BUSINESSNATIONALTOP STORIES

ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ, ୩୧।୧: ଗୁରୁବାର ଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନ ବେଶ୍ ସରଗରମ ହେବାର ଆଶା କରାଯାଉଛି । ରାଫେଲ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଗୃହର ସୁପରିଚାଳନା ପାଇଁ ଏକ ସର୍ବଦଳୀୟ ବୈଠକରେ ସବୁ ଦଳର ନେତାମାନଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ବିରୋଧୀଙ୍କ ହମ୍ଲା ପୂର୍ବରୁ କେନ୍ଦ୍ର ସରକାର ଗୃହରେ ରାଫେଲ ସମ୍ପର୍କିତ ସିଏଜି ରିପୋର୍ଟ ଉପସ୍ଥାପନ କରିବାର ମଧ୍ୟ ସମ୍ଭାବନା ଥିବା ସୂଚନା ମିଳିଛି । ତେବେ ଏହି ଅଧିବେଶନ କାଳରେ ମୋଦି ସରକାର ଅନ୍ତରୀଣ ବଜେଟ୍ ବଦଳରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ କରି ଘୋଷଣା କରିଥିଲେ । ହେଲେ ଏହି ଘୋଷଣା ଗଣମାଧ୍ୟମରେ ପ୍ରସାରିତ ଓ ପ୍ରଚାରିତ ହେବା ପରେ ବିରୋଧୀ ଦଳଗୁଡିକ ନିର୍ବାଚନ ବର୍ଷରେ ମୋଦି ସରକାରଙ୍କ ଏ ପ୍ରକାର ନିଷ୍ପତ୍ତିର ତୀବ୍ର ବିରୋଧ କରିଥିଲେ । ଶେଷରେ ବିରୋଧୀଙ୍କ ବିରୋଧ ଓ ସମାଲୋଚନା ଆଗରେ ମୁଣ୍ଡ ନୁଆଁଇ ମୋଦି ସରକାର ତାଙ୍କ ପୂର୍ବ ନିଷ୍ପତ୍ତି ବଦଳାଇ ଆଗାମୀ ବଜେଟ୍ ଅନ୍ତରୀଣ ବଜେଟ୍ ହେବ ବୋଲି ଏକ ନୂତନ ଘୋଷଣାନାମା ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବ୍ରୁଆରୀ ପହିଲାରେ ଲୋକସଭାରେ ଅନ୍ତରୀଣ ବଜେଟ୍ ବଦଳରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାର ନିଷ୍ପତ୍ତି ନେଇଥିଲେ । ସାଧାରଣତଃ ଲୋକସଭା ନିର୍ବାଚନ ପୂର୍ବରୁ ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥାନ୍ତି । ତେବେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରି ଏକ ବଡ କାର୍ଯ୍ୟ କରିବାର ନିଷ୍ପତ୍ତି ନେଇଥିଲେ । ଏ ନେଇ ବିଜେପି ପକ୍ଷରୁ କୁହାଯାଇଛି ଯେ, ଅବଶ୍ୟ ଏହା ଏକ ଅସାଧାରଣ କଥା କିନ୍ତୁ ବେନିୟମ ନୁହେଁ । ତେବେ ମୋଦିଙ୍କ ନିଷ୍ପତିକୁ ବିରୋଧୀ ବିରୋଧ କରୁଥିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ନିଷ୍ପତ୍ତିକୁ ବଦଳା ଯାଇଛି । ଅନ୍ୟପକ୍ଷରେ ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ଲୋକସଭାରେ କିଏ ବଜେଟ୍ ଉପସ୍ଥାପନ କରିବେ ତାକୁ ନେଇ ଚର୍ଚ୍ଚା ମଧ୍ୟ ଲାଗିରହିଛି । କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଅର୍ଥ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବାରୁ ସେ ବଜେଟ୍ ଉପସ୍ଥାପନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ଅରୁଣ ଜେଟ୍ଲୀ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ବର୍ତ୍ତମାନ ଆମେରିକାରେ ଚିକିତ୍ସାଧୀନ ଅଛନ୍ତି । ଜେଟ୍ଲୀଙ୍କ ଅନୁପସ୍ଥିତିରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଅର୍ଥ ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ତେବେ ୧ ତାରିଖ ଦିନ କିଏ ବଜେଟ୍ ଉପସ୍ଥାପନ କରିବେ ସେ ନେଇ ସ୍ପଷ୍ଟ ହେବ ।

Show More

Related Articles

Leave a Reply

Your email address will not be published. Required fields are marked *

Close