ODISHATOP STORIES

କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ

ଭୁବନେଶ୍ୱର, ୧୧ା୧, (ଆ.ପ୍ର.) : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ଚିଠିରେ ସେ ଶ୍ରୀ ପ୍ରସାଦଙ୍କୁ ଅନୁରୋଧ କରିଛନ୍ତିି । ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଦୀର୍ଘ ବର୍ଷ ହେବ ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ମୂଳ ବାସିନ୍ଦାମାନେ ପ୍ରବଳ ଦାବି କରୁଛନ୍ତି । ଏ ନେଇ ପୂର୍ବରୁ ମଧ୍ୟ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ତୁରନ୍ତ ଏ ଦିଗରେ ବିଚାରବିମର୍ଶ କରି ତ୍ୱରିତ ପଦକ୍ଷେପ ନେବା ପାଇଁ ଚିଠି ଜରିଆରେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଦୀର୍ଘ ବର୍ଷ ହେବ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଆଇନଜୀବୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନଙ୍କ ସହ ଅନେକ ସଂଗଠନ ଏବଂ ପଶ୍ଚିମ ଓଡ଼ିଶାବାସୀ ଓ ରାଜନୈତିକ ଦଳମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏହାକୁ ନେଇ କାଦୁଆ ଫିଙ୍ଗାପିଙ୍ଗି ଜାରି ରହିଛି । ଆନ୍ଦୋଳନ ଫଳରେ କୋର୍ଟ କାର୍ଯ୍ୟ ପ୍ରଭାବିତ ହେଉଛି । ଅତୀତରେ ୨୦୧୩ ମସିହା ସେପ୍ଟେମ୍ବର ୨୮, ୨୦୧୪ ଫେବୃୟାରୀ ୧୩ ଏବଂ ୨୦୧୬ ସେପ୍ଟେମ୍ବର ୫ରେ ମୁଖ୍ୟମନ୍ତ୍ରୀ ଏ ନେଇ ଚିଠି ଲେଖିଥିବା ଦର୍ଶାଇଛନ୍ତି । ଶୁକ୍ରବାର ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଯଶୋବନ୍ତ ସିଂ କମିଶନଙ୍କ ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ରାୟ ସମ୍ପର୍କରେ ଓଡ଼ିଶା ସରକାର ଅବଗତ ଅଛନ୍ତି । ତେବେ କେନ୍ଦ୍ର ସରକାର ଚାହିଁଲେ ତୁରନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତି ନେଇପାରିବେ । କେନ୍ଦ୍ର ଏହି ନିଷ୍ପତ୍ତି ନେଲେ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles