HOCKEYODISHASPORTSPORTSTOP STORIES

ଏସିଆଡ୍ ପଦକ ବିଜେତା ୬ ହକି ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ୫ କୋଟି ପୁରସ୍କାର

ଭୁବନେଶ୍ୱର, ୧୦ା୯ (ଓଡ଼ିଶା ଭାସ୍କର) : ଚଳିତ ବର୍ଷ ଏସିଆଡରେ ଭାରତୀୟ ହକି ଦଳରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ଖେଳାଳୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି । ରୌପ୍ୟ ପଦକ ଜିତିଥିବା ମହିଳା ଟିମ୍ର ୪ ଜଣ ଓଡ଼ିଆ ଖେଳାଳୀଙ୍କୁ ପ୍ରତ୍ୟେକ ୧ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯାଇଥିବା ବେଳେ ବ୍ରୋଞ୍ଜ ପଦକ ଜିତିଥିବା ପୁରୁଷ ଟିମ୍ର ଦୁଇ ଜଣ ଓଡ଼ିଆ ଖେଳାଳୀଙ୍କୁ ପ୍ରତ୍ୟେକ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖେଳାଳୀମାନଙ୍କ ଉଲ୍ଲେଖନୀୟ କୃତୀତ୍ୱକୁ ପ୍ରଶଂସା କରି ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ପାଇଁ ଦେଶ ଓ ରାଜ୍ୟବାସୀ ଗର୍ବିତ ବୋଲି କହିଥିଲେ । ଭବିଷ୍ୟତରେ ସେମାନଙ୍କୁ ଆବଶ୍ୟକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୋଟିଏ ଟଙ୍କା ଲେଖାଏ ପୁରସ୍କାର ପାଇଥିବା ମହିଳା ଖେଳାଳୀମାନେ ହେଲେ ସୁନିତା ଲାକ୍ରା, ଲିଲିମା ମିଞ୍ଜ, ଦୀପଗ୍ରେସ ଏକ୍କା ଓ ନମିତା ଟପୋ । ସେହିପରି ପଚାଶ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ପାଇଥିବା ପୁରୁଷ ଖେଳାଳୀମାନେ ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ସୂଚନାଯୋଗ୍ୟ ଯେ, ୨୦୧୭ ବର୍ଷ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ପାଇଥିବା ଖେଳାଳୀ ସୁନିତା ଲାକ୍ରା ଓ ଅମିତ ରୋହିଦାସ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବେଳେ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ଆଜି ପୁରସ୍କାର ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଉଭୟ ଖେଳାଳୀଙ୍କୁ ପ୍ଲେୟାର ଅଫ୍ ଦି ଇୟର-୨୦୧୭ ଟ୍ରଫି, ମାନପତ୍ର ସହିତ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରିଥିଲେ । ଏସିଆଡ୍ରେ ଆଥଲେଟିକ୍ସରେ ଭାଗ ନେଇଥିବା ଖେଳାଳୀ ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମ୍ଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ସାଢେ ସାତ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କ୍ରୀଡ଼ା ଓ ଯୁବସେବା ସଚିବ ଏବଂ କ୍ରୀଡ଼ା ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *