Uncategorized

୫ ଦିନିଆ ସିବିଆଇ ହେପାଜତରେ କ୍ରିଷ୍ଟିଆନ ମିଚେଲ

ଅଗଷ୍ଟା ୱେ ଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତି

ନୂଆଦିଲ୍ଲୀ, ୫ା୧୨ : ଅଗଷ୍ଟା ୱେ ଷ୍ଟଲ୍ୟାଣ୍ଡ ହେଲିକପ୍ଟର କ୍ରୟ ଦୁର୍ନୀତି ମାମଲାର ଅଭିଯୁକ୍ତ କ୍ରିଷ୍ଟିଆନ ମିଚେଲଙ୍କୁ ମଙ୍ଗଳବାର ମଧ୍ୟରାତ୍ରୀରେ ପ୍ରତ୍ୟାର୍ପଣ ଚୁକ୍ତି ମାଧ୍ୟମରେ ଭାରତ ଅଣାଯାଇଛି । ବୁଧବାର ସକାଳୁ ତାଙ୍କୁ ଦିଲ୍ଲୀର ସିବିଆଇ କୋର୍ଟରେ ହାଜର କରାଯିବା ପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମିଚେଲଙ୍କୁ ୫ ଦିନିଆ ସିବିଆଇ ହେପାଜତକୁ ପଠାଯାଇଛି । ମିଚେଲ ସିବିଆଇ ହେପାଜତକୁ ଯିବା ପରେ ସିବିଆଇ ତାଙ୍କୁ ଜେରା କରିବ । ଏହି ସମୟରେ ଏହି ଦୁର୍ନୀତି ମାମଲାର ଅନେକ ଗୁମର ଫିଟିପାରିବ ବୋଲି ଆଶା କରାଯାଉଛି । ମିଚେଲଙ୍କୁ ମଙ୍ଗଳବାର ଦୁବାଇରୁ ଭାରତ ଅଣାଯିବା ପରେ ରାତିସାରା ସିବିଆଇ ମୁଖ୍ୟାଳୟରେ ରଖାଯାଇଥିଲା । ବୁଧବାର ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜର କରାଯିବା ପୂର୍ବରୁ ସିବିଆଇ ଅଧିକାରୀମାନେ ପଚରାଉଚରା କରିଥିବା ଜଣାପଡିଛି ।

ଅପରେସନର ନାମ ଥିଲା ‘ୟୁନିକର୍ଣ୍ଣ’
ଅଜିତ୍ ଡୋଭାଲ ନେଉଥିଲେ ନେତୃତ୍ୱ
ମିଚେଲଙ୍କୁ ପ୍ରତ୍ୟାର୍ପଣ କରାଯିବାର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅତି ଗୋପନୀୟ ସହକାରେ ସଫଳ ରୂପ ଦିଆଯାଇଥିଲା । ମିଚେଲଙ୍କୁ ଭାରତ ଅଣାଯିବା ପାଇଁ ଯେଉଁ ଅପରେସନ ଆରମ୍ଭ ହୋଇଥିଲା ତାହାର ନାମ ‘ୟୁନିକର୍ଣ୍ଣ’ ରଖାଯାଇଥିଲା । ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଏହାର ନେତୃତ୍ୱ ନେଉଥିଲେ । ଏହି ଅପରେସନକୁ ଇଣ୍ଟରପୋଲ ଏବଂ ସିଆଇଡି ମିଳିତ ଭାବେ ଚଳାଇଥିଲେ । ମିଶନକୁ ସଫଳ କରିବା ପାଇଁ ଅଜିତ୍ ଡୋଭାଲ ସିବିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କ ସହ ଲଗାତାର ଫୋନ ମାଧ୍ୟମରେ ଆଲୋଚନା କରୁଥିଲେ ।

ବିମାନବନ୍ଦରରେ ୨ ଘଣ୍ଟା ଚାଲିଥିଲା କାଗଜ ପ୍ରକ୍ରିୟା
କ୍ରିଷ୍ଟିଆନ ମିଚେଲଙ୍କୁ ମଙ୍ଗଳବାର ମଧ୍ୟରାତ୍ରୀରେ ଭାରତ ଅଣାଯିବା ପରେ ବିମାନ ବନ୍ଦରରେ ୨ ଘଣ୍ଟା ଧରି କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଥିଲା । ଗୋଟିଏ ପଟେ କାଗଜପତ୍ର ଯାଞ୍ଚ କାର୍ଯ୍ୟ ଜାରି ରହିଥିବା ବେଳେ ଅନ୍ୟପଟେ ପୋଲିସ ମଧ୍ୟ ମିଚେଲଙ୍କୁ ସୁରକ୍ଷିତ ଭାବେ ସିବିଆଇ ମୁଖ୍ୟାଳୟରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରସ୍ତୁତିକାର୍ଯ୍ୟରେ ଲାଗିପଡିଥିଲା । ସ୍ପେଶାଲ ସେଲ୍ର ୧ ଟିମ୍ ମଧ୍ୟ ବିମାନ ବନ୍ଦରରେ ପହଞ୍ôଚ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିଲେ । ଏହା ପରେ ତାଙ୍କୁ ସିବିଆଇ ମୁଖ୍ୟାଳୟକୁ ନିଆଯାଇଥିଲା ।

