ପାକିସ୍ତାନରେ ରକ୍ତାକ୍ତ ସେପ୍ଟେମ୍ବର! ଆତଙ୍କୀ ହିଂସାରେ ୫୪୫ ମୃତ

ପିଆଇସିଏସ୍‌ଏସ୍‌ର ତଥ୍ୟ ଅନୁସାରେ, ଅଗଷ୍ଟରେ ୧୯୯ଟି ଆକ୍ରମଣ ହୋଇଛି। ତେବେ ସେପ୍ଟେମ୍ବରରେ ଆକ୍ରମଣ ୧୩ ପ୍ରତିଶତ ବୃଦ୍ଧି ପାଇଛି। ଲଗାତାର ତୃତୀୟ ମାସରେ ହିଂସା ବଢ଼ିବା ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି

ଇସଲାମାବାଦ: ପାକିସ୍ତାନରେ ବିଗୁଡ଼ୁଛି ସୁରକ୍ଷା ସ୍ଥିତି। ସେନା ମୁଖ୍ୟ ଅସୀମ ମୁନିରଙ୍କ କଠୋର ଆଭିମୁଖ୍ୟ ସତ୍ତ୍ୱେ ବିଦ୍ରୋହୀ ଗୋଷ୍ଠୀଙ୍କ ଆକ୍ରମଣ ଥମିବାର ନାଁ ନେଉନାହିଁ। ବରଂ ସେପ୍ଟେମ୍ବରରେ ଆତଙ୍କୀ ଆକ୍ରମଣ ଗତ ୧୨ ବର୍ଷର ରେକର୍ଡ ଭାଙ୍ଗିଛି। ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଫର କନ୍‌ଫ୍ଲିକ୍ଟ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ (ପିଆଇସିଏସ୍‌ଏସ୍‌) ପକ୍ଷରୁ ଜାରି ମାସିକ ତଥ୍ୟ ଅନୁସାରେ, ସେପ୍ଟେମ୍ବରରେ ଦେଶରେ ମୋଟ ୨୨୫ଟି ଆକ୍ରମଣ ରେକର୍ଡ କରାଯାଇଛି। ଏହି ହିଂସାରେ ଅତି କମ୍‌ରେ ୫୪୫ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ପିଆଇସିଏସ୍‌ଏସ୍‌ର ତଥ୍ୟ ଅନୁସାରେ, ଅଗଷ୍ଟରେ ୧୯୯ଟି ଆକ୍ରମଣ ହୋଇଛି। ତେବେ ସେପ୍ଟେମ୍ବରରେ ଆକ୍ରମଣ ୧୩ ପ୍ରତିଶତ ବୃଦ୍ଧି ପାଇଛି। ଲଗାତାର ତୃତୀୟ ମାସରେ ହିଂସା ବଢ଼ିବା ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ସେପ୍ଟେମ୍ବର ୨୨ ତାରିଖରେ ସେନା ମୁଖ୍ୟ ଅସୀମ ମୁନିର ଆତଙ୍କବାଦକୁ ପରାସ୍ତ କରିବା ପାଇଁ ସଶସ୍ତ୍ର ବାହିନୀର ସଂକଳ୍ପ ଦୋହରାଇଥିଲେ। କିନ୍ତୁ ସେହି ମାସର ଆକ୍ରମଣ ଓ ମୃତାହତଙ୍କ ସଂଖ୍ୟା ସୁରକ୍ଷା ପରିସ୍ଥିତିକୁ ଜଟିଳ କରିଛି।

ସେପ୍ଟେମ୍ବରରେ ହୋଇଥିବା ୨୨୫ଟି ଆକ୍ରମଣରେ ୨୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪୨ ଜଣ ଆହତ ହୋଇଥିବା ପିଆଇସିଏସ୍‌ଏସ୍ ରିପୋର୍ଟରେ ଉଲ୍ଲେଖ ରହିଛି। ଅଗଷ୍ଟରେ ହୋଇଥିବା ଆକ୍ରମଣରେ ୧୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୧ ଜଣ ଆହତ ହୋଇଛନ୍ତି। ଏହାର ତୁଳନାରେ ସେପ୍ଟେମ୍ବରରେ ମୃତ୍ୟୁ ସଂଖ୍ୟା ୬୪ ପ୍ରତିଶତ ଓ ଆହତଙ୍କ ସଂଖ୍ୟା ୩୪ ପ୍ରତିଶତ ବଢ଼ିଛି। ଏହି ମାସରେ ୧୦୩ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି।

