NEWSODISHATOP STORIES

ଫୋନି କ୍ଷୟକ୍ଷତିର ସମୀକ୍ଷା ସାରିଲା କେନ୍ଦ୍ରୀୟ ଟିମ । ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା

ଭୁବନେଶ୍ୱର,୧୫/୫,(ଓଡିଶାଭାସ୍କର) : ବାତ୍ୟା ‘ଫୋନି’ର ସମୀକ୍ଷା କରିବା ପାଇଁ ଗତ ୧୨ ତାରିଖରୁ ଓଡିଶା ଗସ୍ତରେ ଆସିଥିବା ୧୧ ଜଣିଆ କେନ୍ଦ୍ରୀୟ ଟିମ ସମସ୍ତ ଅନୁଧ୍ୟାନ ସାରିଛନ୍ତି । ଫୋନି ପ୍ରଭାବିତ ଅଞ୍ଚଳ ଗସ୍ତ କରି ସେମାନେ ଲୋକଙ୍କ ପ୍ରକୃତ ସମସ୍ୟା ବୁଝିଛନ୍ତି ଏବଂ ଫୋନି ପୀଡିତଙ୍କ ସ୍ଥିତି ଅନୁଧ୍ୟାନ କରି ସାରିବା ପରେ ସେମାନେ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢୀ ଓ କିଛି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ତେବେ ଫୋନି ପ୍ରଭାବିତଙ୍କୁ ମନରେଗା ଯୋଜନା ମାଧ୍ୟମରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜ ଆଜି ସୂଚନା ଦେଇଛନ୍ତି । ଓଡିଶା ସରକାରଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ଅନ୍ୟପଟେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ, ପ୍ରାଥମିକ ଆକଳନ ଅନୁସାରେ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଏଲଟି ଓ ଏଚଟି ବିଦ୍ୟୁତ ଲାଇନ କ୍ଷୟକ୍ଷତି ଏସଡିଆରଏଫ ନିୟମାବଳୀ ଭିତରେ ଆସୁନାହିଁ । ମାତ୍ର ବିଦ୍ୟୁତ ଲାଇନ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି । ଅନ୍ୟପଟେ ମେ ମାସ ସୁଦ୍ଧା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ କେନ୍ଦ୍ରକୁ ଦିଆଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ସେହିଭଳି ଆଜିଠୁ ବାତ୍ୟା ବିପନ୍ନଙ୍କ ଅଞ୍ଚଳରେ ଘରଘର ବୁଲି ସର୍ଭେ ଆରମ୍ଭ ହୋଇଥିବା ବେଳେ କାମକୁ ତ୍ୱରିତ କରିବା ପାଇଁ ସରକାରୀ କର୍ମଚାରୀ ଓ ବେସରକାରୀ ସଂସ୍ଥା ମଧ୍ୟ ନିୟୋଜିତ ହୋଇଛନ୍ତି । କ୍ଷୟକ୍ଷତି ଆକଳନ ପରେ ସମସ୍ତ ସହାୟତା ଦିଆଯିବ ବୋଲି ସେ କହିଛନ୍ତି ।

Show More

Related Articles