NATIONALTOP STORIES

ସମସ୍ତ ଭାରତୀୟ ଦେଶର କଲ୍ୟାଣ ଲାଗି ତତ୍ପର ହେବା ଆବଶ୍ୟକ : ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୪ା୮ : ୭୨ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ତ୍ରିରଙ୍ଗା ହେଉଛି ଆମ ଅସ୍ମିତାର ପ୍ରତୀକ । ରାଷ୍ଟ୍ର ଗୌରବର ଏହି ଅବସରରେ ରାଷ୍ଟ୍ରପତି ସମଗ୍ର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଆମେ ଏହି ଦିନ ଦେଶର ସାର୍ବଭୌମତ୍ୱର ଉତ୍ସବ ପାଳନ କରିଥାଉ ଏବଂ ନିଜ ପୂର୍ବପୁରୁଷମାନଙ୍କ ଯୋଗଦାନକୁ କୃତଜ୍ଞତାର ସହ ସ୍ମରଣ କରିଥାଉ । ଏହି ଦିନ ରାଷ୍ଟ୍ରନିର୍ମାଣରେ ବଳକା ରହିଥିବା କାର୍ଯ୍ୟକୁ ପୂରଣ କରିବାରେ ସଙ୍କଳ୍ପର ଦିନ ଅଟେ । ଯାହାକୁ ଆମ ଦେଶର ଯୁବପୀଢି ନିଶ୍ଚିତ ଭାବେ ପାଳନ କରିବେ । କୃଷକମାନଙ୍କ ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ ଯେ, କୃଷକମାନେ କୋଟି କୋଟି ଦେଶବାସୀଙ୍କ ଲାଗି ଖାଦ୍ୟଶସ୍ୟ ଯୋଗାଡ କରୁଛନ୍ତି । ସେମାନେ ଦେଶକୁ ଖାଦ୍ୟ ସୁରକ୍ଷା ଯୋଗାଇ ଆମ ସ୍ୱାଧୀନତାକୁ ବଳ ଯୋଗାଉଛନ୍ତି । ସେମାନଙ୍କୁ ଅଧିକା ସୁବିଧାସୁଯୋଗ ସହ ବିଜ୍ଞାନ ଉପକରଣ ଯୋଗାଇ ଦିଆଯିବା ଆବଶ୍ୟକ ବୋଲି ଶ୍ରୀ କୋବିନ୍ଦ ମତ ଦେଇଥିଲେ । ସେହିପରି ଦେଶର ଯବାନମାନେ ବରଫବୃତ୍ତ ପାହାଡରେ ଟାଣ ଖରାରେ ସାଗର ଏବଂ ଆକାଶରେ ପୂର୍ଣ୍ଣ ସାହସର ସହିତ ଦେଶର ସୁରକ୍ଷାରେ ସମର୍ପିତ ରହୁଛନ୍ତି । ସେମାନେ ବାହ୍ୟ ବିପଦରୁ ସୁରକ୍ଷା ପ୍ରଦାନ କରି ଆମ ସ୍ୱାଧୀନତାକୁ ସୁନିଶ୍ଚିତ କରୁଛନ୍ତି । ତେଣୁ ଏହି ଯବାନମାନଙ୍କୁ ଅଧିକ ସୁବିଧା ପ୍ରଦାନ କରାଗଲେ ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ପୂରଣ କରିବ ବୋଲି ସେ କହିଥିଲେ । ସେ କହିଥିଲେ ଦେଶରେ ପରିବର୍ତ୍ତନ ଓ ବିକାଶ ଦ୍ରୁତଗତିରେ ଆଗେଇ ଚାଲିଛି । ଏ କ୍ଷେତ୍ରରେ ମହିଳାମାନଙ୍କର ବିଶେଷ ଭୂମିକା ରହିଛି । ଅନେକ ନିଜ ନିଷ୍ପତ୍ତି