୩୦୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୧୦୯ ମୃତ

ରବିବାର ଅନ୍ତର୍ଜାତୀୟ ପ୍ରବାସୀ ସହାୟତା ସଂସ୍ଥା (IOM) କହିଛି ଯେ, ଜିବୁତିରୁ ୟେମେନ ଯାଉଥିବା ଏକ ଡଙ୍ଗା ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ସମୁଦ୍ରରେ ବୁଡ଼ିଯାଇଥିଲା।

ସାନା (ୟେମେନ): ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବାରୁ ଅତି କମ୍‌ରେ ୧୦୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୫ ଜଣ ଶିଶୁ ଅଛନ୍ତି। ଡଙ୍ଗାରେ ମୋଟ ୩୦୫ ଜଣ ଯାତ୍ରୀ ଥିଲେ। ଅନ୍ତର୍ଜାତୀୟ ପ୍ରବାସୀ ସହାୟତା ସଂସ୍ଥା (IOM) ରବିବାର ଏହି ସୂଚନା ଦେଇଛି।

IOM ଅନୁଯାୟୀ, ଗତ ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ଜିବୁତିରୁ ୟେମେନ ଯାଉଥିବା ସମୟରେ ଡଙ୍ଗାଟି ବୁଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ୫୨ ଜଣ ପୁରୁଷ, ୪୨ ଜଣ ମହିଳା ଓ ୧୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ୮୦ରୁ ଅଧିକ ଲୋକ ଏହି ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି।

IOM କହିଛି ଯେ, ଆଫ୍ରିକାର ହର୍ଣ୍ଣ ଅଞ୍ଚଳରୁ ହଜାର ହଜାର ପ୍ରବାସୀ ଜିବୁତି ଦେଇ ବାବ୍‌ ଏଲ୍‌-ମାନ୍ଦେବ୍‌ ସମୁଦ୍ର ପଥ ଅତିକ୍ରମ କରି ଉପସାଗରୀୟ ଦେଶଗୁଡ଼ିକୁ ଯାଆନ୍ତି। ସୁରକ୍ଷା ଓ ଭଲ ରୋଜଗାରର ସୁଯୋଗ ଖୋଜି ସେମାନେ ଏହି ବିପଜ୍ଜନକ ଯାତ୍ରା କରନ୍ତି। ୟେମେନରେ ହିଂସା ଜାରି ରହିଥିଲେ ମଧ୍ୟ ପ୍ରବାସୀଙ୍କ ଯାତ୍ରା ବନ୍ଦ ହୋଇନାହିଁ।

ଜିବୁତିରେ IOM ମିଶନ୍‌ ମୁଖ୍ୟ ଆଲେକ୍‌ଜାଣ୍ଡର କୋଇସାକ୍‌ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା ଏବଂ ବହୁ ଜୀବନ ହାନି ହୋଇଛି। ଭଲ ରୋଜଗାରର ସୁଯୋଗ ଖୋଜି ଏହି ପଥରେ ଯାତ୍ରା କରୁଥିବା ପ୍ରବାସୀମାନେ କେତେ ବିପଦର ସମ୍ମୁଖୀନ ହେଉଛନ୍ତି, ଏହି ଘଟଣା ତାହା ମନେ ପକାଇ ଦେଉଛି।

ଅନ୍ୟପଟେ, ଯୁଦ୍ଧଗ୍ରସ୍ତ ୟେମେନରୁ ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ଲୋହିତ ସାଗର ଅତିକ୍ରମ କରି ଜିବୁତିକୁ ପଳାଉଛନ୍ତି। ଆଗକୁ ଆହୁରି ଅନେକ ୟେମେନ ନାଗରିକ ଡଙ୍ଗାରେ ସମୁଦ୍ର ପାର୍‌ ହେବାକୁ ପ୍ରସ୍ତୁତ ହେଉଥିବା ଜାତିସଂଘର ପ୍ରବାସୀ ସହାୟତା ସଂସ୍ଥା ଚେତାବନୀ ଦେଇଛି। ବର୍ତ୍ତମାନ ୨,୦୦୦ରୁ ଅଧିକ ୟେମେନ ନାଗରିକ ଜିବୁତିରେ ରହୁଛନ୍ତି। ସେଠାକାର ସରକାର ଓ IOM ସେମାନଙ୍କୁ ଖାଦ୍ୟ ଏବଂ ରହିବା ପାଇଁ ସ୍ଥାନ ଯୋଗାଇ ଦେଉଛନ୍ତି।

ୟେମେନର ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତ ସରକାର ଓ ସାଉଦି ଆରବ ଗତ ୧୨ ବର୍ଷ ଧରି ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ସହ ଲଢ଼େଇ କରୁଛନ୍ତି।

