ପାର୍ବଣ ପୂର୍ବରୁ ଅଶାନ୍ତ ଭୁବନେଶ୍ୱର, ସୁରକ୍ଷାକର୍ମୀଙ୍କୁ ହତ୍ୟା ଉଦ୍ୟମ
ଭୁବନେଶ୍ୱର ସହର ଉପକଣ୍ଠ ଧଉଳି ଅଞ୍ଚଳରେ ଜଣେ ସୁରକ୍ଷାକର୍ମୀଙ୍କୁ ଅତି କମ୍ରେ ୧୫ ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି।
ଭୁବନେଶ୍ୱର: ଭୁବନେଶ୍ୱର ସହର ଉପକଣ୍ଠ ଧଉଳି ଅଞ୍ଚଳରେ ଜଣେ ସୁରକ୍ଷାକର୍ମୀଙ୍କୁ ପ୍ରାୟ ୧୫ ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆଗକୁ ପାର୍ବଣ ଥିବା ବେଳେ ଏଭଳି ଘଟଣା ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ାଇଛି। ଏହି ଘଟଣା କମିଶନରେଟ୍ ପୁଲିସ ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ସୂଚନା ଅନୁସାରେ, ନଖଉରା ଅଞ୍ଚଳର ରଜନୀକାନ୍ତ ନାୟକ ନାମକ ଜଣେ ସୁରକ୍ଷାକର୍ମୀଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ।
CCTV ଫୁଟେଜ୍ ଅନୁସାରେ, ଗତକାଲି ଅପରାହ୍ନ ୪ଟା ୪୮ ମିନିଟ୍ରେ ରଜନୀକାନ୍ତ ବାଇକ୍ରେ ଆସି ରାସ୍ତା କଡ଼ରେ ଗାଡ଼ି ରଖିଥିଲେ। କିଛି ସମୟ ପରେ ୫ଟି ଦୁଇଚକିଆ ଗାଡ଼ିରେ ପ୍ରାୟ ୧୫ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ।
CCTVରେ ଜଣେ ଦୁର୍ବୃତ୍ତ କାଚ ବୋତଲ ଧରି ରଜନୀକାନ୍ତଙ୍କ ଆଡ଼କୁ ଦୌଡ଼ି ଆସୁଥିବା ଦେଖାଯାଇଛି। ଆଉ ଜଣେ ଲୁହା ରଡ୍ରେ ତାଙ୍କୁ ମାଡ଼ ମାରୁଥିବା ଦେଖାଯାଇଛି। ଅନ୍ୟମାନେ ମଧ୍ୟ ତାଙ୍କୁ ମୁଥ, ଗୋଇଠା ମାରିବା ସହ ନିର୍ମମ ଭାବେ ପିଟିଥିଲେ। ପରେ ସମସ୍ତେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଆକ୍ରମଣ ପରେ ଜଣେ ବ୍ୟକ୍ତି ରଜନୀକାନ୍ତଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ବାଇକ୍ରେ ହସ୍ପିଟାଲ ନେଇ ଚିକିତ୍ସା କରାଯାଇଥିଲା। ଏନେଇ ରଜନୀକାନ୍ତ ଧଉଳି ଥାନାରେ ଅଭିଯୋଗ କରି ଆକ୍ରମଣକାରୀଙ୍କୁ ଗିରଫ ଦାବି କରିଛନ୍ତି।
ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୁଲିସ CCTV ଫୁଟେଜ୍ ଯାଞ୍ଚ କରୁଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

