PoK ରେ ପାକିସ୍ତାନୀ ସେନାର ବର୍ବରତା: ଶସ୍ତା ଖାଦ୍ୟ ଓ ବିଜୁଳି ମାଗିବାରୁ ନିରସ୍ତ୍ର ଜନତାଙ୍କୁ ଆଖିବୁଜା ଗୁଳିମାଡ଼, ୧୬ ମୃତ
ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ଶସ୍ତା ଖାଦ୍ୟ, ବିଜୁଳି ଏବଂ ମୌଳିକ ଅଧିକାର ଦାବି କରି ଆନ୍ଦୋଳନ କରୁଥିବା ପ୍ରଦର୍ଶନକାରୀଙ୍କ ଉପରକୁ ସେନା ଗୁଳି ଚଳାଇବା ପରେ ଅତିକମରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି।
ଇସଲାମାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ର ରାୱାଲାକୋଟ୍ ସ୍ଥିତ ଇଦ୍ଗା ମୈଦାନରେ ଗୁରୁବାର ଏକ ଅତି ଅମାନୁଷିକ ଘଟଣା ଘଟିଛି। ସେଠାରେ ରୁଣ୍ଡ ହୋଇଥିବା ହଜାର ହଜାର ନିରୀହ ପ୍ରଦର୍ଶନକାରୀଙ୍କ ଉପରକୁ ପାକିସ୍ତାନୀ ସେନା ଅତର୍କିତ ଗୁଳିଚାଳନା କରିଛି, ଯେଉଁଥିରେ ଅତିକମରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୭ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଶସ୍ତା ମାସିକିଆ ରାସନ (ଯେପରିକି ଅଟା, ଚାଉଳ), ଶସ୍ତା ବିଜୁଳି ଏବଂ ନିଜର ମୌଳିକ ଅଧିକାର ଦାବି କରି ସାଧାରଣ ନାଗରିକମାନେ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲେ। କିନ୍ତୁ ପାକିସ୍ତାନୀ ସେନା ସେହି ଶାନ୍ତିପୂର୍ଣ୍ଣ ଭିଡ଼ ଉପରକୁ ଆଖିବୁଜା ଗୁଳି ବର୍ଷା କରିବା ପରେ ସେଠାରେ ଏକ ଭୟାନକ ଓ ରକ୍ତାକ୍ତ ପରିସ୍ଥିତି ସୃଷ୍ଟି ହୋଇଛି।
ପାକିସ୍ତାନୀ ସେନା ଯେତେବେଳେ କୌଣସି ଚେତାବନୀ ନଦେଇ ହଠାତ୍ ଭିଡ଼ ଉପରକୁ ଗୁଳି ଚଳାଇଲା, ସେତେବେଳେ ରାୱାଲାକୋଟ୍ରେ ପ୍ରାୟ ୬୦,୦୦୦ ରୁ ୭୦,୦୦୦ ଲୋକ ଏକାଠି ହୋଇଥିଲେ। ଆର୍ଥିକ ସଙ୍କଟ ଓ ଦୁର୍ଦ୍ଦଶା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆସିଥିବା ପୁରୁଷ, ମହିଳା ଏବଂ ଯୁବକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଏପଟସେପଟ ଦୌଡ଼ିବାକୁ ଲାଗିଲେ। ଏହି ଆକ୍ରମଣ ପରେ ସମ୍ପୂର୍ଣ୍ଣ ରାୱାଲାକୋଟ୍ରେ ଏକ ବିଭତ୍ସ ଓ ହୃଦୟବିଦାରକ ଚିତ୍ର ଦେଖିବାକୁ ମିଳିଛି। ରକ୍ତଭିଜା ରାସ୍ତାଘାଟ, ରକ୍ତରେ ଜୁଡୁବୁଡୁ ପଡ଼ିଆ ଏବଂ ନିଜ ପ୍ରିୟଜନଙ୍କୁ ଖୋଜୁଥିବା କାନ୍ଦବୋବାଲି କରୁଥିବା ପରିବାର ଲୋକେ ଏହି ଦମନଲୀଳାର ଭୟଙ୍କର ରୂପକୁ ଦର୍ଶାଉଛନ୍ତି।
