CRIMEODISHATOP STORIES

ଆଭା ଶିଶୁ ଯତ୍ନ ଅନୁଷ୍ଠାନରେ ଯୌନ ଶୋଷଣ, ୨ ମହିଳା କେୟାରଟେକର ଗିରଫ

ପୁରୀ,୫ା୧ (ଓଡ଼ିଶା ଭାସ୍କର): ଢେଙ୍କାନାଳ ଜିଲା ବେଲଟିକିରିସ୍ଥିତ ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର ଶିଶୁ ଗୃହରେ ଯୌନ ଶୋଷଣ ଘଟଣାର ପୁନରାବୃତ୍ତି ଘଟିଛି ପୁରୀ ଜିଲାରେ। ଡେଲାଙ୍ଗସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନ ‘ଆଭା’ରେ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)ଙ୍କ ଅଭିଯୋଗକୁ ଭିତ୍ତି କରି ଡେଲାଙ୍ଗ ପୋଲିସ ଆଇପିସି ଦଫା ୨୯୪, ୨୩୨, ୩୫୪, ୩୫୪(ଏ), ୩୪ ସହ ପୋକ୍‌ସୋ ଆକ୍ଟ ୧୦/୧୨ ଅନୁସାରେ ମାମଲା ରୁଜୁ କରି ୨ ଜଣ ଙ୍କୁ ଗିରଫ କରିଛି। ସେମାନେ ହେଲେ ଲବଙ୍ଗ ସ୍ବାଇଁ(୩୬) ଓ ବାସନ୍ତି ସ୍ବାଇଁ (୪୦)। ତେବେ ମୁଖ୍ୟ ଅଭିଯୁକ୍ତ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଗଙ୍ଗାଧର ପ୍ରଧାନ ଫେରାର ଅଛି। ଗିରଫ ମହିଳାଦ୍ୱୟଙ୍କ ନାଁରେ ପିଲାଙ୍କୁ ଗାଳିଗୁଲଜ ସହ ମାରପିଟ୍‌ ଓ ଫେରାର ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧରଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ହୋଇଥିଲା। ଗୁରୁବାର ବିଳମ୍ବିତ ରାତିରେ ଥାନାରେ ଡିସିପିଓଙ୍କ ଅଭିଯୋଗକୁ ଭିତ୍ତି କରି ଶୁକ୍ରବାର କଣାସସ୍ଥିତ ନୀଳାଚଳ ଶିଶୁ ସଦନକୁ ସ୍ଥାନାନ୍ତର ହୋଇଥିବା ନାବାଳିକା (ଅଭିଯୋଗ ଆଣିଥିବା ନାବାଳିକା)ଙ୍କ ବୟାନ ରେକର୍ଡ କରାଯାଇଥିଲା। ଏହି ଆଧାରରେ ପଦକ୍ଷେପ ଆରମ୍ଭ ହୋଇଛି। ତେବେ ଫେରାର ମୁଖ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହି ଛି। ଢେଙ୍କାନାଳ ବେଲଟିକିରି ଘଟଣା ପରେ ରାଜ୍ୟରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନଗୁଡିକର ଯାଞ୍ଚ କରାଯାଇଥିଲା। ଡିସେମ୍ବର ୧୩ରେ ନ୍ୟାଶନାଲ କମିଶନ ଫର୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ୍ସ (ଏନ୍‌ସିପିସିଆର୍‌) ଟିମ୍‌ ଡେଲାଙ୍ଗସ୍ଥିତ ଆଭା ଶିଶୁ ଯତ୍ନ ଅନୁଷ୍ଠାନକୁ ଯାଇ ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବା ସହ ବିଭିନ୍ନ ବିଷୟରେ କର୍ମଚାରୀ ଓ ପିଲାଙ୍କୁ ପଚାରି ବୁଝିଥିଲେ। ସେଠାରେ ନାନା ଅବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଥିଲା ଟିମ୍‌। ତେବେ ଏହି ସମୟରେ ଜଣେ ନାବାଳିକା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏ ସଂକ୍ରାନ୍ତରେ ଟିମ୍‌ ରିପୋର୍ଟ ଦେବା ପରେ ଜିଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ପୁରୀ ଜିଲା ଶିଶୁ କଲ୍ୟାଣ କମିଟି ତଦନ୍ତ କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close