ଇଣ୍ଟରପୋଲ ନୋଟିସ ପରେ ଦୁବାଇରୁ ଗିରଫ ହୋଇଥିଲେ
୩୬ ଶହ କୋଟି ଟଙ୍କାର ଅଗଷ୍ଟା ୱେ ଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତିରେ ସାମିଲ ଥିବା ମିଚେଲଙ୍କୁ ଗିରଫ କରିବା ପାଇଁ ଭାରତୀୟ ତଦନ୍ତକାରୀ ଏଜେନ୍ସୀଗୁଡିକ ଚାପସୃଷ୍ଟି କରିଚାଲିଥିଲେ । ଇଣ୍ଟରପୋଲ ମିଚେଲଙ୍କ ବିରୁଦ୍ଧରେ ୨୦୧୫ ନଭେମ୍ବର ୨୫ରେ ରେଡ୍ନୋଟିସ ଜାରି କରିଥିଲା । ପରେ ୨୦୧୭ ଫେବ୍ରୁଆରୀରେ ୫୭ ବର୍ଷୀୟ ମିଚେଲଙ୍କୁ ଦୁବାଇରୁ ଗିରଫ କରାଯାଇଥିଲା । ୨୦୧୭ ମାର୍ଚ୍ଚ ୧୯ରେ ମିଚେଲଙ୍କୁ ପ୍ରତ୍ୟାର୍ପଣ ପାଇଁ ଭାରତ ଦାବି କରିଥିଲା ।

ଗତ ସରକାରଙ୍କ ଉପରେ ଚାପ ପକାଇବାକୁ ମୋତେ ଫସାଯାଇଛି : ମିଚେଲ
ପ୍ରତ୍ୟାର୍ପଣ ଚୁକ୍ତି ମାଧ୍ୟମରେ ଭାରତ ଆସିବା ପୂର୍ବରୁ ମିଚେଲଙ୍କୁ ଦୁବାଇର ଅଧିକାରୀଙ୍କ ନିକଟରେ ହାଜର କରାଯାଇଥିଲା । ଏହି ସମୟରେ ମିଚେଲ କହିଛନ୍ତି ଯେ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହିତ କାମ କରିଥିବାରୁ ପୂର୍ବତନ ସରକାରଙ୍କ ଉପରେ ଚାପ ପକାଇବାକୁ ମୋତେ ଏହି ମାମଲାରେ ଫସାଇ ଦିଆଯାଇଛି । ଏହି ଅଗଷ୍ଟା ୱେ ଷ୍ଟଲ୍ୟାଣ୍ଡ ଡିଲ୍ରେ କୌଣସି ପ୍ରକାର ଦୁର୍ନୀତି ହୋଇନାହିଁ । ଏପରିକି ସେ କୌଣସି ଲାଞ୍ଚ ନେଇନାହାନ୍ତି ବୋଲି ମିଚେଲ କହିଛନ୍ତି ।

ମଧ୍ୟସ୍ଥି ଆସିଗଲେ, ଏଥର ଗୁମର ଖୋଲିବ : ମୋଦି
କ୍ରିଷ୍ଟିଆନ ମିଚେଲଙ୍କୁ ଭାରତ ଅଣାଯିବା ପରେ ଏହି ଦୁର୍ନିୀତିକୁ ନେଇ ବୁଧବାର କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ, ଏହି ମାମଲାର କଥିତ ମଧ୍ୟସ୍ଥି ମିଚେଲଙ୍କୁ ଜେରା ସମୟରେ ଅନେକ ଗୁମର ଖୋଲିବ । ଏପରିକି କେଉଁ ରାଜନେତାମାନେ ଏହି ଦୁର୍ନୀତି ମାମଲାରେ ଜଡିତ ତାହା ମଧ୍ୟ ସାମ୍ନାକୁ ଆସିବ । ରାଜସ୍ଥାନର ପାଲି ଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧୀତ କରି ସେ ଏହି ବିଷୟ କହିଛନ୍ତି । ପ୍ରକାଶଯୋଗ୍ୟ ଅଗଷ୍ଟା ୱେଷ୍ଟ ଲ୍ୟାଣ୍ଡ କମ୍ପାନୀରୁ ୧୨ଟି ଭିଭିଆଇପି ହେଲିକପ୍ଟର କ୍ରୟ କରିବା ପାଇଁ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର ସମୟରେ ଡିଲ୍ ହୋଇଥିଲା । ଏହି ଡିଲ୍ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close