Uncategorized

ୟୁପିଏ ହରିଙ୍କୁ ହରାଇଲେ ଏନଡ଼ିଏ ହରି

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି I ଗୁରୁବାର ପୂର୍ବାହ୍ଣରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭୈଙ୍କୟା ନାଇଡ଼ୁ ଏହି ଘୋଷଣା କରିଛନ୍ତି । ଶାସକ ଏନଡ଼ିଏ ଓ ବିରୋଧୀ ମେଣ୍ଟ ମଧ୍ୟରେ ହୋଇଥିବା ଏହି ଶକ୍ତିପରୀକ୍ଷାରେ ଏନଡ଼ିଏ ପ୍ରାର୍ଥୀ ତଥା ଜନତା ଦଳ ଜେଡ଼ି (ୟୁ) ସାଂସଦ ହରିବଂଶ ନାରାୟଣ ସିଂହ ୟୁପିଏ ମେଣ୍ଟ ପ୍ରାର୍ଥୀ ତଥା କଂଗ୍ରେସ ସାଂସଦ ବିକେ ହରିପ୍ରସାଦଙ୍କୁ ୨୦ଟି ଭୋଟ ବ୍ୟବଧାନରେ ପରାସ୍ତ କରି ରାଜ୍ୟସଭାର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ତଥା ଜନତା ଦଳ (ୟୁ) ସାଂସଦ ହରିବଂଶ ନାରାୟଣ ସିଂହ ୧୨୫ଟି ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ବି.କେ.ହରିପ୍ରସାଦ ୧୦୫ଟି ଭୋଟ ପାଇଛନ୍ତି । ଅନ୍ୟପକ୍ଷରେ ନବନିର୍ବାଚିତ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇତିମଧ୍ୟରେ ଏନଡ଼ିଏନ ପ୍ରାର୍ଥୀ ହରିବଂଶଙ୍କୁ ବିଜେଡ଼ି ସମର୍ଥନ କରିଥିବା ଜଣାପଡ଼ିଛି । ସେପଟେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ସାଂସଦ ବି.କେ.ହରିପ୍ରସାଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ଏନସିପି ସାଂସଦ ବନ୍ଦନା ଚୋହ୍ୱାନଙ୍କୁ ପ୍ରାର୍ଥୀ କରିବାକୁ ଶରଦ ପାୱାର ଅନିଚ୍ଛା ପ୍ରକାଶ କରିବାରୁ ହରିପ୍ରସାଦଙ୍କୁ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇ ଉଠିଥିଲା । ବିଶେଷ କରି ଏହି ନିର୍ବାଚନରୁ ଆଗାମୀ ଲୋକସଭା ନିର୍ବାଚନ ସମୟରେ ଜାତୀୟ ମେଣ୍ଟ ନେଇ ସୂଚନା ମିଳିବ ବୋଲି ରାଜନୈତିକ ବିଶ୍ଲେଷକମାନେ ଅଙ୍କ କଷୁଥିଲେ । କଂଗ୍ରେସ ଦଳ ତାର ରାଜ୍ୟସଭା ସାଂସଦ ବି.କେ.ହରିପ୍ରସାଦଙ୍କୁ ଉପସଭାପତି ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ଘୋଷଣା କରିବା ପରେ ତାଙ୍କ ବିଜୟ ପାଇଁ ସମର୍ଥନ ଯୋଗାଡ଼ ନିମନ୍ତେ ତତ୍ପରତା ପ୍ରକାଶ କରିଥିଲା । ୬୪ ବର୍ଷୀୟ ହରିପ୍ରସାଦ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଅଛନ୍ତି । ଅନ୍ୟ ବିରୋଧୀ ଦଳ ଗୁଡ଼ିକ ସେମାନଙ୍କ ପ୍ରାର୍ଥୀ ଦେବାକୁ ମନା କରିବା ପରେ ଶେଷରେ କଂଗ୍ରେସ ଏହି ନିଷ୍ପତ୍ତି ନେଇଥିଲା । ଅପରପକ୍ଷେ ବିଜେପି ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ପ୍ରାର୍ଥୀ ନଦେଇ ଏନଡ଼ିଏ ସହଯୋଗୀ ଜେଡ଼ି (ୟୁ) ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରିଥିଲା । ରାଜ୍ୟସଭାରେ ବର୍ତ୍ତମାନ ବିଜେପି ସବୁଠାରୁ ବଡ଼ ଦଳ । ଏହାର ସଦସ୍ୟ ସଂଖ୍ୟା ୭୩ । ତା’ ପରେ କଂଗ୍ରେସ ସାଂସଦଙ୍କ ସଂଖ୍ୟା ରହିଛି ୫୦ । ସେହିପରି ତୃଣମୂଳ କଂଗ୍ରେସ, ଏଆଇଡିଏମକେ ଓ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ସଂଖ୍ୟା ୧୩ ଲେଖାଏଁ ରହିଥିବାବେଳେ ବିଜେଡ଼ିର ସଦସ୍ୟ ସଂଖ୍ୟା ୯ ରହିଛି । ଟିଆରଏସ ନିର୍ବାଚନରୁ ବିରତ ରହିଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close