NATIONALTOP STORIES

ନବୀନଙ୍କ ଚିଠିର ଉତ୍ତର ରଖିଲେ କେନ୍ଦ୍ର ଆଇନ ମନ୍ତ୍ରୀ, ପ୍ରଥମେ ମୁଖ୍ୟ ବିଚାରପତିଙ୍କ ସହ କଥା ହୁଅ

ନୂଆଦିଲ୍ଲୀ, ୧୪।୧ : ପଶ୍ଚିମଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ନବୀନଙ୍କ ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ । ହାଇକୋର୍ଟର ମୁଖ୍ୟବିଚାରପତିଙ୍କ ସହ ଆଲୋଚନା କରି ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଛନ୍ତି ରବିଶଙ୍କର । ସେ କହିଛନ୍ତି ଯେ, ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧିକାରଭୁକ୍ତ ପ୍ରସଙ୍ଗ । ଯଶୱନ ସିଂହ କମିଶନଙ୍କ ସୁପାରିଶ ଅନୁସାରେ ମୁଖ୍ୟ ବିଚାରପତି ହିଁ ନେବେ ବୋଲି ରବିଶଙ୍କର ଚିଠିରେ ଉଲ୍ଲେଖ କରିଛନ୍ତି । ଏହାସହିତ କେଉଁଠି ବେଞ୍ଚ ସ୍ଥାପନ ହେବ ତାହା ଚୂଡ଼ାନ୍ତ କରି ତଥ୍ୟ ଦେଲେ କେନ୍ଦ୍ରସରକାର ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବେ ବୋଲି ରବିଶଙ୍କର ଚିଠିରେ ଉଲ୍ଲେଖ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ରସରକାରଙ୍କୁ ଚିଠି ଲେଖିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠି ଲେଖାକୁ ସମାଲୋଚନା କରିଥିଲେ ଓଡ଼ିଶା ଓକିଲ ସମୂହ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) । ସିଏସିର କହିବା କଥା ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଲେଖୁଥିବା ଚିଠିରେ କୋ÷ଣସି ନୂତନତା ନାହିଁ । ଏହି ପ୍ରସଙ୍ଗରେ ରାଜ୍ୟସରକାର ପଶ୍ଚିମାଞ୍ଚଳ ଆନ୍ଦୋଳନକୁ ଗୁରୁତ୍ୱହୀନ କରିବାକୁ ଚେଷ୍ଟା କରୁଛନ୍ତି । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ କୋ÷ଣସି ଠୋସ୍ ପ୍ରସ୍ତାବ ନଦେଇ କେବଳ ଚିଠି ଲେଖି ରାଜ୍ୟସରକାର ନିଜ କର୍ତ୍ତବ୍ୟରୁ ମୁହଁ ମୋଡ଼ି ନେଉଛନ୍ତି । ପଶ୍ଚିମାଞ୍ଚଳ ଆନ୍ଦୋଳନକୁ ଗୁରୁତ୍ୱହୀନ କରିବା ପାଇଁ ଏହା ରାଜ୍ୟସରକାରଙ୍କ ଏକ ଚାଲ ବୋଲି ଆବାହକ ଅଶୋକ ଦାଶ କ୍ଷୋଭ ପ୍ରକାଶ କରି କହିଛନ୍ତି । ସିଏସି ସମ୍ପାଦକ ନିରଞ୍ଜନ ତ୍ରିପାଠୀ କହିଥିଲେ ଯେ, ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କେଉଁଠି ହେବ ତାର ସ୍ଥାନ ନିର୍ଣ୍ଣୟ, କେଉଁ କେଉଁ ଅଞ୍ଚଳକୁ ନେଇ ବେଞ୍ଚ ପ୍ରତିଷ୍ଠା ହେବ, ଏହି ବେଞ୍ଚରେ କେତେ ଜଣ ଜଜ ରହିବେ ଓ ଭିତ୍ତିଭୂମି ସଂକ୍ରାନ୍ତରେ କିଛି ଉଲ୍ଲେଖ କରିନାହାନ୍ତି । କେବଳ ନିଜ ମୁଣ୍ଡରେ ଦୋଷ ଛଡ଼ାଇବା ପାଇଁ ରାଜ୍ୟସରକାର ନାମକୁ ମାତ୍ର କେନ୍ଦ୍ରସରକାରଙ୍କ ପାଖକୁ ଚିଠି ଲେଖୁଛନ୍ତି । ଯାହାକୁ ସିଏସି ଖଣ୍ଡନ କରୁଛି ବୋଲି ଏହାର ସଂପାଦକ ନିରଞ୍ଜନ ତ୍ରିପାଠୀ କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close