ଅନୁସାରେ ସେମାନଙ୍କୁ ଜୀବନ ବିତାଇବା ଲାଗି ସ୍ୱାଧୀନତା ଯୋଗାଇ ଦିଆଯିବା ଉଚିତ୍ । ସେମାନେ ନିଜ ଢଙ୍ଗରେ ବଞ୍ôଚବାର ଏବଂ ନିଜ କ୍ଷମତାର ସମ୍ପୂର୍ଣ୍ଣ ଉପଯୋଗ କରିବାର ସୁରକ୍ଷିତ ବାତାବରଣ ଏବଂ ସୁଯୋଗ ମିଳିବା ଆବଶ୍ୟକ । ସେ କହିଥିଲେ ଆମର ନବ ଯୁବକ ଭାରତର ଆଶା ଏବଂ ଆକାଂକ୍ଷାର ମୂଳଦୂଆ । ସ୍ୱାଧୀନତା ସଂଗ୍ରାମରେ ଯୁବକମାନଙ୍କର ଭାଗିଦାରୀ ରହିଥିଲା । ଭାରତୀୟ ପରମ୍ପରାରେ ଦରିଦ୍ର ନାରାୟଣଙ୍କ ସେବାକୁ ସବୁଠାରୁ ଭଲ କାମ ବୋଲି କୁହାଯାଇଥାଏଶ । ତେଣୁ ମୋର ବିଶ୍ୱାସ ଆମେ ସମସ୍ତେ ଭାରତବାସୀ ସମାଜ ଏବଂ ଦେଶର କଲ୍ୟାଣଲାଗି ତତ୍ପରତା ସହିତ ଯୋଗଦାନ ଦେବା ଉଚିତ୍ । ସେ କହିଥିଲେ ଆମକୁ ଗାନ୍ଧିଜୀଙ୍କ ବିଚାରାଧାରାର ଗଭୀରତାକୁ ବୁଝିବା ପାଇଁ ପ୍ରୟାସ କରିବାକୁ ପଡିବ । ସେ ରାଜନୀତି ଏବଂ ସ୍ୱାଧୀନତାର ସୀମିତ ପରିଭାଷାକୁ ଗ୍ରହଣ କରୁନଥିଲେ । ସ୍ୱାଧୀନତା ଦିବସର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି । କିନ୍ତୁ ଏଥର ଏହି ଦିବସ ସହିତ ଏକ ଭଲ ପ୍ରସଙ୍ଗ ଯୋଡି ହୋଇରହିଛି । ଆଉ କିଛି ସପ୍ତାହ ପରେ ଅକ୍ଟୋବର ୨ ଠାରୁ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ଆରମ୍ଭ ହେବ । ଗାନ୍ଧିଜୀ କେବଳ ଆମ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇନଥିଲେ । ବରଂ ସେ ଆମର ନୈତିକ ପଥ ପ୍ରଦର୍ଶକ ଥିଲେ । ଭାରତର ରାଷ୍ଟ୍ରପତି ଭାବେ ମୁଁ ଆଫ୍ରିକୀୟ ଦେଶଗୁଡିକୁ ଯାତ୍ରା କରିବାର ସୁଯୋଗ ପାଇଛି । ବିଶ୍ୱରେ ପ୍ରତ୍ୟେକ ସ୍ଥାନରେ ଯେଉଁଠିକୁ ମୁଁ ଯାଇଛି ସମଗ୍ର ମାନବଜଗତର ଆଦର୍ଶ ରୂପରେ ଗାନ୍ଧିଜୀଙ୍କୁ ସମ୍ମାନର ସହିତ ସ୍ମରଣ କରାଯାଇଥାଏ । ତାଙ୍କୁ ଜୀବନ ଭାରତର ମୁକ୍ତିମନ୍ତ ପ୍ରତୀକ ରୂପରେ ଦେଖାଯାଇଥାଏ ।

Show More

Related Articles

Leave a Reply

Your email address will not be published. Required fields are marked *

Close