fbpx

ହ୍ୱାଟ୍ସଆପର ନୂଆ କଟକଣା, ଜଣକରୁ ଅଧିକଙ୍କୁ ଫରୱାର୍ଡ କରିହେବନି ମାସେଜ୍

ନୂଆଦିଲ୍ଲୀ, ୭ା୪: ହ୍ୱାଟ୍ସଆପ୍ ଓ ଅନ୍ୟ ସୋସିଆଲ୍ ମିଡ଼ିଆରେ କରୋନା ଭାଇରସ୍କୁ ନେଇ ପ୍ରଚାର କରାଯାଉଥିବା ଗୁଜବ ଉପରେ ଅଙ୍କୁଶ ଲଗାଇବାକୁ ମଙ୍ଗଳବାର ହ୍ୱାଟ୍ସଆପ୍ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ହ୍ୱାଟ୍ସଆପ୍ ମାସେଜ୍ ଫରୱାଡିଂକୁ ସୀମିତ କରିଦେଇଛି । ତେଣୁ ହ୍ୱାଟ୍ସଅପ୍ ବ୍ୟବହାରକାରୀ ଏବେ ଗୋଟିଏ ମାସେଜ୍କୁ ଏକାଥରକେ ଏକାଧିକ ବ୍ୟକ୍ତିଙ୍କୁ ପଠାଇ ପାରିବେ ନାହିଁ । ଗୋଟେ ମାସେଜ୍କୁ ଥରକରେ କେବଳ ଜଣଙ୍କ ପାଖକୁ ପଠାଇହେବ । ତେବେ ଏହି ଫିଚର ଏକ ଅପଡେଟ୍ ପରେ ଆକ୍ଟିଭ୍ ହେବ । ଏହାପୂର୍ବରୁ ଗୋଟିଏ ମାସେଜ୍କୁ ୫ଜଣଙ୍କ ପାଖକୁ ପଠାଇବାର ବ୍ୟବସ୍ଥା ଥିଲା । କରୋନା ଭାଇରସ୍କୁ ନେଇ ସୋସିଆଲ୍ ମିଡ଼ିଆରେ ଅନେକ ପ୍ରକାରର ଗୁଜବ ଖବର ସେୟାର କରାଯିବା ପରେ ଏପରି ପଦକ୍ଷେପ ନିଆଯାଇଛି । ଏହି ଗୁଜବଗୁଡ଼ିକ ଟ୍ୱିଟର, ଗୁଗଲ୍ ଏବଂ ଫେସ୍ବୁକ୍ ଭଳି କମ୍ପାନୀଗୁଡ଼ିକ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଏହାକୁ ଧ୍ୟାନରେ ରଖି ଫେସ୍ବୁକ୍ର ଅଂଶବିଶେଷ କମ୍ପାନୀ ହ୍ୱାଟ୍ସଆପ୍ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି । ଏହାପୂର୍ବରୁ ଫେସ୍ବୁକ୍ ଗୁଜବ ଖବର ଉପରେ ଅଙ୍କୁଶ ଲଗାଇବା ପାଇଁ ଏପରି ପଦକ୍ଷେପ ନେଇ ଗୁଜବ ଖବରଗୁଡ଼ିକ ଉପରେ କଟକଣା ଲଗାଇ ସାରିଛି । ପ୍ରକାଶଯୋଗ୍ୟ, ବିଶ୍ୱରେ ୨ ଅରବରୁ ଅଧିକ ଲୋକ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି ।

Get real time updates directly on you device, subscribe now.