fbpx

ନିଦ୍ରାହୀନତା, ଦିନରେ ଶୋଇବା ଓ ଘୁଙ୍ଗୁଡ଼ି ମାରିବା ଅଭ୍ୟାସ ପାଇଁ ଚାଲିଯାଇପାରେ ଆପଣଙ୍କ ଦୃଷ୍ଟିଶକ୍ତି: ଗ୍ଲୁକୋମାର ଶିକାର ହେବେ ବିଶ୍ୱର ୧୧.୨ କୋଟି ଲୋକ-ରିସର୍ଚ୍ଚ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଜ୍ଞାନ ଯେତିକି ଆଗକୁ ଯାଉଛି, ମାନବ ସଭ୍ୟତା ଆଗରେ ସେହି ଅନୁପାତରେ ନୂଆ ନୂଆ ସମସ୍ୟା ଉଭା ହେବାରେ ଲାଗିଛି । ଦିନକୁ ଦିନ ବିଶ୍ୱର ଜଳବାୟୁରେ ପରିବର୍ତ୍ତନ ଘଟୁଥିବା ବେଳେ ମଣିଷ ସମାଜ ପାଇଁ ଉପକାରୀ ସାବ୍ୟସ୍ତ ହେଉଥିବା ନାନା ପ୍ରଜାତିର ଜୀବଜନ୍ତୁ ଲୋପ ପାଇ ଯାଉଛନ୍ତି । ବାୟୁ ପ୍ରଦୂଷଣ କାରଣରୁ ମଣିଷ ଶରୀରରେ ହୃଦରୋଗ ପରି ଅନେକ ବିମାରୀ ଦେଖାଦେଉଛି । ସେହିପରି ମଣିଷର ଲାଇଫଷ୍ଟାଇଲ କାରଣରୁ ତା’ର ଆଖି ପ୍ରଭାବିତ ହେବ ବୋଲି ଏକ ରିସର୍ଚ୍ଚରୁ ଜଣାପଡ଼ିଛି ।

ରାତିରେ ପର୍ଯ୍ୟାପ୍ତ ନିଦ୍ରା ନଯିବା, ଦିନରେ ନିଦ୍ରା ଯିବା, ଘୁଙ୍ଗୁଡ଼ି ମାରିବା ଆଦି ଆମର ଆଖି ଉପରେ ପ୍ରଭାବ ପକାଉଛି । ଦୀର୍ଘସମୟ ଧରି ଏହି ସମସ୍ୟା ଲାଗି ରହିବା ଫଳରେ ଗ୍ଲୁକୋମା ବା କଳା ମୋତିଆବିନ୍ଦୁ ହେବାର ଆଶଙ୍କା ରହିଛି । ଏହାର ଚିକିତ୍ସା ଠିକ୍ ସମୟରେ ନକଲେ ମଣିଷ ଦୃଷ୍ଟିହୀନତାର ଶିକାର ହେବାର ସମ୍ଭାବନା ରହିଛି । ଗ୍ଲୁକୋମା କାରଣରୁ ଆଖିର ଦୃଷ୍ଟିଶକ୍ତି ଚାଲିଯାଇଥାଏ, ଯାହାକି ପୁନର୍ବାର ଫେରେ ନାହିଁ ।

ଗବେଷକଙ୍କ ମତରେ, ଏହି ବିମାରୀ ଯେ କୌଣସି ବୟସର ଲୋକଙ୍କୁ ସଂକ୍ରମିତ କରିପାରେ । ପୁରୁଷ ବୟସ୍କ, ଧୂମ୍ରପାନକାରୀଙ୍କ କ୍ଷେତ୍ରରେ ଏହା ଏକ ସାଧାରଣ ସମସ୍ୟା । ବିଏମଜେ ମୁକ୍ତ ପତ୍ରିକାରେ ଏ ବାବଦରେ ତଥ୍ୟ ପ୍ରକାଶିତ ହୋଇଛି । ବ୍ରିଟନର ବାୟୋବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏହି ରିସର୍ଚ୍ଚରେ ୪ ଲକ୍ଷଙ୍କ ଡାଟାକୁ ସାମିଲ କରାଯାଇଥିଲା । ୨୦୧୦ଠାରୁ ୨୦୨୧ ଅବଧି ମଧ୍ୟରେ ୪୦ରୁ ୬୯ ବର୍ଷୀୟ ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା । ୮୬୯୦ ଜଣ ଲୋକଙ୍କ ଠାରେ ଗ୍ଲୁକୋମା ମାମଲା ରହିଥିବା ଦେଖାଯାଇଥିଲା । ସୁସ୍ଥ ନିଦ୍ରା ଯାଉଥିବା ଲୋକଙ୍କ ତୁଳନାରେ ଦିନରେ ନିଦ୍ରା ଯାଉଥିବା ଓ ଘୁଙ୍ଗୁଡ଼ି ମାରୁଥିବା ଲୋକଙ୍କ କ୍ଷେତ୍ରରେ ଗ୍ଲୁକୋମା ଆଶଙ୍କା ୧୧ ପ୍ରତିଶତ ବୃଦ୍ଧି ପାଇଥିଲା । ସୁନିଦ୍ରା ନ ନେଲେ ଏହାର ନକାରାତ୍ମକ ପ୍ରଭାବ ନିଷ୍ପତ୍ତି ନେବା କ୍ଷମତା, ସ୍ୱଭାବ, ଶିଖିବାର କ୍ଷମତା, ସ୍ମରଣଶକ୍ତି ଉପରେ ପଡ଼ିପାରେ । ତେବେ ଆସନ୍ତା ୨୦୪୦ ସୁଦ୍ଧା ବିଶ୍ୱରେ ୧୧.୨ କୋଟି ଲୋକ ଗ୍ଲୁକୋମାର ଶିକାର ହେବେ ବୋଲି ରିସର୍ଚ୍ଚରମାନେ ଆଶଙ୍କା କରିଛନ୍ତି । ଗ୍ଲୁକୋମା ଆଖି ଠାରୁ ବ୍ରେନକୁ ସଂଯୋଗ କରୁଥିବା ଆପ୍ଟିକ ତନ୍ତ୍ରିକାକୁ ପ୍ରଭାବିତ କରିଥାଏ । ଆଖିର ପ୍ରକାଶ ସମ୍ବେଦନଶୀଳ କୋଷିକାଗୁଡ଼ିକର କ୍ଷରଣ ଏଥିରୁ ହୋଇଥାଏ । ଠିକ୍ ସମୟରେ ଚିକିତ୍ସା ନକଲେ ଗ୍ଲୁକୋମାର ରୋଶନୀ ସବୁଦିନ ପାଇଁ ଚାଲିଯାଇପାରେ ।

Get real time updates directly on you device, subscribe now.