ଓମାନ ଉପକୂଳରେ ବୁଡ଼ିଗଲା ଜାହାଜ, ସେଥିରେ ଥିଲେ ୧୪ ଭାରତୀୟ

ସେହି ପାଖ ଦେଇ ଯାଉଥିବା ବାଣିଜ୍ୟିକ ଜାହାଜ ‘ଏମଭି ଜବଲ୍ ଅଲି ୯' ସାହାଯ୍ୟ କରିବା ପାଇଁ ଦ୍ରୁତ ଗତିରେ ଆଗକୁ ଆସିଥିଲା

ନୂଆଦିଲ୍ଲୀ: ଭାରତର ବେଳା ଭଲ ନାହିଁ। ପୁଣି ଥରେ ଭାରତ ପାଇଁ ଆସିଲା ଦୁଃଖଦ ଖବର। ଓମାନ ଉପକୂଳ ନିକଟ ସମୁଦ୍ରରେ ଏକ ଭାରତୀୟ ଜାହାଜ ବୁଡ଼ିଗଲା। ଯେଉଁଥିରେ ୧୪ ଭାରତୀୟ ଥିଲେ।

ଆମେରିକୀୟ ନୌସେନାଠାରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୬ ଜୁନ ୧୪ ତାରିଖରେ ରସ ଅଲ୍‌ହଦ୍ଦରୁ ପ୍ରାୟ ୮୦ ସମୁଦ୍ର ମାଇଲ୍ (ନାଉଟିକାଲ୍ ମାଇଲ୍) ଦୂରରେ ‘ଏମଏସଭି ବିରାଟ ୧’ ନାମକ ଏକ ମାଲବାହୀ ଜାହାଜ ବୁଡ଼ିବାକୁ ଲାଗିଲା। ଏଥିରେ ୧୪ ଜଣ ଭାରତୀୟ ନାଗରିକ ଥିଲେ। ଏ ସମ୍ପର୍କରେ ଖବର ପାଇ ଭାରତୀୟ ନୌସେନା ତୁରନ୍ତ ନିଜର ଯୁଦ୍ଧ ଜାହାଜ ଗୁଡ଼ିକୁ ସେହି ଦିଗକୁ ମୋଡ଼ିବା ପାଇଁ ପରାମର୍ଶ ଦେଇଥିଲା।

ସୂଚନା ପାଇବା ପରେ ସେହି ପାଖ ଦେଇ ଯାଉଥିବା ବାଣିଜ୍ୟିକ ଜାହାଜ ‘ଏମଭି ଜବଲ୍ ଅଲି ୯’ ସାହାଯ୍ୟ କରିବା ପାଇଁ ଦ୍ରୁତ ଗତିରେ ଆଗକୁ ଆସିଥିଲା। ସେତେବେଳକୁ ସେଠାରେ ପହଞ୍ଚି ଯାଇଥିଲା ଆମେରିକୀୟ ନୌସେନାର ପି-୮ ବିମାନ। ଆଉ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଲାଇଫ୍ ରାଫ୍ଟ (ଉଦ୍ଧାରକାରୀ ଡଙ୍ଗା) ପକାଇ ଦେଇଥିଲା। ଭାରତୀୟ ନାବିକମାନେ ସେଥିରେ ଚଢ଼ି ଉପରକୁୁ ଆସିଥିଲେ। ଆଶ୍ୱାସନାର ବିଷୟ ହେଉଛି ଜାହାଜରୁ ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ୧୪ ଜଣ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ଆମେରିକୀୟଙ୍କ ଆକ୍ରମଣରେ ୩ ଭାରତୀୟଙ୍କ ମୃତ୍ୟୁ

ଏହି ଆଶ୍ୱାସନା ମଧ୍ୟରେ ଓମାନ ଉପସାଗରରୁ ଆସିଥିବା ଅନ୍ୟ ଏକ ଖବର ଦେଶକୁ ସ୍ତବ୍ଧ କରିଦେଇଛି। ଆମେରିକା ସେନା ଇରାନୀ ବନ୍ଦର ଗୁଡ଼ିକର ଅବରୋଧ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଏକ ବାଣିଜ୍ୟିକ ଟ୍ୟାଙ୍କର ‘ଏମଟି ସେଟେବେଲୋ’ ଉପରେ ଆକ୍ରମଣ କରିଥିଲା। ଯେଉଁଥିରେ ୨୪ ଭାରତୀୟ ଥିଲେ। ଆକ୍ରମଣ ପରେ ୨୧ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ତିନି ଭାରତୀୟ ନାବିକଙ୍କର ଏହି ଆକ୍ରମଣରେ ମୃତ୍ୟୁ ହୋଇଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିଶ୍ଚିତ କରିଛି; ମୃତ୍ୟୁବରଣ କରିଥିବା ତିନି ଭାରତୀୟଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ପାର୍ଥିବ ଶରୀର ଶୀଘ୍ର ଭାରତ ଅଣାଯିବ। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶନିବାର ସନ୍ଧ୍ୟାରେ ନିଜର ଆମେରିକୀୟ ସମକକ୍ଷ ମାର୍କୋ ରୁବିଓଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସାମରିକ କାର‌୍ୟ୍ୟାନୁଷ୍ଠାନ ଉପରେ ଭାରତ ପକ୍ଷରୁ ଦୃଢ଼ ବିରୋଧ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି।