Uncategorized

କେରଳରେ ବର୍ଷା ବନ୍ଦ୍, ସୁଧୁରୁଛି ସ୍ଥିତି

ଥିରୁଭନନ୍ଥପୁରମ୍ : କେରଳରେ ଦେଖାଦେଇଥିବା ଭୟାବହ ବନ୍ୟା ସ୍ଥିତିରେ ଶନିବାର ସାମାନ୍ୟ ସୁଧାର ଦେଖିବାକୁ ମିଳିଛି । ଚଳିତ ମାସ ୮ ତାରିଖରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଶନିବାର ଟିକେ କମ୍ ହେବାରୁ ବନ୍ୟା ପ୍ରଭାବିତ ଅଞ୍ଚଳବାସୀ ସାମାନ୍ୟ ଆସ୍ୱସ୍ଥ ହୋଇଛନ୍ତି । ଖାସ୍କରି ଏର୍ଣ୍ଣାକୁଲମ୍, ତ୍ରିସୁରରେ ବସବାସ କରୁଥିବା ହଜାର ହଜାର ଲୋକ ଶନିବାର ବର୍ଷା ନ ହେବାରୁ ସୁରକ୍ଷିତ ସ୍ଥାନକୁ ନିଜର ଜରୁରୀ ସାମଗ୍ରୀକୁ ସ୍ଥାନାନ୍ତର କରିଛନ୍ତି । ଲଗାଣ ବର୍ଷା ଫଳରେ କେରଳର ଅର୍ଦ୍ଧାଧିକ ଅଞ୍ଚଳ ପ୍ରଭାବିତ ହୋଇଛି । ରାଜ୍ୟର ସମସ୍ତ ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ଘଟିଛି । ଲଗାଣ ବର୍ଷାକୁ ଆଖି ଆଗରେ ରଖି ନଦୀଗୁଡ଼ିକରେ ଥିବା ସମସ୍ତ ଗେଟ୍କୁ ଖୋଲି ଦିଆଯାଇଛି । ଏହି ବନ୍ୟା ଫଳରେ ୫୪ ହଜାର ଲୋକ ବାସହରା ପାଲଟି ଯିବା ସହ ଶନିବାର ସୁଦ୍ଧା ୩୧ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ପିନରାଇ ବଜୟନ୍ ଶନିବାର ସକାଳୁ କେତେକ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ସର୍ଭେ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଏବଂ ଯେଉଁମାନଙ୍କ ଘରଦ୍ୱାର ପ୍ରଖର ସ୍ରୋତରେ ବହି ଯାଇଛି ସେହି ପରିବାରଗୁଡ଼ିକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରାଜ୍ୟର ବିଦ୍ୟୁତ ମନ୍ତ୍ରୀ ଏମ୍ଏମ୍ ମନୀ କହିଛନ୍ତି ଯେ, ଅନେକ ଅଞ୍ଚଳରେ ଶନିବାର ବର୍ଷା ହୋଇ ନାହିଁ । ଫଳରେ ସେହି ଅଞ୍ଚଳରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବିଦ୍ୟୁତ ସେବାକୁ ସୁଧାରି ବିଦ୍ୟୁତ ସଂଯୋଗ ଦେବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି । ଶୁକ୍ରବାର ଅପେକ୍ଷା ଶନିବାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ମଧ୍ୟ ସାମାନ୍ୟ କମ୍ ହୋଇଥିବା ଲକ୍ଷ୍ୟ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close