ODISHATOP STORIES

‘ସୁନ୍ଦରୀ’ ପାଟିରେ ଲାଗିଲା ମଣିଷ ରକ୍ତ

ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ

ଅନୁଗୋଳ, ୧୨ା୯, (ଓଡ଼ିଶା ଭାସ୍କର) : ମଧ୍ୟପ୍ରଦେଶର ବାନ୍ଧବଗଡ ଅଭୟାରଣ୍ୟରୁ ସାତକୋଶିଆ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ସୁନ୍ଦରୀ ପାଟିରେ ବୁଧବାର ମଣିଷ ରକ୍ତ ଲାଗିଛି । ସାତକୋଶିଆ ଅଭୟାରଣ୍ୟ ପରିସରରେ ଥିବା ହାତିବାଡି ଗାଁର ମହିଳା କୈଳାଶୀ ସାଏ ପୋଖରୀରେ ଗାଧୋଉଥିବା ବେଳେ ସୁନ୍ଦରୀ ତାଙ୍କୁ ଝାମ୍ପିନେଇ ମାରିଦେଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ କୈଳାଶୀ ଗାଧୋଉଥିବା ବେଳେ ବାଘୁଣୀ ପଛପଟୁ କୁଦାମାରି ତାଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇଯାଇଥିଲା । ଦୀର୍ଘ ସମୟ ଧରି କୈଳାଶୀ ଘରକୁ ନଫେରିବାରୁ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ପାଇନଥିଲେ । ପରେ ଲୋକେ ତାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଥିଲେ । ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ଲାଗିରହିବା ସହ ସ୍ଥାନୀୟ ଲୋକେ ଲଙ୍କାକାଣ୍ଡ ଭିଆଇଛନ୍ତି । ସେମାନେ ହାତୀବାରି ବିଟ୍ ହାଉସ୍ରେ ନିଆଁ ଲଗାଇଦେବା ସହ ଭଙ୍ଗାରୁଜା କରିଛନ୍ତି । ଏପରିକି ବନ କର୍ମଚାରୀଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ସୂଚନା ମିଳିବା ପରେ ପୋଲିସ, ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ନିୟମ ଅନୁଯାୟୀ କୈଳାଶୀଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ କୁହାଯାଇଛି ଯେ, ବାରମ୍ବାର ଦାବି ସତ୍ୱେ ବନବିଭାଗ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଏଭଳି ଅଘଟଣ ଘଟିଲା । ଆଗକୁ ଏପରି ହେଲେ ପରିସ୍ଥିତି ଅସମ୍ଭାଳ ହେବ ବୋଲି ପ୍ରଜା ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ଉଦ୍ଦେଶ୍ୟରେ ଗୋଟିଏ ବାଘ ଓ ଗୋଟିଏ ବାଘୁଣୀ ଛଡ଼ାଯାଇଥିଲା । ବାଘର ନାମ ମହାବୀର ରଖାଯାଇଥିବା ବେଳେ ବାଘୁଣୀର ନାମ ସୁନ୍ଦରୀ ରଖାଯାଇଛି । ତେବେ ଏହାକୁ ସାତକୋଶିଆ ଅଭୟାରଣ୍ୟ ପାଶ୍ୱବର୍ତ୍ତୀ ଗ୍ରାମର ଅଧିବାସୀମାନେ ବିରୋଧ କରିଆସୁଛନ୍ତି । ବାଘ ବାଘୁଣୀ ଆସିବା ଦିନ ଠାରୁ ସେମାନେ ଭୟ ଓ ଆତଙ୍କ ଭିତରେ ଦିନ କାଟୁଛନ୍ତି । ଏପରିକି ଜଙ୍ଗଲ ଭିତରକୁ ଯିବା ଅସମ୍ଭବ ହୋଇପଡିଥିବା ବେଳେ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଯିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ସଞ୍ଜ ହେଲେ ଲୋକଙ୍କ ଘରେ ତାଟିକବାଟ ପଡିଯାଉଛି । ଏପରିକି ଦିନବେଳେ ମଧ୍ୟ ଲୋକମାନେ ସାଙ୍ଗ ହୋଇ ହାତରେ ବାଡିଠେଙ୍ଗା ଧରି କାମ କରିବାକୁ ଯାଉଥିବା ଦେଖିବାକୁ ମିଳିଛି । ତେବେ ଏ ନେଇ ବନବିଭାଗର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Show More

Related Articles

Leave a Reply

Your email address will not be published. Required fields are marked *

Close