fbpx

ମାଓଗଡ଼କୁ ଶକ୍ତ ଝଟକା, ବର୍ଷକରେ ୧୨୪ ମାଓବାଦୀଙ୍କ ଜୀବନ ଯାଉଥିବା ସଂଗଠନ ପକ୍ଷରୁ ସୂଚନା

ମାଲକାନଗିରି, (ଭାସ୍କର ନ୍ୟୁଜ୍‌): ମାଓଗଡ଼ ବୋଲାଉଥିବା ଅଞ୍ଚଳରେ କମୁଛି ମାଓ ଦବ୍‌ଦବା । ଅନେକ ଅଞ୍ଚଳ ବର୍ତ୍ତମାନ ମାଓ ମୁକ୍ତ ହେବା ସହ ବିକାଶ ଧାରାରେ ଯୋଡ଼ି ହେଉଥିବାବେଳେ ଧୀରେ ଧୀରେ ସାଧାରଣ ଜନତା ମଧ୍ୟ ମାଓ ସଂଗଠନଠାରୁ ମୁହଁ ଫେରାଇ ନେଉଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ମାଓ ସଂଗଠନ ନିଜର ସ୍ଥିତି ଜାହିର କରିବା ସହ ପୂର୍ବ ସ୍ଥିତିକୁ ଫେରିବା ପାଇଁ ପ୍ରାଣ ପଣେ ଚେଷ୍ଟା କରୁଥିଲେ ସୁଦ୍ଧା ଧୀରେ ଧୀରେ ଗଡ଼ ଭାଙ୍ଗିବା ସହ ସ୍ଥିତି ଦୁର୍ବଳ ହେଉଥିବା ପୁଲିସ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ କୁହାଯାଇଛି ।ତେବେ ବର୍ତ୍ତମାନ ମାଓବାଦୀଙ୍କ ସ୍ଥିତି ଏଭଳି ଶୋଚନୀୟ ହୋଇପଡିଛି ଯେ, ସେମାନେ ନିଜେ ସରକାର କହୁଥିବା ଏହି କଥାକୁ ସ୍ୱୀକାର ମଧ୍ୟ କରୁଥିବା ସହ ବିଗତ ଏକ ବର୍ଷରେ ମାଓଗଡ଼କୁ ଶକ୍ତ ଝଟକା ଲାଗିଥିବା ନେଇ ମାଓ ସଂଗଠନ ପ୍ରେସ୍‌ ବିବୃତ୍ତି ଜାରି କରିଛି ।

ମାଓବାଦୀଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ବିବୃତ୍ତି ଅନୁଯାୟୀ, ବିଗତ ଏକ ବର୍ଷରେ ମାଓବାଦୀଙ୍କ କେନ୍ଦ୍ରୀୟ କମିଟିର ଅନେକ ସଦସ୍ୟ ଓ ମାଓବାଦୀଙ୍କ ପିୁଲ ଲିବରେସନ୍‌ ସଦସ୍ୟଙ୍କ ସମେତ ମୋଟ ୧୨୪ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଅନେକ ମାଓବାଦୀ ସଂଗଠନ ଛାଡ଼ି ଆତ୍ମସମର୍ପଣ କରିଥିବା ବେଳେ ବିଗତ ଦିନରେ ମାଓ ସଂଗଠନର ଏଭଳି କ୍ଷତି ହୋଇ ନ ଥିବା ଉଲ୍ଲେଖ ରହିଛି । ଏକ ସପ୍ତାହ ପୂର୍ବେ ମାଓବାଦୀମାନେ ୫୦ତମ ଶହୀଦ ସପ୍ତାହ ପାଳନ କରୁଥିବା ବେଳେ ସେମାନଙ୍କ କେନ୍ଦ୍ରୀୟ କମିଟି ଏହି ସ୍ପଷ୍ଟିକରଣ ଦେବା ସହ ୨୦ ପୃଷ୍ଠା ସମ୍ବଳିତ ଏକ ପ୍ରେସ୍‌ ବିଜ୍ଞନ୍ତି ପ୍ରକାଶ କରିଛନ୍ତି । ଚଳିତ ବର୍ଷର ଏହି ସହିଦ ସପ୍ତାହ ପାଳନ ବେଳେ ମାଓବାଦୀମାନେ ଛତିଶଗଡ଼ର ସୁକୁମା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଶାଳ ଶୋଭାଯାତ୍ରା କରି ଏକ ବଡ଼ ଆକାରର ସହିଦ ସ୍ତମ୍ଭ ନିର୍ମାଣ କରିଥିବା ବେଳେ ଏହାପରେ ଏହି ପ୍ରେସ୍‌ ବିବୃତ୍ତି ଜାରି କରାଯାଇଛି

। ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ଏହି ବିବୃତିରେ ସ୍ୱୀକାର କରିଛି ଯେ, ଏହା ପୂର୍ବରୁ କେନ୍ଦ୍ରୀୟ କମିଟି ମାଓ ସଦସ୍ୟଙ୍କ ମୃତ୍ୟୁ ଏତେ ଅଧିକ ନଥିଲା । ଗୋଟିଏ ବର୍ଷ ମଧ୍ୟରେ ଏହା ବହୁ ବଡ଼ କ୍ଷତି ହୋଇଛି । ପୁଲିସ ଗୁଳିରେ ମୋଟ ୭୦ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୨୭ ଜଣ ମାଓବାଦୀଙ୍କ ରୋଗରେ ମୃତ୍ୟୁ ଘଟିଛି । ଏହାସହ ବିଭିନ୍ନ ଜେଲ୍‌ରେ ଥିବା ୩ ମାଓବାଦୀଙ୍କ ମୃତୁ ଘଟିଥିବା ବେଳେ ଦୁର୍ଘଟଣାରେ ୪ ଜଣ ଓ ୨୦ ଜଣ ମାଓବାଦୀଙ୍କ ନକଲି ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଥିବା ମାଓ ସଂଗଠନ ପକ୍ଷରୁ ଜାରି ହୋଇଥିବା ଏହି ବିବତ୍ତିରେ ଉଲ୍ଲେଖ ରହିଛି । ମୃତ ମାଓବାଦୀଙ୍କ ମଧ୍ୟରେ ପିୁଲ ଲିବରେସନ୍‌ ଗରିଲା ସେନାର ୨୧ ଜଣ କୁଖ୍ୟାତ ମାଓନେତା, ୯ ଜଣ ଡିଭିସି କମାଣ୍ଡର, କେନ୍ଦ୍ରୀୟ ଆଞ୍ଚଳିକ କମିଟିର ୪ ଜଣ ମାଓନେତା ଓ ୩୨ ଜଣ ଏରିଆ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଏହି ପ୍ରେସ୍‌ ବିବୃତ୍ତିରେ ଉଲ୍ଲେଖ ରହିଛି । ବିଶେଷ କରି ଓଡ଼ିଶା, ଆନ୍ଧ୍ର, ବିହାର, ଝାଡ଼ଖଣ୍ଡ ସୀମାରେ ବିଗତ ଏକବର୍ଷରେ ମାଓବାଦୀଙ୍କୁ ଶକ୍ତ ଝଟକା ଲାଗିଥିବା ସହ ଏହି ଅଞ୍ଚଳରେ ପୁଲିସ ସହ ଗୁଳି ବିନିମୟରେ ମୋଟ ୨୭ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ମାଓ ସଙ୍ଗଠନ ପ୍ରକାଶ କରିଛି । ତେବେ କେବଳ ଏତିକି ନୁହେଁ ମାଓ ସଂଗଠନରେ ପୁରୁଣା ନେତା ନ ଥିବାରୁ ସଙ୍ଗଠନ ଏକ ପ୍ରକାର ଦୁର୍ବଳ ହୋଇଥିବା ବେଳେ ନିଜକୁ ପୁଣି ପୂର୍ବସ୍ଥିତିକୁ ଫେରେଇ ନେବାକୁ ସଂଗଠନ ପକ୍ଷରୁ ପ୍ରୟାସ ଜାରିଥିବା ଦେଖିବାକୁ ମିଳିଛି ।

ମାଲକାନଗିରି ଭଳି ମାଓ ଉପଦ୍ରବ ଅଞ୍ଚଳରେ ଏହାର ପ୍ରଭାବ ବିଶେଷ ରୂପେ ପଡ଼ୁଥିବାରୁ ଜିଲ୍ଲାର ଅନେକ ଅଞ୍ଚଳ ମାଓ ମୁକ୍ତ ହେବା ସହ ମାଓ ଗଡ ପ୍ରାୟ ଧ୍ୱଂଶ ହୋଇଥିବା ବେଳେ ଚଳିତ ବର୍ଷ ମାଓ ସଂଗଠନ ପକ୍ଷରୁ ପାଳନ ହେଉଥିବା ଶହୀଦ ସପ୍ତାହରେ ମଧ୍ୟ ମାଓବାଦୀମାନେ ଜିଲ୍ଲାରେ କୌଣସି ବି ଅଘଟଣ ଘଟାଇ ପାରି ନ ଥିବା ବେଳେ କୌଣସି ସ୍ଥାନରେ ଗୋଟିଏ ବ୍ୟାନର କିମ୍ବା ପୋଷ୍ଟର ମଧ୍ୟ ଲଗାଇବାରେ ସମର୍ଥ ହୋଇ ନ ଥିବା ଘଟଣା ମାଓ ସଂଗଠନର ଦୁର୍ବଳ ହେଉଥିବାର ଲକ୍ଷଣ ବୋଲି କୁହାଯାଉଛି । ଓଡ଼ିଶା ପୁଲିସ ଓ ବିଏସ୍‌ଏଫ୍‌ ପକ୍ଷରୁ ଜିଲ୍ଲାରେ ମାଓ ସଂଗଠନକୁ ହଟାଇବା ପାଇଁ ନିଆଯାଉଥିବା ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା ବେଳେ ଖୁବଶୀଘ୍ର ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ମାଓ ମୁକ୍ତ ହେବ ବୋଲି ଆଶା କରାଯାଉଛି । ତେବେ ମାଓ ସଙ୍ଗଠନ ନିଜେ ନିଜର ଦୁର୍ବଳତାକୁ ସମସ୍ତଙ୍କ ସାମ୍ନାକୁ ଆଣିବା ପରେ ବର୍ତ୍ତମାନ ମାଓ ସଂଗଠନକୁ ସମୂଳେ ନି ।ତ କରିବା ପାଇଁ ସମସ୍ତ ଅଞ୍ଚଳରେ ବ୍ୟାପକ ପଦକ୍ଷେପ ନିଆଯାଉଥିବା ଦେଖୁବାକୁ ମିଳିଛି ।

Get real time updates directly on you device, subscribe now.