ସପ୍ତାହାନ୍ତରେ ସାଉଦି ଆରବ ଓ ତାହାର ସହଯୋଗୀ ୟେମେନ ସେନା ବଡ଼ ଧରଣର ସ୍ଥଳ ଓ ବାୟୁ ଆକ୍ରମଣ ଆରମ୍ଭ କରିବା ପରେ ସଂଘର୍ଷ ଆହୁରି ତୀବ୍ର ହୋଇଛି। ପ୍ରାୟ ଏକ ମାସ ପୂର୍ବରୁ ହୁତି ବିଦ୍ରୋହୀମାନେ ଦଖଲ କରିଥିବା ୟେମେନର ପଶ୍ଚିମ ଲୋହିତ ସାଗର ଉପକୂଳ ଓ ବାବ୍‌ ଏଲ୍‌-ମାନ୍ଦେବ୍‌ ପ୍ରଣାଳୀ ନିକଟ ଅଞ୍ଚଳକୁ ପୁଣି ଦଖଲ କରିବା ଏହି ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ।

ବାବ୍‌ ଏଲ୍‌-ମାନ୍ଦେବ୍‌ ଏକ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ। ଏହା ବିଶ୍ୱରେ ଜାହାଜ ଚଳାଚଳ ଓ ବାଣିଜ୍ୟ ପାଇଁ ଏକ ପ୍ରମୁଖ ମାର୍ଗ। ହର୍ମୁଜ୍‌ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଇରାନ ଯୁଦ୍ଧ ଯୋଗୁଁ ପୂର୍ବରୁ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଲୋହିତ ସାଗର ଓ ବାବ୍‌ ଏଲ୍‌-ମାନ୍ଦେବ୍‌ ଅଞ୍ଚଳରେ ବଢ଼ୁଥିବା ସଂଘର୍ଷ ଆଞ୍ଚଳିକ ସୁରକ୍ଷା ସହ ବିଶ୍ୱ ବାଣିଜ୍ୟ ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଛି।

ଗତ ଜୁଲାଇରୁ ହୁତି ବିଦ୍ରୋହୀମାନେ ସାଉଦି ଆରବକୁ ଲକ୍ଷ୍ୟ କରି ଆକ୍ରମଣ କରୁଛନ୍ତି। ଜାତିସଂଘର କହିବା ଅନୁଯାୟୀ, ଏହି ସଂଘର୍ଷ ଯୋଗୁଁ ୟେମେନ ଭିତରେ ୨ ଲକ୍ଷରୁ ଅଧିକ ଲୋକ ନିଜ ଘର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ଗତ ମାସରେ ହୁତି ବିଦ୍ରୋହୀମାନେ ଲୋହିତ ସାଗରର ପଶ୍ଚିମ ଉପକୂଳର ସମସ୍ତ ଅଞ୍ଚଳକୁ ଦଖଲ କରିଥିବା ଖବର ଆସିଥିଲା। ଏହାକୁ ଗତ କିଛି ବର୍ଷ ମଧ୍ୟରେ ସବୁଠୁ ଭୟଙ୍କର ସଂଘର୍ଷ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଥିଲା।

ୟେମେନ ସରକାର ହୁତି ବିଦ୍ରୋହୀଙ୍କ ଦଖଲରେ ଥିବା ସମସ୍ତ ଅଞ୍ଚଳକୁ ପୁଣି ନିଜ ନିୟନ୍ତ୍ରଣକୁ ଆଣିବାକୁ ଘୋଷଣା କରିଛି। ଏଥିପାଇଁ ସାଉଦି ଆରବ ନିଜ ସହଯୋଗୀ ଦେଶଗୁଡ଼ିକର ସହାୟତା ଲୋଡ଼ିଛି। ସାଉଦି ଆରବ ଆମେରିକାକୁ ମଧ୍ୟ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲା। କିନ୍ତୁ ହୁତି ବିଦ୍ରୋହୀମାନେ ଏହି ଅଞ୍ଚଳରେ ଆମେରିକାର ସମ୍ପତ୍ତି ଓ ସ୍ୱାର୍ଥକୁ ଆକ୍ରମଣ ନକରିବାକୁ ଆଶ୍ୱାସନା ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମାନଙ୍କ ଉପରେ ଆକ୍ରମଣ କରିବାକୁ ମନା କରିଥିଲେ।
ତେବେ ଟ୍ରମ୍ପ ସାଉଦି ଆରବକୁ ୨୪.୩ ବିଲିୟନ ଡଲାର ମୂଲ୍ୟର ୪୮ଟି F-35 ଯୁଦ୍ଧ ବିମାନ ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।