ଚାକିରି ଦେବା ବାହାନାରେ ନାବାଳିକାଙ୍କୁ ନେଇଗଲେ, ୨୦ ହଜାର ଟଙ୍କାରେ ୪୫ ବର୍ଷୀୟ ବୁଢ଼ାକୁ ବିକିଦେଲେ

କାମ ଲୋଭରେ ଦିଲ୍ଲୀ ଓ ରାଜସ୍ଥାନରେ ବିକ୍ରି ହେଲା ୧୫ ବର୍ଷୀୟା ଆଦିବାସୀ ନାବାଳିକା

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରୁ ଏକ ଅତ୍ୟନ୍ତ ଲୋମହର୍ଷକ ଏବଂ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୫ ବର୍ଷୀୟା ଆଦିବାସୀ ନାବାଳିକାକୁ ଭଲ ଚାକିରି କରାଇବାର ପ୍ରଲୋଭନ ଦେଖାଇ ଅନ୍ୟ ରାଜ୍ୟକୁ ନେଇଯିବା ଏବଂ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ନିକଟରେ ୨୦ ହଜାର ଟଙ୍କାରେ ବିକ୍ରି କରି ଜବରଦସ୍ତି ବିବାହ କରାଇବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କ କବଳରୁ କୌଣସି ପ୍ରକାରେ ଜୀବନ ବିକଳରେ ଖସି ଆସି ନାବାଳିକାଜଣକ ନିଜଘରେ ପହଞ୍ଚି ପରିବାର ଲୋକଙ୍କୁ ସମସ୍ତ କଥା କହିଛନ୍ତି।

ପ୍ରଲୋଭନ ଏବଂ ଦିଲ୍ଲୀ ଚାଲାଣ: ପୀଡ଼ିତାଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ, ଗତ ଜୁଲାଇ ମାସରେ ଗୁମଲା ଜିଲ୍ଲାର ବିଶୁନପୁର ପ୍ରଖଣ୍ଡ ଅନ୍ତର୍ଗତ ବିରୀଟୋଲୀ ନିବାସୀ ଜତ୍ରୀ ଓରାଁଓ ଭଲ ଚାକିରି ଦେବା ନାଁରେ ତାଙ୍କ ନାବାଳିକା ଝିଅକୁ ଦିଲ୍ଲୀ ନେଇଯାଇଥିଲେ। ସେଠାରେ ତାଙ୍କୁ ସୁନୀତା ଲୋହରା ନାମକ ଜଣେ ମାନବ ଚାଲାଣକାରୀର ଘରେ ଛାଡ଼ି ଦିଆଯାଇଥିଲା ଏବଂ ପରେ ଏକ କାରଖାନାରେ କାମରେ ଲଗାଯାଇଥିଲା।

ରାଜସ୍ଥାନରେ ବିକ୍ରି ଏବଂ ଶାରୀରିକ ଶୋଷଣ: ଅଭିଯୋଗ ହୋଇଛି ଯେ ସେପ୍ଟେମ୍ବର ମାସରେ ସୁନୀତା ଲୋହରା ନାବାଳିକାକୁ ରାଜସ୍ଥାନ ନେଇଯାଇଥିଲା ଏବଂ ସେଠାରେ ୪୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ପାଖରେ ୨୦,୦୦୦ ଟଙ୍କାରେ ବିକ୍ରି କରିଦେଇଥିଲା। ସେହି ବ୍ୟକ୍ତିଜଣକ ଘରେ ହିଁ ନାବାଳିକା ସହିତ ଜବରଦସ୍ତି ବିବାହ କରିଥିଲେ ଏବଂ ବିରୋଧ କରିବାରୁ ତାଙ୍କୁ ମାଡ଼ପିଟ୍ କରିବା ସହିତ ନିରନ୍ତର ଯୌନ ଶୋଷଣ କରୁଥିଲେ।

କିପରି ଖସି ଆସିଲେ ପୀଡ଼ିତା: ଅତ୍ୟାଚରରୁ ଅତିଷ୍ଠ ହୋଇ ପ୍ରାୟ ଏକ ସପ୍ତାହ ପୂର୍ବରୁ ରାତିର ସୁଯୋଗ ନେଇ ନାବାଳିକାଜଣକ ଘରୁ ଦୁଇ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ସେଠାରୁ ବସ୍ ଯୋଗେ ଦିଲ୍ଲୀ ଏବଂ ପରେ ଟ୍ରେନ୍ ଜରିଆରେ ରାଞ୍ଚି ଓ ପରେ ଗୁମଲା ପହଞ୍ଚି ଶୁକ୍ରବାର ଦିନ ନିଜ ଗାଁରେ ପହଞ୍ଚିଥିଲେ। ଘରେ ପହଞ୍ଚି ସେ ପରିବାର ଲୋକଙ୍କୁ ସମସ୍ତେ କଥା ଜଣାଇବା ପରେ ପିତାଙ୍କ ସହିତ ଯାଇ ବିଶୁନପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।

ପୋଲିସର ପ୍ରତିକ୍ରିୟା: ଏହି ସମ୍ବନ୍ଧରେ ବିଶୁନପୁର ଥାନା ପ୍ରଭାରୀ ଅର୍ଜୁନ କୁମାର ଯାଦବ କହିଛନ୍ତି ଯେ, ଥାନାରେ ଏନେଇ ଆବେଦନ ପହଞ୍ଚିଛି। ଆବେଦନରେ କିଛି ତ୍ରୁଟି ଥିବାରୁ ପରିବାର ଲୋକଙ୍କୁ ଏହାକୁ ସୁଧାରିବାକୁ କୁହାଯାଇଛି। ତୁରନ୍ତ ମାମଲା ରୁଜୁ କରାଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।