fbpx

ୟେସ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଅର୍ଥମନ୍ତ୍ରୀ କହିଛନ୍ତି-ଏହି ଦିନ ହଟିଯିବ ସମସ୍ତ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩ ।୩: କେନ୍ଦ୍ର କ୍ୟାବିନେଟ୍ ବୈଠକ ଶେଷ ହେବା ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । କ୍ୟାବିନେଟ୍ ୟେସ୍ ବ୍ୟାଙ୍କର ପୁନଃନିର୍ମାଣ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇ ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କିଣିବ । ଏହାର ଅଂଶଧନକୁ ଏସବିଆଇ ୩ ବର୍ଷ ପାଇଁ ୨୬ ପ୍ରତିଶତରୁ କମ୍ କରିବ ନାହିଁ । ଏହା ସହ ଘରୋଇ ଋଣଦାତାମାନେ ମଧ୍ୟ ଏଥିରେ ବିନିଯୋଗ କରିବେ । ଘରୋଇ ଋଣଦାତାମାନଙ୍କ ପାଇଁ ଲକ୍-ଇନ୍ ଅବଧି ମଧ୍ୟ ୩ ବର୍ଷ ପର୍ଯ୍ୟନ୍ତ ରହିବ, କିନ୍ତୁ ସେମାନଙ୍କ ପାଇଁ ଅଂଶର ସୀମା ୭୫ ପ୍ରତିଶତ ରହିବ ।

ବିଜ୍ଞପ୍ତିର ୩ ଦିନ ମଧ୍ୟରେ ପ୍ରତିବନ୍ଧକ ହଟିବ

ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମିଡିଆକୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଖୁବଶୀଘ୍ର ବ୍ୟାଙ୍କ ସଙ୍କଟ ବିଷୟରେ ଏକ ନୂତନ ବିଜ୍ଞପ୍ତି ପ୍ରକାଶ ପାଇବ । ବିଜ୍ଞପ୍ତି ଜାରି ହେବାର ୩ ଦିନ ମଧ୍ୟରେ ମୋରୋଟୋରିୟମ ପିରିୟଡକୁ ରଦ୍ଦ କରାଯିବ । ଏହାର ଅର୍ଥ ହେଉଛି କି, ବିଜ୍ଞପ୍ତି ଜାରି ହେବାର ୩ ଦିନ ମଧ୍ୟରେ ବ୍ୟାଙ୍କରୁ ସମସ୍ତ ପ୍ରତିବନ୍ଧକ ହଟାଯିବ । ବିଜ୍ଞପ୍ତିର ୭ ଦିନ ମଧ୍ୟରେ ୟେସ ବ୍ୟାଙ୍କର ନୂତନ ବୋର୍ଡ ଗଠନ କରାଯିବ । ନୂତନ ବୋର୍ଡ ଗଠନ ପରେ ଆରବିଆ ଦ୍ୱାରା ନିଯୁକ୍ତ ପ୍ରଶାସକ ପ୍ରଶାନ୍ତ କୁମାରଙ୍କୁ ହଟାଇ ଦିଆଯିବ । ଏହା ସହ ଏସବିଆଇର ଦୁଇ ନିର୍ଦ୍ଦେଶକ ୟେସ ବ୍ୟାଙ୍କର ନୂତନ ବୋର୍ଡରେ ସଦସ୍ୟ ରହିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.