fbpx

ଆସନ୍ତା ୪ ବର୍ଷ ମଧ୍ୟରେ ଦେଶରେ ନିର୍ମାଣ ହେବ ୧୧୨ଟି ମେଡିକାଲ କଲେଜ, ଓଡ଼ିଶାରେ ୮ଟି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅନେକ ପ୍ରଶ୍ନ ଉଠୁଛି । କୋଭିଡ୍ ମହାମାରୀ ସମୟରେ ଦେଶର ଖରାପ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ସାମ୍ନାକୁ ଆସିଥିଲା । ତେବେ ଏନେଇ କେନ୍ଦ୍ର ସରକାର ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମିର ବୃଦ୍ଧି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶରେ ମେଡିକାଲ କଲେଜ ସଂଖ୍ୟା ବଢ଼ାଇବାକୁ ଯୋଜନା କରୁଛି ।

ମନ୍ତ୍ରଣାଳୟ ମୁତାବକ, ଆସନ୍ତା ଚାରି ବର୍ଷ ମଧ୍ୟରେ ଦେଶରେ ବିଭିନ୍ନ ସ୍ଥାନରେ ମେଡିକାଲ କଲେଜ ସ୍ଥାପନ କରାଯିବ । ଏଥିପାଇଁ ୧୧୨ଟି ଜିଲ୍ଲାକୁ ଚୟନ କରାଯାଇ ସେହି ଅଞ୍ଚଳରେ ମେଡିକାଲ କଲେଜ ନିର୍ମାଣ କରାଯିବ । ମେଡିକାଲ କଲେଜ ନିର୍ମାଣ ହେଲେ ଦେଶରେ ମେଡିକାଲ ସିଟ୍ ବଢ଼ିବା ସ୍ୱାଭାବିକ । ଏହାଫଳରେ ନିଟ୍ ପରୀକ୍ଷା ଦେବା ପରେ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବାରେ ନେଇ ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି ମିିଳବ । ଏଥିପାଇଁ କେନ୍ଦ୍ର ସରକାର ୩୬ ହଜାର କୋଟି ଖର୍ଚ୍ଚ କରିବେ ।

ଯେଉଁଠାରେ ଜନସଂଖ୍ୟା ୧୦ ଲକ୍ଷରୁ ଅଧିକ ରହିଥିବ, ଉକ୍ତ ଜିଲ୍ଲାମାନଙ୍କରେ ମେଡିକାଲ କଲେଜ ସ୍ଥାପନ କରାଯିବ । ଏହାଛଡ଼ା ସେହି ଅଞ୍ଚଳରେ କୌଣସି ସରକାରୀ କି ପ୍ରାଇଭେଟ ମେଡିକାଲ ରହିଛି କି ନା ସେନେଇ ଦୃଷ୍ଟି ଦିଆଯିବ । ତେବେ ନୂଆ ମେଡିକାଲ କଲେଜ ସ୍ଥାପନ ପରେ ଦେଶରେ ଏମବିବିଏସ ମେଡିକାଲ କଲେଜ ସିଟ ସଂଖ୍ୟା ୧୧ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ।

ବର୍ତ୍ତମାନ ଦେଶରେ ୩୩୨ଟି ସରକାରୀ ମେଡିକାଲ କଲେଜ ରହିଥିବା ବେଳେ ଅଣ୍ଡରଗ୍ରାଜୁଏଟ କୋର୍ସ ପାଇଁ ୪୮,୦୧୨ଟି ସିଟ୍ ରହିଛି । ଏହାଛଡ଼ରେ ଦେଶରେ ୨୯୦ଟି ଘରୋଇ କଲେଜ ମଧ୍ୟ ରହିଛି । ସେଥିରେ ମୋଟ ୪୩,୯୧୫ଟି ସିଟ୍ ରହିଛି । ସରକାରୀ ଓ ଘରୋଇ କଲେଜର ମୋଟ ପୋଷ୍ଟ ଗ୍ରାଜୁଏଟ ସିଟ୍ ୬୦,୨୦୨ ରହିଛି ।

ତେବେ ୧୧୨ଟି ପ୍ରସ୍ତାବିତ ମେଡିକାଲ କଲେଜ ବିଭିନ୍ନ ରାଜ୍ୟରେ ନିର୍ମାଣ କରାଯିବ । ମଧ୍ୟପ୍ରଦେଶରେ ୨୧ଟି, ଉତ୍ତରପ୍ରଦେଶରେ ୧୪ଟି, ବିହାରରେ ୧୪ଟି, ଝାଡ଼ଖଣ୍ଡରେ ୧୦ଟି, ହରିୟାଣାରେ ୮ଟି, ଓଡ଼ିଶାରେ ୮ଟି, ଆସାମରେ ୮ଟି, ମହାରାଷ୍ଟ୍ରରେ ୬ଟି, ଛତିଶଗଡ଼ରେ ୪ଟି, ପଞ୍ଜାବରେ ୪ଟି, ଦିଲ୍ଲୀରେ ୨ଟି, ଗୁଜରାଟରେ ୨ଟି, ରାଜସ୍ଥାନରେ ୨ଟି, ତାମିଲନାଡ଼ୁ, କେରଳ ଓ ପଶ୍ଚିମବଙ୍ଗରେ ୧ଟି ଲେଖାଏଁ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.