୨୦ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଭାରତ: ଯଶସ୍ୱୀ-ରାହୁଲଙ୍କ ଓପନିଂ ଯୋଡ଼ିଙ୍କ ନୂଆ ରେକର୍ଡ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ମାଟିରେ ଟେଷ୍ଟ ସିରିଜରେ ଶୋଚନୀୟ ଭାବେ ପରାଜୟ ବରଣ କରିବା ପରେ ଏବେ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ଉପରେ ସଭିଙ୍କ ନଜର ରହିଛି । ପ୍ରଥମ ଦିନରେ ଭାରତ ପ୍ରଥମ ଇନିଂସରେ ୧୫୦ ରନ୍ କର ବ୍ୟାଟିଂ ଦୁର୍ବଳତାର ପରିଚୟ ଦେଇଥିବା ବେଳେ ଅଷ୍ଟ୍ରେଲିଆ ମଧ୍ୟ ସମଦଶା ଭୋଗିଥିଲା । ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ୍ ହେବା ଫଳରେ ଭାରତ ପ୍ରଥମ ଇନିଂସରେ ୪୬ ରନରେ ଆଗୁଆ ରହିଥିଲା । ତେବେ ଅଷ୍ଟ୍ରେଲିଆର ପର୍ଥ ପିଚରେ କେବଳ ପେସରଙ୍କ ରାଜୁତି ଚାଲେ ବୋଲି ଯେଉଁ ଧାରଣା ରହିଥିଲା, ତାହାକୁ ଆଜି ଭୁଲ୍ ପ୍ରମାଣିତ କରିଛନ୍ତି ଭାରତୀୟ ଓପନର ।

ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ବିନା ୱିକେଟ ହରାଇ ୧୭୨ ରନ ସଂଗ୍ରହ କରିଛି । ଏହାଫଳରେ ବର୍ତ୍ତମାନ ସୁଦ୍ଧା ଟିମ୍ ଇଣ୍ଡିଆ୨୧୮ ରନରେ ଆଗୁଆ ରହିଛି । ଖେଳ ଆହୁରି ୩ ଦିନ ବାକି ରହିଥିବା ବେଳେ ଭାରତ ପାଖରେ ଆହୁରି ୧୦ଟି ୱିକେଟ ରହିଛି । ତେଣୁ ପ୍ରଥମ ଟେଷ୍ଟରେ ଭାରତ ଏକ ବଡ଼ ସ୍କୋର କରିପାରିଲେ ଅଷ୍ଟ୍ରେଲିଆକୁ ହରାଇବା ସହଜ ହୋଇଯିବ । ଆସନ୍ତାକାଲି ଯଦି ଟିମ୍ ଇଣ୍ଡିଆ ଦିନ ସାରା ବ୍ୟାଟିଂ ଜାରି ରଖିପାରିବ, ତେବେ ତାହା ଭାରତ ପାଇଁ ଫାଇଦା ହୁଅନ୍ତା । ତେବେ ଏହି ଟେଷ୍ଟରେ ଭାରତ ଏକ ବଡ଼ ରେକର୍ଡ କରିଛି । ଦୀର୍ଘ ୨୦ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ଦୁଇ ଦଶନ୍ଧି ପରେ ଅଷ୍ଟ୍ରେଲିଆରେ କୌଣସି ଭାରତୀୟ ଯୋଡ଼ି ଶତକୀୟ ପାର୍ଟନରଶିପ୍ କରିପାରିଛନ୍ତି । ଏହା ପୂର୍ବରୁ ୨୦୦୩ ଓ ୨୦୦୪ରେ ବିରେନ୍ଦ୍ର ସେହୱାଗ ଓ ଆକାଶ ଚୋପ୍ରା ଅଷ୍ଟ୍ରେଲିଆ ଗସ୍ତରେ ମେଲବର୍ଣ୍ଣ ଓ ସିଡନୀ ଟେଷ୍ଟରେ ଶତକୀୟ ଭାଗିଦାରୀ କରିଥିଲେ । ଦୁହେଁ ମେଲବର୍ଣ୍ଣରେ ୧୪୧ ଓ ସିଡନରେ ୧୨୩ ରନର ପାର୍ଟନରଶିପ୍ କରିଥିଲେ । ତା’ପରେ ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଶର୍ମା ଓ ଶୁବମନ ଗିଲ ୭୨ ରନର ପାର୍ଟନରଶିପ କରିଥିଲେ, ଯାହାକି ସବୁଠାରୁ ବଡ଼ ଓପନିଂ ଭାଗିଦାରୀ ରହିଥିଲା ।