NATIONALPOLITICSTOP STORIES

ପଞ୍ଚତତ୍ତ୍ୱ ରେ ବିଲୀନ ହେଲେ ପଦ୍ମଶ୍ରୀ ଅଟଳ

ନୂଆଦିଲ୍ଲୀ: ଅଟଳଜୀଙ୍କୁ ଅଶ୍ରୁଳ ବିଦାୟ ଦେଇଛି ଭାରତ । ପଂଚଭୂତରେ ବିଲୀନ ହୋଇଛନ୍ତି ମହାନ ଜନନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ସବୁ କିଛି ଛାଡି ଆଞ୍ଜୁଳାଏ ସ୍ନେହ, ମୁଠାଏ ମମତା, ଚେନାଏ ଆନ୍ତରିକତା ସହ ବିଦାୟ ନେଇଛନ୍ତି ବାଜପେୟୀ । ଅଟଳଜୀଙ୍କ ଶେଷଯାତ୍ରାରେ ପ୍ରଧାନମନ୍ତ୍ରୀଙ୍କ ସହ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସାର୍କ ରାଷ୍ଟ୍ରର ମୁଖ୍ୟ, ସେନାମୁଖ୍ୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ବରିଷ୍ଠ ଅତିଥିମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଭାରତର ଏହି ଜନଗଣଙ୍କ ନେତା ଶେଶ କୃତ୍ୟରେ ଦେଶର ସମସ୍ତ ବଡ ନେତା ଓ ମଣ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଅନ୍ତିମ ଯାତ୍ରାରେ ଲକ୍ଷାଧିକ ଜନତା ବିଦାୟ ଦେବାକୁ ସାମିଲ ହୋଇଥିଲେ । କେବଳ ଝିଅ ନମିତାଙ୍କ ଆଖିରୁ ଲୁହ ଝରୁନଥିଲା ବରିଷ୍ଠ ନେତା ମାନେ ମଧ୍ୟ ନିଜର କୋହ ସମ୍ଭାଳି ପାରିନଥିବା ଦେଖିବାକୁ ମିଳିଥିଲା ।

ବାଜପେୟୀଙ୍କ ପ୍ରାର୍ଥିବ ଶରୀରକୁ ବିଜେପି ମୁଖ୍ୟାଳୟରୁ ରାଜଘାଟ ସ୍ଥିତ ରାଷ୍ଟ୍ରୀୟ ସ୍ମୃତିସ୍ଥଳକୁ ନିଆଯାଇଥିଲା । ଶୋଭାଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ରାଷ୍ଟ୍ରୀୟ ସାଭପତି ଅମିତ ଶାହ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ଲକ୍ଷଲକ୍ଷ ଲୋକ ରାସ୍ତା କଡରେ ଉପସ୍ଥିତ ରହି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବିଜେପି ମୁଖ୍ୟାଳୟରୁ ସ୍ମୃତିସ୍ଥଳର ଦୂରତା ପ୍ରାୟ ୬ କିଲୋମିଟର । ଏହି ୬ କିଲୋମିଟର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅମିତ ଶାହ ଓ ଅନ୍ୟ ସମସ୍ତ ନେତା ଚାଲି ଚାଲି ସ୍ମୃତି ସ୍ଥଳରେ ପହଞ୍ଚିଥିଲେ ।
ସ୍ମୃତି ସ୍ଥଳରେ ପହଞ୍ଚିବା ପରେ ଅଟଳଜୀଙ୍କୁ ଜଣକ ପରେ ଜଣେ ମାନ୍ୟଗଣ ଅତିଥିଙ୍କ ସହ ବରିଷ୍ଠ ନେତା ଓ ପ୍ରିୟଜନମାନେ ପାର୍ଥୀବ ଶରୀର ଉପରେ ଫୁଲତୋଡା ଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ପ୍ରଥମେ ତିନି ସେନାର ମୁଖ୍ୟମାନେ ଅଟଳଜୀଙ୍କୁ ଫୁଲ ତୋଡା ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ଶୀତାରମଣ, ବିଜେପି ସଭାପତି ଅମିତ ଶାହ ପ୍ରମୁଖ ଫୁଲତୋଡା ମାଧ୍ୟମରେ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ମୃତି ସ୍ଥଳରେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ସମେତ ଦଳ ବଳ ନିର୍ବିଶେଷରେ ଅନେକ ରାଜନେତା ଉପସ୍ଥିତ ଥିଲେ ।

ସବୁ ନେତା ଓ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇସାରିବା ପରେ ଅଟଳଜୀଙ୍କ ଉପରେ ଘୋଡା ଯାଇଥିବା ତ୍ରିରଙ୍ଗାକୁ ତାଙ୍କ ନାତୁଣୀ ନିହାରିକାଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ତାଙ୍କର ପରିବାର ଲୋକ ପହଞ୍ଚି ଶେଷକୃତ୍ୟ ଆରମ୍ଭ କରିଥିଲେ । ହିନ୍ଦୁ ରୀତିନିତୀ ଅନୁଯାୟୀ ଅଟଳଜୀଙ୍କ ଶେଷକୃତ୍ୟ ଆରମ୍ଭ କରାଯାଇଥିଲା । ଶେଷକୃତ୍ୟ ସମାପନ ହେବା ସମୟରେ ତାଙ୍କୁ ତୋପ ସଲାମୀ ଦିଆଯାଇଛି । ଚନ୍ଦନକାଠରେ ତାଙ୍କ ମରଶରୀରକୁ ଦାହ କରାଯାଇଛି । ଅଟଳଜୀଙ୍କୁ ମୁଖାଗ୍ନି ଦେଇଥିଲେ ତାଙ୍କ ପାଳିତା ଝିଅ ନମିତା ଭଟ୍ଟାଚାର୍ଯ୍ୟ ।

ଏହି ମହାନାୟକଙ୍କ ଶେଷ ସଂସ୍କାର ବେଳେ ମଧ୍ୟ ଦେଖିବାକୁ ମିଳିଥିଲା ଶୁଭ ସଙ୍କେତ । ପ୍ରାର୍ଥିବ ଶରୀରରେ ଅଗ୍ନି ସଂଯୋଗ ବେଳେ ଶୂନ୍ୟରୁ ପୁଷ୍ପ ବୃଷ୍ଟି ହେଲା ଭଳି ଝିପି ଝିପି ବର୍ଷା ହୋଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close