CRICKETNEWSSPORTSPORTSTOP STORIES

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ହାରିଲା ଭାରତ

ବ୍ରିସ୍ବେନ୍, ୨୧ା୧୧ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଟି-୨୦ ସିରିଜ୍ର ପ୍ରଥମ ମୁକାବିଲାରେ ଭାରତ କଡାସଂଘର୍ଷ ସତ୍ୱେ ପରାଜୟବରଣ କରିଛି । ବର୍ଷା ପ୍ରଭାବିତ ଏହି ମ୍ୟାଚରେ ଭାରତ ପ୍ରତିପକ୍ଷ ଦଳ ଠାରୁ ଅଧିକ ରନ୍ କରିବା ସତ୍ୱେ ପରାଜୟ ଏଡ଼ାଇବାରେ ସଫଳ ହୋଇନଥିଲା । ଡକୱର୍ଥ ଲୁଇସ୍ ପଦ୍ଧତି ଅନୁସାରେ ଭାରତକୁ ୧୭ ଓଭରରେ ୧୭୪ ରନ୍ର ଟାର୍ଗେଟ୍ ମିଳିଥିଲା । ତେବେ ଭାରତୀୟ ଦଳ ୭ ୱିକେଟ୍ ବିନିମୟରେ ୧୬୯ ରନ୍ କରିବାରେ ସକ୍ଷମ ହୋଇଥିଲା । ଶେଷ ପର୍ଯ୍ୟନ୍ତ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବିଜୟ ପାଇଁ ସଂଘର୍ଷ କରିଥିଲେ ମଧ୍ୟ ବିଜୟ ଲକ୍ଷ୍ୟ ଠାରୁ ୪ ରନ୍ ପଛରେ ରହିଥିଲା । ଭାରତ ତରଫରୁ ଓପନର ଶିଖର ଧୱନ ମାତ୍ର ୪୨ ବଲ୍ରେ ୧୦ଟି ଚୌକା ଓ ୨ଟି ଛକା ସହ ସର୍ବାଧିକ ୭୬ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୭, କେ ଏଲ ରାହୁଲ ୧୩, ବିରାଟ କୋହଲି ୪, ରିସଭ ପନ୍ତ ୨୦, ଦିନେଶ କାର୍ତ୍ତିକ ୩୦, କୃଣାଳ ପାଣ୍ଡିଆ ୨, ଭୁବନେଶ୍ୱର କୁମାର ୧ ଓ କୁଲଦୀପ ଯାଦବ ୪ ରନ୍ର ଯୋଗଦାନ କରିଥିଲେ । ଅଷ୍ଟ୍ରେଲିଆ ତରଫରୁ ଆଡ଼ାମ୍ ଜାମ୍ପା ଓ ମାର୍କସ ଷ୍ଟଏନିସ୍ ୨ଟି ଲେଖାଏଁ ୱିକେଟ୍ ପାଇଥିବା ବେଳେ ଆଣ୍ଡ୍ରୁଟାଏ, ସ୍ତାନଲେକ୍ ଓ ବେହେରେନ୍ଡଫ୍ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ଧୱନ କ୍ରିଜ୍ରେ ରହିଥିବା ବେଳେ ଭାରତର ବିଜୟ ସହଜସାଧ୍ୟ ଜଣାପଡୁଥିଲା । ମାତ୍ର ତାଙ୍କ ୱିକେଟ ପତ୍ତନ ପରେ ଅଷ୍ଟ୍ରେଲିଆ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା । କାର୍ତ୍ତିକ ଓ ପନ୍ତ ଅନ୍ତିମ ମୁହୂର୍ତ୍ତରେ ମ୍ୟାଚ ରକ୍ଷା କରିବା ପାଇଁ ପ୍ରବଳ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୧୫.୫ ଓଭରରେ ୧୫୦ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା । ଏହା ପରେ ମ୍ୟାଚକୁ ୧୭ ଓଭର ଲେଖାଏଁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୧୭ ଓଭରରେ ୪ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା । ଦଳ ପକ୍ଷରୁ ଡିଆରକି ସର୍ଟ ୭, ଆରନ ଫିଞ୍ଚ୍ ୨୭, କ୍ରିସ୍ ଲିନ୍ ୩୭, ଗ୍ଳେନ୍ ମାକ୍ସୱେଲ ୪୬, ଷ୍ଟଏନିସ୍ ୩୩ ଓ ମ୍ୟାକ୍ ଡେମର୍ଟ ୨ ରନ୍ର ଯୋଗଦାନ କରିଥିଲେ । ଭାରତ ତରଫରୁ କୁଲଦୀପ ଯାଦବ ୨ଟି ୱିକେଟ୍ ପାଇଥିବା ବେଳେ ଯଶପ୍ରିତ୍ ବୁମରା ଓ ଖଲିଲ୍ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଶେଷରେ ଆଡ଼ାମ୍ ଯାମ୍ପା ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହି ସିରିଜ୍ର ଦ୍ୱିତୀୟ ଟି-୨୦ ଶୁକ୍ରବାର ମେଲବୋର୍ଣ୍ଣ ଠାରେ ଖେଳାଯିବ ।

Show More

Related Articles

Leave a Reply

Your email address will not be published. Required fields are marked *

Close