ODISHASPORTSTOP STORIES

ହକି ବିଶ୍ୱକପ୍ରୁ ସ୍ପେନ୍ର ବିଦାୟ, ଆର୍ଜେଣ୍ଟିନାକୁ ହରାଇଲା ଫ୍ରାନ୍ସ

ଭୁବନେଶ୍ୱର, ୬ା୧୨ (ଆପ୍ର): କଳିଙ୍ଗ ଷ୍ଟାଡିୟମ୍ରେ ହକି ବିଶ୍ୱକପ୍ରେ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା ସ୍ପେନ୍ । ପୁଲ୍-ଏରେ ଖେଳାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ୨-୨ରେ ଡ୍ର ରହିବା ସହ ସ୍ପେନ୍ ବିଶ୍ୱକପ୍ରୁ ବିଦାୟ ନେଇଛି । ପ୍ରଥମରୁ ସ୍ପେନ୍ ୨-୦ରେ ଆଗୁଆ ରହିଥିଲେ ମଧ୍ୟ ଶେଷ ୧୦ ମିନିଟ୍ରେ ନ୍ୟୁଜିଲାଣ୍ଡ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରି ଚମକ୍ରାର ଖେଳ ପ୍ରଦର୍ଶନ କରି ମ୍ୟାଚ୍କୁ ଡ୍ର ରଖିବାରେ ସଫଳ ହୋଇଥିଲା । ମ୍ୟାଚ୍ର ନବମ ଓ ୨୭ତମ ମିନିଟ୍ରେ ଗୋଟିଏ ଲେଖାଏ ଗୋଲ୍ କରି ସ୍ପେନ୍ ୨-୦ରେ ଆଗୁଆ ହୋଇଯାଇଥିଲା । ସ୍ପେନ୍ ପକ୍ଷରୁ ଆଲର୍ବଟ ବେଲଟ୍ରାନ୍ ଓ ଅଲଭାରୋ ଇଗ୍ଲେସିଆସ୍ ଯଥାକ୍ରମେ ଏହି ୨ଟି ଗୋଲ୍ କରିଥିଲେ । ସମସ୍ତେ ଅନୁମାନ କରିଥିଲେ ଯେ, ମ୍ୟାଚ୍କୁ ସହଜରେ ସ୍ପେନ୍ ଜିତିନେବ । କିନ୍ତୁ ଖେଳ ଶେଷ ବେଳକୁ ସ୍ଥିତି ପରିବର୍ତ୍ତନ ହୋଇ ଯାଇଥିଲା । ମ୍ୟାଚ୍ର ଶେଷ ୫୦ ତମ ମିନିଟ୍ରେ ନ୍ୟୁଜିଲାଣ୍ଡ ପକ୍ଷରୁ ହେଡେନ୍ ଫିଲିପ୍ସ ଗୋଲ ସ୍କୋର କରି ମ୍ୟାଚ୍କୁ ରୋମାଞ୍ଚକର ସ୍ଥିତିକୁ ନେଇ ଆସିଥିଲେ । ଏହାପରେ ୫୬ତମ ମିନିଟ୍ରେ କେନ୍ ରସେଲ୍ ଆଉ ଏକ ଗୋଲ୍ କରି ସ୍କୋରକୁ ୨-୨ ସ୍ଥିତିକୁ ନେଇ ଆସିଥିଲେ । ଶେଷ ମୂହୂର୍ତ୍ତରେ ପରସ୍ପର ବିରୋଧରେ ଗୋଲ୍ କରିବାକୁ ଉଭୟ ଦଳ ଆପ୍ରାଣ ଉଦ୍ୟମ କରିଥିବା ବେଳେ କେହି କାହା ବିରୋଧରେ ଗୋଲ୍ କରିପାରି ନ ଥିଲେ । ଶେଷରେ ମ୍ୟାଚ୍ ଡ୍ରରେ ସମାପ୍ତ ହୋଇଥିଲା ।
ଅନ୍ୟପଟେ ଗୁରୁବାରର ଦ୍ୱିତୀୟ ମ୍ୟାଚ୍ରେ ଆର୍ଜେଣ୍ଟିନାକୁ ୫-୩ ଗୋଲ୍ରେ ପରାସ୍ତ କରିଛି ଫ୍ରାନ୍ସ । ଦୀର୍ଘ ୨୮ ବର୍ଷ ପରେ ହକି ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଫ୍ରାନ୍ସ ରିଓ ଅଲମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନାକୁ ପରାଜିତ କରିବାରେ ସକ୍ଷମ ହୋଇଛି । ଫ୍ରାନ୍ସର ବିଜୟ ଫଳରେ ହକି ବିଶ୍ୱକପ୍ରୁ ପ୍ରଥମ ଦଳ ଭାବେ ସ୍ପେନ୍ ବିଦାୟ ନେଇଛି । ଆର୍ଜେଣ୍ଟିନା ପରାସ୍ତ ହୋଇଥିଲେ ମଧ୍ୟ ଏହି ଦଳ ପୁଲ୍ – ଏ ରେ ଟପ୍ରେ ରହି କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ପୁଲ୍ – ଏ ରେ ଆର୍ଜେଣ୍ଟିନା ୪ ପଏଣ୍ଟ ସହ ସର୍ବୋଚ୍ଚ ସ୍ଥାନରେ ଥିବା ବେଳେ ନ୍ୟୁଜିଲାଣ୍ଡ ମଧ୍ୟ ୪ ପଏଣ୍ଟ ସହ ଉଭୟ ଦଳ କ୍ୱାର୍ଟର ଫାଇନାଲ୍କୁ ଯିବାକୁ ରାସ୍ତା ଖୋଲି ଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close