ODISHATOP STORIES

ସମ୍ଭାବ୍ୟ ବର୍ଷା ମୁକାବିଲା ପାଇଁ ପ୍ରସ୍ତୁତ ରୁହ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୮, (ଓଡ଼ିଶା ଭାସ୍କର) : ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ଏହାକୁ ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି । ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ପରିସ୍ଥିତିର ସମୀକ୍ଷା କରାଯିବା ସହ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଏହି ଅବସରରେ ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ଓଡ୍ରାଫ୍ ଓ ଏନ୍ଡିଆରଏଫ୍ ଟିମ୍କୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏହି ସୂଚନା ଦେବା ସହ କହିଛନ୍ତି ଯେ, ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ୮ଟି ଜିଲ୍ଲା ପୁରୀ, ନୟାଗଡ, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର, ବୌଦ୍ଧ, କଟକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସରକାରଙ୍କ ପକ୍ଷରୁ ସମସ୍ତ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସମୟରେ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ସମୟରେ ବିଜୁଳି ଓ ଘଡଘଡି ସହ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ନଯିବା ପାଇଁ ବାରଣ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close