ODISHATOP STORIES

ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ, ବାତ୍ୟା କ୍ଷୟକ୍ଷତି ଯୋଗୁଁ ଚଳିତ ବର୍ଷ ପାଳିବେନି

ଭୁବନେଶ୍ୱର, ୧୬ା୧୦, (ଓଡ଼ିଶା ଭାସ୍କର) : ଆଜି ଅର୍ଥାତ ଅକ୍ଟୋବର ୧୬ ତାରିଖ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ତାଙ୍କୁ ୭୨ ପୁରି ୭୩ ଚାଲିଲା । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ସେ କଟକରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ପଟ୍ଟନାୟକ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ସଫଳ ରାଜନେତା ଭାବେ ସାରାଦେଶରେ ନିଜକୁ ପ୍ରତିପାଦିତ କରିବାରେ ସମର୍ଥ ହୋଇଛନ୍ତି । ଜଣେ ଅପରାଜେୟ ତଥା ଅଜାତଶତ୍ରୁ ନେତା ଭାବେ ଓଡ଼ିଶା ରାଜନୀତିରେ ନିଜ ଆସ୍ଥାନ ସୁଦୃଢ କରିବାରେ ସେ ସମର୍ଥ ହୋଇଛନ୍ତି । ନିଜର ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ତାଙ୍କୁ ଏହି ସଫଳତା ଆଣିଦେଇଥିବା ବେଳେ ବିକାଶକୁ ଆୟୁଧ କରି ସେ ରାଜ୍ୟବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ନମ୍ରତା ଓ ସରଳତା ତାଙ୍କ ଜୀବନର ମୂଳମନ୍ତ୍ର । ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ସାରାଦେଶରେ ଜଣେ ନିର୍ବିବାଦୀୟ ତଥା ଲୋକପ୍ରିୟ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । କେବଳ ଓଡ଼ିଶା ନୁହେଁ, ଜାତୀୟ ରାଜନୀତିରେ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଦେଶର ସର୍ବଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନିଜ ଆସନ ବଜାୟ ରଖିବାରେ ସେ ସଫଳ ହୋଇଛନ୍ତି । ଏବେ ବି ଉଭୟ କଂଗ୍ରେସ ଓ ବିଜେପି ଠାରୁ ସେ ସମଦୂରତ୍ୱ ରକ୍ଷା କରିଆସିଛନ୍ତି । ସେ କ୍ରମାଗତ ୪ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ସହ ରାଜନୀତିରେ ପ୍ରବେଶ କରିବା ଦିନୁ କୌଣସି ନିର୍ବାଚନରେ ପରାଜୟ ବରଣ କରିନାହାନ୍ତି । ତାଙ୍କର ଏକକ ନେତୃତ୍ୱ ବିକାଶମୂଳକ କାର୍ଯ୍ୟ ତାଙ୍କୁ ସବୁ କ୍ଷେତ୍ରରେ ସଫଳତା ଆଣିଦେଇଛି । ୨୧ ବର୍ଷର ରାଜନୈତିକ ଜୀବନରେ ସେ କେବେ ପରାଜୟର ସ୍ୱାଦ ଚାଖିନାହାନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏକ ରାଜନୈତିକ ପରିବାରରୁ ସେ ଆସିଥିଲେ ମଧ୍ୟ ରାଜନୀତିରେ ଧାର ଧରିନଥିଲେ । କିନ୍ତୁ ୧୯୯୭ ମସିହାରେ ରାଜନୀତିର ପରିଧି ଭିତରକୁ ଆସି ନିଜର ଏକ ସ୍ୱତନ୍ତ୍ର ଏକ ପରିଚୟ ହାସଲ କରିଛନ୍ତି । ଓଡ଼ିଶାର ବିକାଶ ପାଇଁ ସେ ବହୁ ବିକାଶମୂଳକ ତଥା ଲୋକ ହିତକର ଯୋଜନାମାନ ପ୍ରଣୟନ କରିଛନ୍ତି । ଟଙ୍କିକିଆ ଚାଉଳ ଠାରୁ ଆରମ୍ଭ କରି ଆହାରଯୋଜନା, ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା, ନିଜସ୍ୱ ଖାଦ୍ୟସୁରକ୍ଷା ଯୋଜନା ତଥା ମହିଳା ସଶକ୍ତିକରଣ କ୍ଷେତ୍ରରେ ବହୁ ଯୋଜନା ପ୍ରଣୟନ କରି ଓଡ଼ିଶାର ବିକାଶର ମାର୍ଗରେ ଆଗେଇ ନେବାରେ ସଫଳ ହୋଇଛନ୍ତି । ତେବେ ଚଳିତବର୍ଷ ମୁଖ୍ୟମନ୍ତ୍ରୀ ତିତ୍ଲି ବାତ୍ୟା ଓ ତତ୍ପରବର୍ତ୍ତୀ ବନ୍ୟା ପରିସ୍ଥିତି ପାଇଁ ନିଜର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସୋମବାର ସଚିବାଳୟରେ ସେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ତିତ୍ଲି ଓଡ଼ିଶାରେ ବ୍ୟାପକ ପ୍ରଭାବ ପକାଇଛି । ଲୋକେ ବିଭିନ୍ନ ଦୁସ୍ଥିତିର ସାମ୍ନା କରୁଛନ୍ତି । ଏବେ ବି ବହୁ ଲୋକ ଜଳବନ୍ଦୀ ହୋଇରହିଛନ୍ତି । ଏଭଳି ସ୍ଥିତିରେ ଜନ୍ମଦିନ ପାଳନ ପାଇଁ ସେ ଉଚିତ୍ ମଣୁନାହାନ୍ତି ବୋଲି କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close