INTERNATIONAL NEWSTOP STORIES

ପଦାର୍ଥ ବିଜ୍ଞାନରେ ୩ଜଣଙ୍କୁ ମିଳିବ ନୋବେଲ୍

ଚଳିତ ବର୍ଷ ସାହିତ୍ୟରେ ଦିଆଯିବନି ନୋବେଲ୍

ଷ୍ଟକ୍ହୋମ୍, ୨।୧୦ : ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ୩ ଜଣଙ୍କୁ ନୋବେଲ ସମ୍ମାନରେ ସମ୍ମାନିତ କରାଯିବ । ଏ ନେଇ ମଙ୍ଗଳବାର ଘୋଷଣା କରା ଯାଇଛି । ଚଳିତବର୍ଷ ଫିଜିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୯୬ ବର୍ଷ ବୟସ୍କ ଆର୍ଥର ଆସ୍କିନ୍ ଏବଂ ଜେରାଦ୍ ମୌରାଉ ଏବଂ ଡୋନା ଷ୍ଟ୍ରିକ୍ଲାଣ୍ଡ ଯୋଡିଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯିବ । ତେବେ ମୌରାଉ ଓ ଡୋନା ଷ୍ଟ୍ରିକ୍ଲାଣ୍ଡ ଯୋଡିରୁ ଷ୍ଟ୍ରିକ୍ଲାଣ୍ଡ ଗତ ୫୫ ବର୍ଷରେ ପ୍ରଥମ ଥର ପାଇଁ ଜଣେ ମହିଳାଭାବେ ଏହି ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଛନ୍ତି । ତାଙ୍କ ପୂର୍ବରୁ ପ୍ରସିଦ୍ଧ ବୈଜ୍ଞାନିକ ମ୍ୟାରିକ୍ୟୁରି ୧୯୦୩ରେ ବିକିରଣ ପାଇଁ ଓ ମାରିଆ ଜିଓପ୍ରେଟ୍ ମାୟେର ୧୯୬୩ରେ ପରମାଣୁଗଠନ ପ୍ରଣାଳୀ ପାଇଁ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ । ସୋମବାର ଭେଷଜ କ୍ଷେତ୍ରରେ ୨ ଜଣଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ ନେଇ ଘୋଷଣା କରାଯାଇଥିଲା । ଭେଷଜ ଚିକିତ୍ସା କ୍ଷେତ୍ରରେ କ୍ୟାନସର ଥେରାପିର ଗବେଷଣା ପାଇଁ ଜେମ୍ସ ପି ଆଲିସନ୍ ଏବଂ ତାସୁକୁ
ହୋଞ୍ଜୋଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା । ତେବେ ଚଳିତବର୍ଷ ସାହିତ୍ୟ କ୍ଷେତ୍ରରେ କାହାକୁ ନୋବେଲ ପୁରସ୍କାର ଦିଆନଯିବା ନେଇ ଘୋଷଣା କରାଯାଇଛି । ବିଗତ ୭୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ଦିଆଯାଉନାହିଁ । ତେବେ ନୋବେଲ ପୁରସ୍କାର ପାଇଁ ଲମ୍ବା ଆଶାୟୀଙ୍କ ତାଲିକା ଦେଖି ନୋବେଲ ପୁରସ୍କାରରେ ରୁଚି ରଖୁଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଯେ, ଭୌତିକ, ଶାନ୍ତି ଓ ଅର୍ଥ ଶାସ୍ତ୍ରରେ କାହାକୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ତେବେ ସାହିତ୍ୟରେ ନୋବେଲ ପୁରସ୍କାର ଦିଆଯାଉନଥିବାରୁ ସମସ୍ତ ନଜର ଏବେ ଏହିସବୁ ବିଭାଗ ଉପରେ ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close