BUSINESSODISHATOP STORIES

ଦିଲ୍ଲୀରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ ଏବଂ ଇନ୍ଭେଷ୍ଟର ମିଟ୍ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ କଲେ ଆମନ୍ତ୍ରଣ

ନୂଆଦିଲ୍ଲୀ, ୧୨ା୯ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିଲ୍ଲୀରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ’ରେ ଯୋଗ ଦେବା ସହ ଇନ୍ଭେଷ୍ଟର ମିଟ୍ରେ ଯୋଗଦେଇଛନ୍ତି । ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ସେ ଆହ୍ୱାନ ଜଣାଇଛନ୍ତି । ଦିଲ୍ଲୀର ଏକ ତାରକା ହୋଟେଲ୍ରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଦିଲ୍ଲୀ ନିବେଶକଙ୍କୁ ଆକୃଷ୍ଟ କରିବାକୁ ସେ ଭରପୁର ପ୍ରୟାସ କରିଥିଲେ । ରୋଡ୍ ସୋ’ରେ ପ୍ରାୟ ୩୦୦ ନିବେଶକ ଯୋଗ ଦେଇଥିଲେ । ପ୍ରାୟ ୧୦ ଜଣ ବଡ଼ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରିଛନ୍ତି ବୋଲି ଜଣାପଡିଛି । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଅନୁକୂଳ ପରିବେଶ ରହିଛି । ପୁଞ୍ଜିନିବେଶ ପାଇଁ ଓଡ଼ିଶା ହେଉଛି ଏକ ଉକ୍ରୃଷ୍ଟ ରାଜ୍ୟ । ବୁଧବାର ଦିଲ୍ଲୀରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା ରୋଡ୍ ଶୋ’ ଓ ଇନ୍ଭେଷ୍ଟର ମିଟ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମତ ପୋଷଣ କରିବା ସହ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଶିଳ୍ପପତିମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ସେ କହିଥିଲେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ ଥିବା ନିବେଶକଙ୍କୁ ସମସ୍ତ ଭିତ୍ତିଭୂମି ସହ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଟିମ୍ ୱାର୍କ , ଟେକ୍ନୋଲୋଜି ଓ ଟ୍ରାନ୍ସପରେନ୍ସି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଶ୍ରୀ ପଟ୍ଟନାୟକ କହିଥିଲେ ଆପଣମାନେ ଓଡ଼ିଶାରେ ଯଦି ପୁଞ୍ଜି ନିବେଶ କରିବେ ତେବେ ଓଡ଼ିଶା ନିଶ୍ଚିତ ଭାବେ ପୂର୍ବ ଭାରତର ମ୍ୟାନୁଫ୍ୟାକଚରିଂ ହବ୍ ପାଲଟିବ । ଏ ନେଇ ତାଙ୍କର ଦୃଢ ବିଶ୍ୱାସ ରହିଛି । ଏହାସହ ସେଠାରେ ଇନ୍ଭେଷ୍ଟ ଓଡ଼ିଶା େଓବ୍ସାଇଟ୍ର ମଧ୍ୟ ସେ ଉନ୍ମୋଚନ କରିଥିଲେ । ଏହି ରୋଡ୍ ଶୋ’ରେ ଦେଶ ଓ ବିଦେଶର ୧୦ରୁ ଅଧିକ ମୁଖ୍ୟ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପୁଞ୍ଜି ଖଟାଇବା ପାଇଁ ଆହ୍ୱାନ ଦେଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ତଥା ଓଡ଼ିଶାରେ ଶିଳ୍ପପ୍ରତିଷ୍ଠା କରିଥିବା କମ୍ପାନୀମାନେ ମୁଖ୍ୟମନ୍ତ୍ରୀଙ୍କ ଭୁରି ଭୁରି ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ମୋଟ ଆଲୁମିନିୟମ୍ ଉତ୍ପାଦନର ୫୪ ପ୍ରତିଶତ ଓଡ଼ିଶାରୁ ଯାଉଛି । ଏହି ରୋଡ୍ ଶୋରେ ଓଡ଼ିଶା ପକ୍ଷରୁ ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ, ଧାତବ କ୍ଷେତ୍ରରେ ଆନୁଷଙ୍ଗିକ କ୍ଷେତ୍ର, ବୟନଶିଳ୍ପ, ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନିଂ ଏବଂ ମ୍ୟାନୁଫ୍ୟାକଚରିଂ, ରସାୟନ, ପ୍ଳାଷ୍ଟିକ ଏବଂ ପେଟ୍ରୋକେମିକାଲ୍ସ ଭଳି ୬ଟି ପ୍ରମୁଖ କ୍ଷେତ୍ରରେ ନିବେଶ ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ସୂଚନା ପ୍ରଦାନ କରାଯିବ । ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୧୮କୁ ବିଭିନ୍ନ ରାଷ୍ଟ୍ରରୁ ନିବେଶକମାନଙ୍କୁ ଆକୃଷ୍ଟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି । ଆସନ୍ତା ନଭେମ୍ବର ମାସରେ ଓଡ଼ିଶାରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବ । ତାହା ପୂର୍ବରୁ ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସମେତ ବହୁ ବ୍ୟବସାୟୀ ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close