NATIONALNATIONAL NEWSNEWSTOP STORIES
୩୦୨ ଏନ୍ଜିଓର ମାନ୍ୟତା ରଦ୍ଦ କଲେ ସରକାର

ନୂଆଦିଲ୍ଲୀ, ୧୧ା୨ : କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍କୁ ଅବମାନନା କରି ବିଦେଶରୁ ଚାନ୍ଦା ଆଣୁଥିବା ଏନ୍ଜିଓଗୁଡିକରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛି । ଏହି ଏନ୍ଜିଓଗୁଡିକ ଉତ୍ତରପୂର୍ବ ଭାରତରେ ସକ୍ରିୟ ରହି ବିଦେଶରୁ ପ୍ରଚୁର ପରିମାଣର ଚାନ୍ଦା ଆଣୁଥିବା ଅଭିଯୋଗ ହେବା ପରେ ଏବେ କେନ୍ଦ୍ର ସରକାର ସେମାନଙ୍କ ଉପରେ ନଜର ରଖିଛନ୍ତି । ଦେଶର ତଦନ୍ତକାରୀ ସଂସ୍ଥାଗୁଡିକ ସନ୍ଦେହ କରୁଛନ୍ତି ଯେ, ଏହି ଏନ୍ଜିଓଗୁଡିକ ବିଦେଶରୁ ଟଙ୍କା ଆଣି ଦେଶବିରୋଧୀ କାମରେ ଲଗାଉଛନ୍ତି । ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଚାନ୍ଦା ଆଣୁଥିବା ୭୨ଟି ଏନ୍ଜିଓକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିବା ବେଳେ ୩୦୨ଟି ଏନ୍ଜିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏପରିକି ସେମାନଙ୍କ ମାନ୍ୟତାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରଦ୍ଦ କରିଦେବା ସହ ବେଆଇନ ଆର୍ଥିକ କାରବାରର ତଦନ୍ତ ପାଇଁ କମିଟି ଗଠନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ହେବ ଏହି ଏନ୍ଜିଓଗୁଡିକ ବିଦେଶରୁ ପ୍ରଚୁର ଟଙ୍କା ଆଣି ତାର ଅପବ୍ୟବହାର କରୁଛନ୍ତି । ଏପରିକି ରାଷ୍ଟ୍ର ବିରୋଧୀ କାମରେ ଏହାକୁ ବ୍ୟବହାର କରାଯାଉଥିବା ସନ୍ଦେହ କରାଯାଉଛି । ଏପରି ଅନେକ ମାମଲା ଜାମ୍ମୁକାଶ୍ମୀରରେ ନଜରକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଉତ୍ତରପୂର୍ବ ରାଜ୍ୟଗୁଡିକରେ ଏହି ଏନ୍ଜିଓମାନେ ଏହି ଟଙ୍କାର ଅପବ୍ୟବହାର କରୁଥିବା ନେଇ ଅଭିଯୋଗ ହେବା ପରେ ବିଦେଶୀ ଅନୁଦାନ ଅଧିନିୟମ ୨୦୧୧ର ଧାରା ୧୭(୧), ଅନ୍ତର୍ଗତ ସବୁ ସଂଗଠନ ଏବଂ ବେସରକାରୀ ସଂଗଠନ ଯେଉଁମାନେ ଏଫ୍ସିଆରଆର ୨୦୧୦ ଅଧିନରେ ପଞ୍ଜିକୃତ ହୋଇଛନ୍ତି ଅଥବା ତାଙ୍କୁ ଏହି ଅଧିନିୟମରେ ବିଦେଶି ଚାନ୍ଦା ନେବାକୁ ଅନୁମତି ପ୍ରଦାନ କରାଯାଇଛି ଗୁଇନ୍ଦା ବିଭାଗ ମଧ୍ୟ ସତର୍କ କରିଥିଲା ଯେ, ସାମାଜିକ ଏବଂ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏନ୍ଜିଓଗୁଡିକ ବିଦେଶୀ ଅନୁଦାନର ଅପବ୍ୟବହାର କରୁଛନ୍ତି । ଏହା ପରେ ସରକାର ଏହି ସଙ୍ଗଠନଗୁଡିକୁ କାରଣଦର୍ଶାଅ ନୋଟିସ ଜାରି କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଆସାମରେ ୬୪, ମଣିପୁରରେ ୧୫୪, ନାଗାଲାଣ୍ଡରେ ୩୩, ତ୍ରିପୁରାରେ ୭, ମେଘାଳୟରେ ୨୧, ମିଜୋରାମରେ ୧୨ ଏବଂ ଅରୁଣାଚଳ ପ୍ରଦେଶରେ ୧୧ଟି ଏନ୍ଜିଓର ମାନ୍ୟତା ରଦ୍ଦ କରାଯାଇଛି ।