fbpx

ବର୍ଷା ଓ ବଜ୍ରପାତକୁ ନେଇ ୧୦ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ରାତି ୮ଟା ୩୦ ସୁଦ୍ଧା ବର୍ଷା ଓ ବଜ୍ରପାତକୁ ନେଇ ୧୦ଜିଲ୍ଲାକୁ ସାବଧାନ କରିଛି ପାଣିପାଗ ବିଭାଗ । ୧୦ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ମୟୁରଭଞ୍ଜ, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ଭଦ୍ରକ, ବାଲେଶ୍ୱର ଓ ଯାଜପୁର । ଏହି ସବୁ ଜିଲ୍ଲାଗୁଡ଼ିକରେ ବର୍ଷା ସହ ବଜ୍ରପାତର ହେବାର ଆଶଙ୍କା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ବଙ୍ଗୋପସାଗରରେ ଏକ ଲଗୁଚାପ ସୃଷ୍ଟି ହୋଇଛି । ଦକ୍ଷିଣ ଆଣ୍ଡାମାନ ସାଗରକୁ ଲାଗି ସୃଷ୍ଟି ହୋଇଛି ଏହି ଲଘୁଚାପ । ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ୧୬ତାରିଖ ସନ୍ଧ୍ୟା ସୁଦ୍ଧା ଏହି ଲଘୁଚାପ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ୧୭ତାରିଖ ବେଳକୁ ଉତ୍ତର-ପୂର୍ବ ଦିଗକୁ ମୁହାଁଇବା ସମ୍ଭାବନା ରହିଛି । ଏହାସହ ୪୮ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ମଧ୍ୟ ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ବଙ୍ଗୋପ ସାଗରର କେନ୍ଦ୍ରୀୟ ଭାଗରେ ଅବପାତର ରୂପ ନେବା ସମ୍ଭାବନା ରହିଛି । ଆଗାମୀ ୫ଦିନ ଯାଏଁ ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ନଥିଲେ ମଧ୍ୟ ୧୫ତାରିଖରୁ ମତ୍ସୀଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.