ODISHATOP STORIES

ପାଇପ୍ ଲାଇନରୁ ଉଦ୍ଧାର ହେଲେ ପ୍ରାଣକୃଷ୍ଣ

ଜୀବନ ସତେ ଯେମିତି ଅଟକି ଯାଇଥିଲା ଗୋଟିଏ ଯାଗାରେ। ମୃତ୍ୟୁ ଠିଆ ହୋଇଥିଲା, ହେଲେ ନା ଜୀବନ ଯାଉଥିଲା ନା ପ୍ରାଣ ବଞ୍ଚିବାର ଆଶା ଥିଲା। ଭୟ ଆଉ ଆଶଙ୍କା ଭିତରେ ଗୋଟିଏ ପ୍ରକାର ପ୍ରାଣ ହରାଇ ବସିଥିଲେ ୭୦ବର୍ଷର ବୃଦ୍ଧ ପ୍ରାଣକୃଷ୍ଣ । ଦୀର୍ଘ ୭ ଘଣ୍ଟା ଧରି ଗଳଦ୍‌ଘର୍ମ ହୋଇ ପଡିଥିଲା ତାଙ୍କ ଶୀର୍ଣ୍ଣ ଶରୀର। ହେଲେ କଥାରେ ଅଛି ନା, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ।

ଆମେ କହୁଛୁ କଟକରେ ନାଳି ସଫେଇ କାର୍ଯ୍ୟରେ ନିୟୋଜିତ ବୃଦ୍ଧ ଦେଉଳସାହି ଅଞ୍ଚଳର ଶ୍ରମିକ ପ୍ରାଣକୃଷ୍ଣ ମୁଦୁଲିଙ୍କ କଥା। ଯିଏ ଆଜି ସକାଳେ ନାଳି ସେଫେଇ ବେଳେ ଅଣଓସାରିଆ ପାଣି ପାଇପ୍‌ ଭିତରେ ଫଶି ଯାଇଥିଲେ। ଘଟଣା ଜଣାପଡ଼ିବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଓଡ଼୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀ ସଙ୍ଗେସଙ୍ଗେ ଉଦ୍ୟମ ଆରମ୍ଭ କରିଥିଲେ। ସେ ଫସି ରହିଥିବା ପାଇପ ଉପରେ ଏକ କଂକ୍ରିଟ୍ ବିମକୁ କଟାଯିବା ପରେ ମୁଦୁଲିଙ୍କୁ ଉଦ୍ଧାର କରାଯାଇଛି। ସେ ଦୀର୍ଘ ୬ଘଣ୍ଟା କାଳ ପାଇପ୍ ଭତରେ ଗୋଟିଏ ମୁଦ୍ରାରେ ବସି ରହିଥଲେ। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ପ୍ରାଣକୃଷ୍ଣଙ୍କୁ ଡାକ୍ତରୀ ପରୀକ୍ଷା କରାଯିବା ସହ ସୁସ୍ଥ ରହିବା ଲାଗି ଅକ୍ସିଜେନ୍ ମାସ୍କ ଯୋଗାଇ ଦିଆଯିବା ସହ ପିଇବା ଲାଗି ପାଣି ଓ ଗ୍ଲୁକୋଜ ଦିଆଯାଇଥଲା ।

କଟାକଟି ବେଳେ ତାଙ୍କ ଆଖିରେ ଗୁଣ୍ଡ ନ ପଡ଼ିବା ଲାଗି କଳାଚଷମା ମଧ୍ୟ ଯୋଗାଇ ଦିଆଯାଇଥିଲା। ବିମ୍ କଟାଯିବା ପରେ ଗାତ ଭିତରକୁ ଏକ ଦଉଡି ପକାଟିବା ପରେ ସେ ନିଜେ ବାହାରକୁ ଆସିଥିଲେ।

ଆଜି ସକାଳେ କଟକ ପୋଲିସ ସିଗ୍ନାଲ ମୁଖ୍ୟାଳୟ ନିକଟ ପାଇପରେ ଫସିଯାଇଥିଲେ ପ୍ରାଣକୃଷ୍ଣ। ନାଳ ସଫା କରୁଥିବା ବେଳେ ପାଇପ ଭିତରକୁ ଠେଲି ହୋଇଯାଇଥିଲେ। ହଠାତ୍‌ ପାଣି ଖୋଲି ଦିଆଯିବାରୁ ଜଳସ୍ରୋତରେ ସେ ଠେଲି ହୋଇଯାଇଥିଲେ । ଉଦ୍ଧାର ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Show More

Leave a Reply

Your email address will not be published. Required fields are marked *

Related Articles