୋଚିଂ ସେଣ୍ଟର ଖୋଲାଯାଇଛି

ଖାଲିପଡ଼ିଥିବା ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଛି

ଭୁବନେଶ୍ୱର, ୫।୧୨ (ଓଡ଼ିଶା ଭାସ୍କର): ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟରେ ଆଇଏଏସ୍‌ କୋଚିଂ ସେଣ୍ଟର ଖୋଲାଯାଇଛି । ଉତ୍କଳ, ବ୍ରହ୍ମପୁର, ସମ୍ବଲପୁର, ଗଙ୍ଗାଧର ମେହେର, ରେଭେନ୍ସା ବିଶ୍ୱବିଦ୍ୟାଳୟ ସହ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆଇଏଏସ୍‌ କୋଚିଂ ନେବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ କହିଛନ୍ତି । ସେହିପରି ରାଜ୍ୟରେ କେବଳ ସ୍ୱତନ୍ତ୍ର ଆଇଏଏସ୍‌ କୋଚିଂ ସେଣ୍ଟର ସ୍ଥାପନ କରିବା ପାଇଁ ଆଗ୍ରହୀ ସଂସ୍ଥାମାନଙ୍କୁ ସରକାର ଆହ୍ୱାନ ଦେଇଛନ୍ତି । ଏଥି ନିମନ୍ତେ ଇଚ୍ଛୁକ ସଂସ୍ଥାକୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ । ରାଜ୍ୟର ଡିଗ୍ରୀ କଲେଜମାନଙ୍କରେ ଖାଲି ପଡ଼ିଥିବା ଅଧ୍ୟାପକ-ଅଧ୍ୟାପିକା ପଦବୀ ପୂରଣ ନିମନ୍ତେ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏ ଯାବତ୍‌ ୪୦୭ଟି ପଦବୀରେ ନିଯୁକ୍ତି ପ୍ରଦାନ କରାଯାଇଥିବାବେଳେ ୪୨୬ଟି ପଦବୀ ପୂରଣ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି । ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ ଷ୍ଟେଟ୍‌ ସିଲେକ୍ସନ୍‌ ବୋର୍ଡ ମାଧ୍ୟମରେ ୧୬୨୫ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ୮୩୩ଟି ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଛି । ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ୩୧୭ଟି ସହଯୋଗୀ ଓ ସହକାରୀ ପ୍ରଫେସର ପଦବୀ ପୂରଣ ନିମନ୍ତେ ନିଯୁକ୍ତି ବିଜ୍ଞାପନ ପ୍ରକାଶିତ ହୋଇଛି । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟରେ ସଂରକ୍ଷଣ ନୀତି ନିର୍ଦ୍ଧାରଣ ନିମନ୍ତେ ଉଦ୍ଦିଷ୍ଟ ମାମଲା ବିଚାରାଧୀନ ଥିବାରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିର୍ଦ୍ଦେଶକ୍ରମେ ଏହି ନିଯୁକ୍ତି ପ୍ରକ୍ରିୟା ସାମୟିକ ଭାବେ ସ୍ଥଗିତ ରହିଛି । ଏତଦ୍‌ବ୍ୟତୀତ ଅନ୍ୟ ବିଶ୍ୱବିଦ୍ୟାଳୟମାନଙ୍କରେ ଅଧ୍ୟାପକ ନିଯୁକ୍ତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୭୭ଟି ପଦବୀ
ସୃଷ୍ଟି କରିବା ପାଇଁ ଅନୁମୋଦନ କରିଛନ୍ତି । ଏହି ପଦବୀଗୁଡ଼ିକ ଖୁବ୍‌ ଶୀଘ୍ର ପୂରଣ କରାଯିବ । ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଏବଂ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟ କରଣ ନିମନ୍ତେ ୨୦୧୭ ମସିହାରେ ୫ଟି କମିଟି ଗଠନ କରାଯାଇ ମହାବିଦ୍ୟାଳୟସ୍ତରରେ ପାଠ୍ୟକ୍ରମରେ ଆବଶ୍ୟକୀୟ ସଂସ୍କାର ଓ ସଂଶୋଧନ କରାଯାଉଛି । ବିଦ୍ୟାର୍ଥୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ କୌଣସି ସାଲିସ୍‌ କରାଯିବ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ଦୃଢ଼ତାର ସହିତ ମତବ୍ୟକ୍ତ କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close