fbpx

(Video) ଭାରତ ଇତିହାସରେ ପ୍ରଥମ: ରେଲୱେରେ ଚାକିରି ପାଇଲେ ଦଶ ମାସର ଶିଶୁ

ମାଲକାନଗିର,(ଓଡ଼ିଶା ଭାସ୍କର): ଦଶମାସର ଜଣେ ନିଷ୍ପାପ ଶିଶୁକୁ ରେଳବାଇରେ ମିଳିଛି ନିଯୁକ୍ତିପତ୍ର । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଛତିଶଗଡ଼ ରାଜ୍ୟରେ ଏଭଳି ନିଯୁକ୍ତି ନେଇ ଏବେ ଚର୍ଚ୍ଚା । ଶିଶୁଟିର ପିତାମାତା ଏକ ସଡ଼କ ଦୁର୍ଘଟଣାରେ ଆରପାରିକୁ ଚାଲିଯିବା ପରେ ପୁନଃ ବସତି ଯୋଜନାରେ ରେଳବାଇ ପକ୍ଷରୁ ଏହି ଅନାଥ ଶିଶୁ କନ୍ୟାକୁ ଏଭଳି ନିଯୁକ୍ତିପତ୍ର ମିଳିଛି । ଏହାକୁ କେହି କେହି ବିରଳ ନିଯୁକ୍ତି ବୋଲି ମଧ୍ୟ ଚର୍ଚ୍ଚା କରୁଛନ୍ତି । ଗୋଟିଏ ପଟେ ଶିଶୁର ଚାକିରିନେଇ ଚର୍ଚ୍ଚା, ଅନ୍ୟପଟେ ଏଭଳି ନିଯୁକ୍ତି ପଛରେ ରହିଥିବା ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛି ।

ସୂଚନାଯୋଗ୍ୟ, ରାଜେନ୍ଦ୍ର କୁମାର ଯାଦବ ନେଇ ଭିଲାଇରେ ରେଳବାଇରେ ପିପି ୱାର୍ଡରେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ । ଚୋରଡାରେ ସରକାରୀ ବାସଗୃହରେ ସେ ରହୁଥିଲେ । ତେବେ ସେ ଗତ ଜୁନ୍ ୧ ତାରିଖ ଦିନ ମୋଟର ସାଇକଲ ଯୋଗେ ନିଜ ପତ୍ନୀ ମଞ୍ଜୁଲତାଙ୍କ ସହ ଭିଲାଇ ଯାଉଥିବାବେଳେ ଏକ ରାସ୍ତା ଦୁର୍ଘଟଣାରେ ଏହି ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା । ସୌଭାଗ୍ୟବଶତଃ ୧୦ ମାସର ଶିଶୁକନ୍ୟା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲା । ତାକୁ ସେଠାରୁ ଉଦ୍ଧାର କରାଯାଇଥିଲା ।

ଏହାପରେ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳ ବିଭାଗ ଘଟଣାକୁ ଗୁରୁତର ସହ ନେଇ ଏକ ସ୍ୱତନ୍ତ୍ର ବୋର୍ଡ ଦ୍ୱାରା ରେଳବାଇ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରି ୧୦ ମାସର ଅନାଥ ଶିଶୁ କନ୍ୟାର ଲାଳନପାଳନ ପାଇଁ ପୁନଃବସତି ଯୋଜନାରେ ଚାକିରି ଦେବାକୁ ଜୁଲାଇ ୪ ତାରିଖରେ ନିଷ୍ପତ୍ତି ନେଇଥିଲା । ବୋର୍ଡର ଅନୁମୋଦନ ପରେ ଜୁଲାଇ ୭ତାରିଖ (ଗୁରୁବାର ଦିନ) ତାଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା ।

କୁନି ଶିଶୁକନ୍ୟାକୁ ନେଇ ନିଜର ସମ୍ପର୍କୀୟ ରେଳବାଇ ବିଭାଗ ନିକଟକୁ ଆସିଥିଲେ । ପରେ ନିୟମ ମୁତାବକ ନିଯୁକ୍ତିପତ୍ରରେ ଶିଶୁକନ୍ୟାର ଟିପଚିହ୍ନ ନିଆଯାଇଥିଲା । ଶିଶୁଟିକୁ ୧୮ବର୍ଷ ହେବା ଯାଏଁ ସେ ତା’ର ସମ୍ପୂର୍ଣ୍ଣ ଦରମା ପାଇବ ଏବଂ ୧୮ବର୍ଷ ପରେ ତାକୁ ରେଳବାଇ ବିଭାଗରେ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦିଆଯିବ ବୋଲି ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱତନ୍ତ୍ର ଶିଶୁ ବିକାଶ ସଂସ୍ଥା ଏବଂ ତାଙ୍କ ସମ୍ପର୍କୀୟ ଶିଶୁଟିର ଲାଳନପାଳନ କରିବେ ଏବଂ ଦରମା ବ୍ୟାଙ୍କ ଜମା ଖାତାରେ ରହିବ ବୋଲି ଜଣାପଡ଼ିଛି । ଭାରତୀୟ ରେଳବାଇ ଇତିହାସରେ ଏତେ ଛୋଟ ଶିଶୁକୁ ନିଯୁକ୍ତି ମିଳିବା ଘଟଣା ପ୍ରଥମ ବୋଲି ଜଣାପଡ଼ିଛି ।

ତେବେ ନିଯୁକ୍ତି ତଥା ପୁନଃବସତି ଯୋଜନା ଅନ୍ତର୍ଗତ କାଗଜପତ୍ରରେ ଏତେ ଛୋଟ ଶିଶୁ କନ୍ୟାଟିର ଟିପ ଚିହ୍ନ ନେବା ବିଭାଗୀୟ ଅଧିକାରୀଙ୍କୁ କଷ୍ଟକର ହୋଇଥିଲା । ଚିପ ଚିହ୍ନ ଲଗାଇବାବେଳକୁ ଶିଶୁଟି ବାରମ୍ବାର କାନ୍ଦିବା ସହ ହାତ ଛାଟୁଥିବାରୁ କିଛି ସମୟ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା ବୋଲି ଜଣେ ରେଳ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.