ଅନେକ ବାସିନ୍ଦାଙ୍କ ପାଇଁ ଏହି ଦୁଃଖଦ ଘଟଣା କେବଳ ଆଜି ଆରମ୍ଭ ହୋଇନାହିଁ। ଗତ ଶୁକ୍ରବାର ଠାରୁ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ଚାଲିଥିବା ଏହି ଆନ୍ଦୋଳନ ଏବଂ ସେନାର ଦମନଲୀଳା ଯୋଗୁଁ ଏପର୍ଯ୍ୟନ୍ତ ୫୩ ଜଣ ସାଧାରଣ ନାଗରିକ ନିଜର ପ୍ରାଣ ହରାଇଛନ୍ତି। ପ୍ରତ୍ୟେକ ମୃତ୍ୟୁ ସଂଖ୍ୟା ପଛରେ ଏମିତି ଏକ ପରିବାର ରହିଛି, ଯିଏ ନିଜର ବାପା, ପୁଅ, ଭାଇ, ଝିଅ କିମ୍ବା ବନ୍ଧୁଙ୍କୁ ସଦାଦିନ ପାଇଁ ହରାଇଛି।
ଏହି ନୃଶଂସ ହତ୍ୟାକାଣ୍ଡ ପୂରା ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଆକ୍ରୋଶ ସୃଷ୍ଟି କରିଛି। ‘ଖାଇ ଗାଲା’ ଗାଁର ବାସିନ୍ଦାମାନେ ସମ୍ପୂର୍ଣ୍ଣ ବଜାର ବନ୍ଦ କରିବା ସହ ଏହି ହିଂସା ବିରୋଧରେ ବିଶାଳ ଶୋଭାଯାତ୍ରା କରିଛନ୍ତି। ମୃତକମାନଙ୍କ ପାଇଁ ନ୍ୟାୟ ଦାବି କରି ମହିଳା, ଶିଶୁ ଏବଂ ବୃଦ୍ଧମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆନ୍ଦୋଳନକାରୀମାନେ ପାକିସ୍ତାନ ଅଧିକୃତ କାଶ୍ମୀର (PoJK) ରେ ଏକ ବଡ଼ ନାରାବାଜି କରିଛନ୍ତି, ଯାହା ଏବେ ସବୁଠି ଶୁଣିବାକୁ ମିଳୁଛି: “ୟେ ଜୋ ଦେହସତଗର୍ଦ୍ଦି ହୈ, ଇସକେ ପିଛେ ୱାର୍ଦ୍ଦି ହୈ” (ଅର୍ଥାତ୍ ଏହି ଆତଙ୍କବାଦ ପଛରେ ସେନା ପୋଷାକ ପିନ୍ଧିଥିବା ଲୋକଙ୍କ ହାତ ରହିଛି)।
ଏତେ ବଡ଼ ରକ୍ତାକ୍ତ କାଣ୍ଡ ପରେ ମଧ୍ୟ ପ୍ରଦର୍ଶନକାରୀମାନେ ନିଜ ଜେଦ୍ରୁ ହଟିବାକୁ ମନା କରିଦେଇଛନ୍ତି। ଆର୍ଥିକ ସାହାଯ୍ୟ ଏବଂ ନିଜର ରାଜନୈତିକ ଅଧିକାର ପାଇଁ ହଜାର ହଜାର ଲୋକ ଏବେ ମଧ୍ୟ ରାୱାଲାକୋଟ୍ରେ ଲଢ଼େଇ ଜାରି ରଖିବାକୁ ଏକାଠି ହୋଇ ରହିଛନ୍ତି। ସେଠାକାର ପରିବେଶ ଏବେ ଦୁଃଖ, କ୍ରୋଧ ଏବଂ ପ୍ରତିବାଦରେ ସରଗରମ ଅଛି। ଏହି ଗୁଳିକାଣ୍ଡ ପରେ ସେଠାରେ ଭିଡ଼କୁ ସମ୍ବୋଧିତ କରି ଆନ୍ଦୋଳନର ନେତା ସରଦାର ଅମାନ ଖାନ କହିଛନ୍ତି ଯେ, ଏହି ଲଢ଼େଇ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି ଏବଂ ଜୀବନ ଗଲେ ମଧ୍ୟ ଏହି ଆନ୍ଦୋଳନ ବନ୍ଦ ହେବନାହିଁ।
ପାକିସ୍ତାନ ଅଧିକୃତ କାଶ୍ମୀର (PoK) ର ରାସ୍ତାରେ ଓହ୍ଲାଇଥିବା ଲୋକଙ୍କ ହାତରେ କୌଣସି ଅସ୍ତ୍ରଶସ୍ତ୍ର ନାହିଁ; ସେମାନେ କେବଳ ଶସ୍ତା ଖାଦ୍ୟ, ଶସ୍ତା ବିଜୁଳି ଏବଂ ଏକ ସମ୍ମାନଜନକ ଜୀବନ ବଞ୍ଚିବାର ଦାବି କରୁଛନ୍ତି। କିନ୍ତୁ ଏହାର ବଦଳରେ ସେମାନଙ୍କୁ ପାକିସ୍ତାନୀ ସେନା ପକ୍ଷରୁ କେବଳ ଗୁଳି ମିଳିଛି। ଯେଉଁ ସମୟରେ ମୃତକଙ୍କ ଶବସତ୍କାର ଚାଲିଛି ଏବଂ ମେଡିକାଲଗୁଡ଼ିକ ଆହତମାନଙ୍କ ଦ୍ୱାରା ଭର୍ତ୍ତି ହୋଇଛି, ସେତେବେଳେ ରାୱାଲାକୋଟ୍ର ଏହି ଚିତ୍ର ଦର୍ଶାଉଛି ଯେ ନିଜର ହକ୍ ପାଇଁ ସ୍ୱର ଉତ୍ତୋଳନ କରୁଥିବା ନିରସ୍ତ୍ର ନାଗରିକଙ୍କ ଉପରେ ବଳପ୍ରୟୋଗ କଲେ କେତେ ଭୟଙ୍କର ସ୍ଥିତି ସୃଷ୍ଟି ହୁଏ।