କେବଳ ଆକ୍ରମଣ ନୁହେଁ, ଅପହରଣ ଘଟଣା ମଧ୍ୟ ବଢ଼ିଛି। ସେପ୍ଟେମ୍ବରରେ ଚରମପନ୍ଥୀ ଘଟଣାରେ ୭୨ ଜଣଙ୍କୁ ଅପହରଣ କରାଯାଇଥିବା ବେଳେ ଅଗଷ୍ଟରେ ଏହି ସଂଖ୍ୟା ୪୨ ଥିଲା। ଗତ ଦଶନ୍ଧି ମଧ୍ୟରେ ଏହା ଗୋଟିଏ ମାସରେ ରେକର୍ଡ ହୋଇଥିବା ସର୍ବାଧିକ ଅପହରଣ ସଂଖ୍ୟା ବୋଲି ପିଆଇସିଏସ୍‌ଏସ୍ କହିଛି।

ସେପ୍ଟେମ୍ବରରେ ତିନୋଟି ଆତ୍ମଘାତୀ ଆକ୍ରମଣ ହୋଇଛି। ଏଥିରୁ ଦୁଇଟି ଯାନବାହନ ବ୍ୟବହାର କରାଯାଇଛି। ଏହି ଆକ୍ରମଣରେ ୪୫ ଜଣଙ୍କ ମୃତ୍ୟୁ ଓ ୧୩୮ ଜଣ ଆହତ ହୋଇଥିବା ତଥ୍ୟରେ କୁହାଯାଇଛି। ଅଗଷ୍ଟ ତୁଳନାରେ ଆତ୍ମଘାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୨୫ ପ୍ରତିଶତ ବଢ଼ିଛି।

ବଲୁଚିସ୍ତାନରେ ସର୍ବାଧିକ ଆକ୍ରମଣ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶ ହିଂସାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ସେପ୍ଟେମ୍ବରରେ ଏଠାରେ ୧୩୧ଟି ଆକ୍ରମଣ ହୋଇଥିବା ବେଳେ ଅଗଷ୍ଟରେ ଏହି ସଂଖ୍ୟା ୮୯ ଥିଲା। ଅର୍ଥାତ୍ ଗୋଟିଏ ମାସରେ ଆକ୍ରମଣ ୪୭ ପ୍ରତିଶତ ବଢ଼ିଛି। ଏହି ପ୍ରଦେଶରେ ଆକ୍ରମଣ ଯୋଗୁଁ ମୃତ୍ୟୁ ସଂଖ୍ୟା ଅଗଷ୍ଟରେ ୭୬ ଥିବା ବେଳେ ସେପ୍ଟେମ୍ବରରେ ୧୩୫କୁ ବୃଦ୍ଧି ପାଇଛି।

ଅନ୍ୟପଟେ ଖାଇବର ପଖତୁନଖ୍ୱା (କେପି) ପ୍ରଦେଶ ମଧ୍ୟ ଚରମପନ୍ଥୀ ଆକ୍ରମଣର ଏକ ପ୍ରମୁଖ କେନ୍ଦ୍ର ହୋଇ ରହିଛି। ଏହି ପ୍ରଦେଶରେ ପୋଲିସ ଓ ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ଏକାଧିକ ଆକ୍ରମଣ ହୋଇଛି। ସେପ୍ଟେମ୍ବର ୨୬ ତାରିଖରେ ଡେରା ଇସମାଇଲ ଖାନ୍‌ର ଏକ ପୋଲିସ ଚେକ୍‌ପୋଷ୍ଟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ଅତି କମ୍‌ରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା।