fbpx

ଭାରତରେ ୧୭ ଲକ୍ଷରୁ ଅଧିକ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି? ଓଡ଼ିଶା ସରକାରଙ୍କ ମୃତ୍ୟୁ ରିପୋର୍ଟ କ’ଣ ଭୁଲ୍? ଏହା ଗଣନାଜନିତ ତ୍ରୁଟି ନା ଷଡ଼ଯନ୍ତ୍ର? ଆସନ୍ତୁ ଜାଣିବା ଏ ବିଷୟରେ…

ନୂଆଦିଲ୍ଲୀ: ସମଗ୍ର ଭାରତ ବର୍ଷରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ କୋଭିଡ୍ କଟକଣା ଜାରି ରହିଛି । ରିପୋର୍ଟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୬୦ ହଜାରରୁ ଅଧିକ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି । ତେବେ ଭାରତରେ କରୋନାର ମୃତ୍ୟୁସଂଖ୍ୟାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି । ତାହା ହେଉଛି, ସମଗ୍ର ଭାରତବର୍ଷରେ ୧୭ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ହୋଇଥିବା ଏହି ରିପୋର୍ଟ ଯଦି ସତ ହୁଏ, ତେବେ ସରକାର ନିଶ୍ଚିତ ଭାବେ କରୋନା ମୃତ୍ୟୁକୁ ନେଇ ପ୍ରକୃତ ତଥ୍ୟ ଦେଉନାହାନ୍ତି ।

ଏହି ରିପୋର୍ଟରେ ଦର୍ଶାଯାଇଥିବା ମୃତ୍ୟୁ ସଂଖ୍ୟା ଭାରତର ମୋଟ ମୃତ୍ୟୁସଂଖ୍ୟାର ୫ ଗୁଣରୁ ଅଧିକ । ତେବେ ଏହାକୁ ନେଇ ପ୍ରଶ୍ନ ଉଠୁଛି, ଏହା ସତ ନା ମିଛ । ଯଦି ଏହି ରିପୋର୍ଟ ସତ ହୁଏ, ତେବେ ୬ ଲକ୍ଷରୁ ଅଧିକ ମୃତ୍ୟୁ ସହ ଶୀର୍ଷରେ ଥିବା ଆମେରିକାକୁ ଟପି ଭାରତ ସର୍ବାଧିକ କୋଭିଡ୍ ମୃତ୍ୟୁର ଦେଶ ପାଲଟିଯିବ । କେବଳ ଏତିକି ନୁହେଁ, ଯଦି ପରିସ୍ଥିତି ନ ସୁଧୁରେ, ତେବେ ଭାରତରେ ମୃତ୍ୟୁ ସଂଖ୍ୟା ୪୦ ଲକ୍ଷ ଟପିପାରେ ବୋଲି ମଧ୍ୟ ଉକ୍ତ ରିପୋର୍ଟରେ ଦର୍ଶାଯାଇଛି । ଯେଉଁ ରିପୋର୍ଟ ସରକାରୀ ଭାବେ ମିଳିପାରୁନାହିଁ, ତାହା ବିଭିନ୍ନ ଅଧ୍ୟୟନ, ବିଶ୍ଲେଷଣ ମାଧ୍ୟମରେ ପଦାକୁ ଆସୁଛି । ବର୍ତ୍ତମାନ ବିହାରର ମୃତ୍ୟୁସଂଖ୍ୟା ହଠାତ୍ ବଢ଼ିବା ଘଟଣା ଏହି ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି । ବିହାରରେ କୋଭିଡ୍ ମୃତ୍ୟୁ ସନ୍ଦେହଘେରକୁ ଆସିବା ପରେ ମାମଲା ହାଇକୋର୍ଟକୁ ଯାଇଥିଲା । ଏହି ମୃତ୍ୟୁ ସଂଖ୍ୟା ଅଡିଟ୍ କରାଯିବାକୁ କୋର୍ଟ ଅର୍ଡର ଦେଇଥିଲେ । କୋର୍ଟଙ୍କ ଅର୍ଡର ପରେ ଗୋଟିଏ ଦିନରେ ବିହାରରେ ୩୯୫୧ଟି ମୃତ୍ୟୁ ହୋଇଛି ବୋଲି ସରକାରୀ ରିପୋର୍ଟରେ ଦର୍ଶାଗଲା, ଯାହାକି ପୂର୍ବରୁ ଚାପି ଦିଆଯାଇଥିଲା । ଏହାଫଳରେ ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୬ ହଜାରକୁ ଟପିଯାଇଥିଲା । ଏବେ ପ୍ରଶ୍ନ ଉଠୁଛି, ଏହା ଗଣନାରେ ତ୍ରୁଟି ନା ସରକାରଙ୍କ ