NATIONALTOP STORIES

ଦାନ୍ତେୱାଡାରେ ମାଓବାଦୀଙ୍କ ବିସ୍ଫୋରଣ, ଯବାନ ସହିଦ, ୪ ମୃତ

ରାୟପୁର, ୮ା୧୧: ଛତିଶଗଡରେ ମାଓବାଦୀଙ୍କ ଦବ୍ଦବା ଏବେ ବି ଜାରିରହିଛି । ସେମାନେ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ଏହାକୁ ଭଣ୍ଡୁର କରିବା ନିମନ୍ତେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟାଇ ଚାଲିଛନ୍ତି । ତେବେ ଗୁରୁବାର ଛତିଶଗଡ ଦାନ୍ତେୱାଡା ବାଚେଲିରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଗଦଲପୁର ଗସ୍ତର ଗୋଟିଏ ଦିନ ପୂର୍ବରୁ ମାଓବାଦୀମାନେ ବାଚେଲିରେ ଏକ ବଡଧରଣର ବିସ୍ଫୋରଣ କରିଛନ୍ତି । ଏଥିରେ ଏକ ମିନିବସ୍ ସଂପୂର୍ଣ୍ଣରୂପେ ଧ୍ୱଂସ ପାଇଯିବା ସହ ଜଣେ ସିଆଇଏସଏଫ୍ ଯବାନ ସହିଦ ହୋଇଛନ୍ତି । ବସ୍ର ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନରଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୨ ଗୁରୁତର ଯବାନଙ୍କୁ ବାଚେଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ସିଆଇଏସ୍ଏଫ୍ ଯବାନମାନେ ଏକ ମିନିବସ୍ରେ ଗ୍ରୋସେରି ସାମଗ୍ରୀ ଧରି ଫେରୁଥିବାବେଳେ ମାଓବାଦୀମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ମିନିବସ୍ଟି ଖଣ୍ଡବିଖଣ୍ଡିତ ହୋଇ ଯାଇଥିଲା । ଏପରିକି ମୃତ୍ୟୁବରଣ କରିଥିବା ଯବାନ ଓ ଅନ୍ୟ ଲୋକମାନଙ୍କର ଶରୀର ଖଣ୍ଡଖଣ୍ଡ ହୋଇ ଏଣେତେଣେ ପଡି ରହିଥିଲା । ଏହି ଘଟଣା ପରେ ଏଠାରେ ଏକ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ବସ୍ତର ଆଇଜି ଭି. ସିଂ କହିଛନ୍ତି ଯେ, ମାଓବାଦୀମାନଙ୍କୁ ଧରିବା ପାଇଁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ତେବେ ଆସନ୍ତା ୧୨ ତାରିଖରେ ମାଓପ୍ରବଣ ଅଞ୍ଚଳଗୁଡିକରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସେ ସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଦଳେ ମାଓବାଦୀମାନେ ଆମ୍ବୁସ କରି ୩ ଜଣ ସିଆରପିଏଫ୍ ଯବାନଙ୍କୁ ଗୁଳିକରି ହତ୍ୟା କରିବା ସହ ଦିଲ୍ଲୀ ଦୂରଦର୍ଶନର ଓଡ଼ିଆ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କୁ ହତ୍ୟା କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close