fbpx

ଆସନ୍ତାକାଲି ରାତି ୯ଟାରେ ୯ ମିନିଟ୍ ପାଇଁ ବ୍ଲାକ୍ଆଉଟ୍, ଦେଖାଦେଇପାରେ ପାୱାରଗ୍ରୀଡ଼୍ ସମସ୍ୟା

ହେବନି କୌଣସି ସମସ୍ୟା: ଶକ୍ତି ବିଭାଗ

ନୂଆଦିଲ୍ଲୀ / ଭୁବନେଶ୍ୱର, ୪ା୪ : ରବିବାର ରାତି ୯ଟାରେ ସମସ୍ତ ଦେଶବାସୀ ନିଜ ଘର କବାଟ କିମ୍ବା ବାଲ୍କୋନିରେ ଠିଆ ହୋଇ ନିଜ ନିଜ ଘରର ଲାଇଟ୍୍ ବନ୍ଦ କରି ୯ ମିନିଟ୍ ପାଇଁ ଦୀପ, ମହମବତୀ, ଟର୍ଚ୍ଚ ଲାଇଟ୍ ଓ ମୋବାଇଲ୍ ଫ୍ଲାସ ଲାଇଟ୍ ଜଳାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଜଣାଇଛନ୍ତି । ତେବେ ସାରା ଦେଶର ବିଦ୍ୟୁତ ଏକାସହ ୯ ମିନିଟ୍ ବନ୍ଦ ରହିବା ଅନେକ ସମସ୍ୟା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଏକାସଙ୍ଗେ ଲାଇଟ୍ ବନ୍ଦ ରହିଲେ ବିଦ୍ୟୁତ ଚାଳିତ ଅନ୍ୟ ଉପକରଣ ଉପରେ ହାଇ ଭୋଲ୍ଟେଜ୍ ପଡ଼ି ଏହା କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏପରିକି ପାୱାର ଗ୍ରୀଡ଼ ଉପରେ ମଧ୍ୟ ଚାପ ପଡ଼ିପାରେ । ବିଦ୍ୟୁତ ଗ୍ରୀଡ଼୍ରେ ଅସ୍ଥିରତା ଏବଂ ଭୋଲ୍ଟେଜ୍ ହ୍ରାସବୃଦ୍ଧି ଯୋଗୁଁ ବୈଦ୍ୟୁତିକ ଉପକରଣ ନଷ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ସମେତ କିଛି ଲୋକ କହିଥିଲେ ଯେ, ଏକା ସଙ୍ଗେ ସବୁ ଲାଇଟ ବନ୍ଦ କଲେ ବିଦ୍ୟୁତ ଉପକରଣ କ୍ଷତିଗ୍ରସ୍ତ ହୋଇ ଯିବ । ତେବେ ଏହା ମଧ୍ୟରେ ଶନିବାର ଏନେଇ ବିଦ୍ୟୁତ ବିଭାଗ ପକ୍ଷରୁ ସ୍ପଷ୍ଟିକରଣ ରଖାଯାଇଛି । ଏକା ସଙ୍ଗେ ବିଜୁଳି ବନ୍ଦ କଲେ ବିଜୁଳି ଉପକରଣ କ୍ଷତିଗ୍ରସ୍ତ ହେବାର ଯେଉଁ ଆଶଙ୍କା ବ୍ୟକ୍ତ କରାଯାଉଛି ତାହା ଅମୂଳକ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ବିଦ୍ୟୁତ ଚାହିଦା ହ୍ରାସ ଓ ବୃଦ୍ଧି ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କୁହାଯାଇଛି । ଅନ୍ୟପଟେ ଓଡ଼ିଶା ସରକାରଙ୍କୁ ପକ୍ଷରୁ ଏନେଇ ଜନସାଧାରଣଙ୍କୁ କେତେକ ପରାମର୍ଶ ଦିଆଯାଇଛି । ରବିବାର ରାତି ୯ଟା ବେଳେ ଜନସାଧାରଣ ନିଜ ନିଜ ଘରେ ଟିଭି, ରେଫ୍ରିଜିରେଟର ଓ ଏସି ଇତ୍ୟାଦି ଚାଲୁ ରଖିପାରିବେ । ସେହିପରି ରାସ୍ତାଘାଟ ଆଲୋକ ବ୍ୟବସ୍ଥା ସହ ହସ୍ପିଟାଲ୍ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ସଂସ୍ଥାଗୁଡ଼ିକରେ ବିଦ୍ୟୁତ ବ୍ୟବସ୍ଥା ଜାରି ରହିବ ବୋଲି କୁହାଯାଇଛି । ସେହିପରି ବିଭିନ୍ନ ହାଉସିଂ ସୋସାଇଟି/ ଆପାର୍ଟମେଣ୍ଟଗୁଡ଼ିକରେ ମେନ୍ ସୁଇଚ୍ ଅଫ୍ ନକରିବାକୁ ଅନୁରୋଧ କରାଯାଇଛି । ଜନସାଧାରଣ ସେଦିନ ରାତି ୯ଟା ୯ ମିନିଟ୍ ପରେ ନିଜ ଘରର ଆଲୁଅଗୁଡ଼ିକୁ ଅଳ୍ପ ସମୟ ବ୍ୟବଧାନରେ କ୍ରମେ କ୍ରମେ ସୁଇଚ୍ଗୁଡ଼ିକୁ ଅନ୍ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.