CRICKETSPORTSPORTSTOP STORIES

ହାଇଦ୍ରାବାଦକୁ ୩୯ ରନରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ହାଇଦ୍ରାବାଦ୍, ୧୪ା୪ : ଆଇପିଏଲ୍ର ୩୦ତମ ମ୍ୟାଚ୍ ତଥା ରବିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ସାମ୍ନାସାମ୍ନି ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ୍ ଓ ଶ୍ରେୟସ୍ ଆୟରଙ୍କ ନେତୃତ୍ୱାଧିନ ଦିଲ୍ଲୀ କ୍ୟାପିଟାଲ୍ସ । ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ୍କୁ ୩୯ ରନ୍ରେ ମାତ୍ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ୍ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୫ ରନ୍ କରିଥିଲା । ଏହାପରେ ୧୫୬ରନ୍ର ବିଜୟଲକ୍ଷ୍ୟ ନେଇ ସନରାଇଜର୍ସ ହାଇଦ୍ରାବାଦ୍ ପଡ଼ିଆକୁ ଓହ୍ଲାଇଥିବା ବେଳେ ୧୮.୫ ଓଭରରେ ୧୧୬ ରନ୍ କରି ଅଲଆଉଟ୍ ହୋଇଯାଇଛି । ଚଳିତ ଆଇପିଏଲ୍ରେ ସନରାଇଜର୍ସ ହାଇଦ୍ରାବାଦ୍ର ଏହା ଲଗାତର ତୃତୀୟ ପରାଜୟ ହୋଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ୨ ବର୍ଷ ପରେ ହାଇଦ୍ରାବାଦ୍ଠାରୁ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କଲିନ୍ ମୁନ୍ରୋ ୪୦ ଓ ଶ୍ରେୟସ୍ ଆୟର ୪୫ରନ୍ କରିଥିଲେ । ଫଳରେ ଦିଲ୍ଲୀର ସ୍କୋର ୭ ୱିକେଟ୍ ବିନିମୟରେ ୧୫୫ ରନ୍ରେ ପହଞ୍ଚି ପାରିଥିଲା । ହାଇଦ୍ରାବାଦ୍ ତରଫରୁ ଖଲିଲ୍ ଅହମଦ୍ ୪ ଓଭରରେ ୩୦ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଭୁବନେଶ୍ୱର କୁମାର ୪ ଓଭରରେ ୩୩ ରନ୍ ଦେଇ ୨ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଅଭିଷେକ ଶର୍ମା ଓ ରଶିଦ୍ ଖାନ୍ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ୧୫୬ ରନ୍ର ଟାର୍ଗେଟ ନେଇ ପଡ଼ିଆକୁ ବ୍ୟାଟିଂ ପାଇଁ ଓହ୍ଲାଇଥିବା ସନରାଇଜର୍ସ ହାଇଦ୍ରାବାଦ୍ ପକ୍ଷରୁ ଇନ୍ଫର୍ମ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ଯଥାକ୍ରମେ ୫୧ ଓ ୪୧ ରନ୍ କରିଥିଲେ ମଧ୍ୟ ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିପାରି ନଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କାଗିସୋ ରବାଡା ୩.୫ ଓଭରରେ ୨୨ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ କ୍ରିସ ମୋରିସ ୩ ଓଭରରେ ୨୨ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ସେହିପରି କିମୋ ପାଉଲ୍ ୪ ଓଭରରେ ୧୭ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିଲେ ।

Show More

Leave a Reply

Your email address will not be published. Required fields are marked *

Related Articles