NATIONALTOP STORIES

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ବାର୍ବରା ରାଓ ଗିରଫ

ପୁଣେ, ୨୮ା୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ସହ ଭିମା-କାରେଗାଁ ହିଂସାରେ ଜଡିତ ଥିବା ଅଭିଯୋଗରେ ପୋଲିସ ମାଓଚିନ୍ତକ ବର୍ବରା ରାଓଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି । ତାଙ୍କ ସହ ଅନ୍ୟ ୭ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୨ ଜଣ ସାମ୍ବାଦିକ ରହିଥିବା ବେଳେ ଜଣେ ପ୍ରଫେସର ରହିଛନ୍ତି । ଏହି ଘଟଣାରେ ବାମପନ୍ଥୀ ନେତା ଗୌତ୍ତମ ନବଲଖାଙ୍କୁ ପୋଲିସ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇ ପଚରାଉଚରା ଚଳାଇଛି । ଅନ୍ୟପକ୍ଷରେ ଗିରଫ ବର୍ବରାଙ୍କୁ ପୁଣେ ପୋଲିସ ହାଇଦ୍ରାବାଦ ଗାନ୍ଧି ହସ୍ପିଟାଲରେ ଚିକିତ୍ସା କରାଇବା ପରେ ନାମପେଲି ଅଦାଲତରେ ହାଜର କରାଇଥିଲା । ତାଙ୍କୁ ଅଦାଲତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛି । ଅନ୍ୟପକ୍ଷରେ ପୁଣେ ପୋଲିସ ଓ ସୁରକ୍ଷା ଏଜେନ୍ସୀ ପକ୍ଷରୁ ଦେଶର ବହୁ ବାମପନ୍ଥୀ ନେତାଙ୍କ ବାସଭବନରେ ଚଢଉ କରାଯାଇଛି । ଏହି ଚଢଉ ମହାରାଷ୍ଟ୍ର ସମେତ ଗୋଆ, ଦିଲ୍ଲୀ, ଫରିଦାବାଦ, ମୁମ୍ବାଇ, ରାଞ୍ôଚ, ହାଇଦ୍ରାବାଦରେ କରାଯାଇଛି । ଏହି ଚଢଉରେ ପୁଣେ ପୋଲିସ ସମେତ ସ୍ଥାନୀୟ ପୋଲିସ ଓ ସୁରକ୍ଷା ଏଜେନ୍ସୀ ସାମିଲ ହୋଇଛନ୍ତି । ତେବେ ବର୍ବରାଙ୍କୁ ଗିରଫ ସମୟରେ ପୋଲିସକୁ ନାକେଦମ୍ ହେବାକୁ ପଡିଥିଲା । ସ୍ଥାନୀୟ ଲୋକେ ଏ ନେଇ ପୋଲିସକୁ ଦୃଢ ବିରୋଧ କରିଥିଲେ । ଏପରିକି ପୋଲିସକୁ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶୀକାର ହେବାକୁ ପଡିଥିଲା । ଅନ୍ୟପକ୍ଷରେ ପୁଣେ ପୋଲିସ ପକ୍ଷରୁ ରାଜଧାନୀ ଦିଲ୍ଲୀର ଅନେକ ସ୍ଥାନରେ ମଧ୍ୟ ଚଢଉ କରାଯାଇଛି । ଦିଲ୍ଲୀରେ ପୋଲିସ ଗୌତ୍ତମ ନବଲଖାଙ୍କ ଘରେ ଚଢଉ କରିଛି । ତାଙ୍କ ଘରୁ କେତେକ ଲାପ୍ଟପ୍ ଓ ଜରୁରୀ କାଗଜପତ୍ର ଜବତ କରାଯାଇଛି । ଗିରଫଦାରୀ ପରେ ଗୌତ୍ତମଙ୍କୁ ସାକେତ କୋର୍ଟରେ ହାଜର କରାଯାଇଥିଲା । ସେହିପରି ଅରୁଣ ଫରୋରିଆଙ୍କ ଘରେ ମଧ୍ୟ ପୋଲିସ ଚଢଉ କରିଛି । ସେହିପରି ଦିଲ୍ଲୀର ବଦରପୁରରେ ଓକିଲ ଭରଦ୍ୱାଜଙ୍କୁ ପୋଲିସ ଅଟକ ରଖିବା ସହ ତାଙ୍କ ବାସଭବନରୁ ଏକ ଲାପ୍ଟପ୍ ସମେତ କେତେକ ପେନ୍ଡ୍ରାଇଭ୍ ଜବତ କରିଛି । ତାଙ୍କ ଝିଅ ଅନୁ ଭରଦ୍ୱାଜଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି । ଏପରିକି ଅନୁଙ୍କୁ ତାଙ୍କ ସୋସିଆଲ ମିଡିଆର ତଥ୍ୟ ମଗାଯାଇଥିବା ସୂଚନା ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close