fbpx

ଏଣିକି ଗରିବ ପିଲା ପଢ଼ିପାରିବେ ଇଞ୍ଜିନିୟରିଂ ପାଠ: ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସାଧାରଣ ଗରିବ ପରିବାରର ପିଲାମାନେ ଇଞ୍ଜିନିୟରିଂ ପାଠ ପଢ଼ି ପାରିବେ । ଚଳିତ ଶିକ୍ଷା ୨୦୨୨-୨୩ରୁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ । ଯେଉଁ ପିଲାଙ୍କ ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ କମ୍ ହୋଇଥିବ ଓ ୫ ଏକର ବା ତା’ଠାରୁ ଅଧିକ ଜମି ନଥିବ ସେମାନେ ଏହିସବୁ ସୁବିଧା ପାଇପାରିବେ । ୨୦୨୨-୨୩ ଶିକ୍ଷାବର୍ଷରେ ଓଜେଇଇ ପକ୍ଷରୁ ଚାଲିଥିବା ଆଡମିସନ ପ୍ରକିୟାରେ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ଛାତ୍ରଛାତ୍ରୀଙ୍କ ପାଇଁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏହାପୂର୍ବରୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗର ପିଲାମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିଲା । ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ଅନୁମୋଦନ କ୍ରମେ ଓଜେଇଇ ସଂରକ୍ଷଣ ଅନୁଯାୟୀ କାଉନସେଲିଂ କରିବ । ଯେଉଁ ଛାତ୍ରଛାତ୍ରୀ ଏସସି, ଏସଟି କିମ୍ବା ଓବିସି ହୋଇଥିବେ ସେମାନେ ଏହି ସୁବିଧା ପାଇବେ ନାହିଁ ।

ଇଡବ୍ଲ୍ୟୁଏସ ସାର୍ଟିଫିକେଟ ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ତହସିଲ ଅଫିସରେ ଆପ୍ଲାଏ କରିବାକୁ ପଡ଼ିବ । ସମସ୍ତ ତଥ୍ୟକୁ ଯାଞ୍ଚ କରିବା ପରେ ତହସିଲଦାର କିମ୍ବା ଅତିରିକ୍ତ ତହସିଲଦାର ଏହି ପ୍ରମାଣପତ୍ର ପ୍ରଦାନ କରିବେ । କାଉନସେଲିଂ ସମୟରେ ଛାତ୍ରଛାତ୍ରୀଙ୍କୁ ଇଡବ୍ଲ୍ୟୁଏସ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ତେବେ ପ୍ରଥମ ଥର ପାଇଁ ସମସ୍ତ ଟେକ୍ନିକାଲ ଓ ପ୍ରଫେସନାଲ କୋର୍ସରେ ସାଧାରଣ ବର୍ଗର ଇଡବ୍ଲ୍ୟୁଏସ ପିଲାଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବା ଓଜେଇଇ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି ।

Get real time updates directly on you device, subscribe now.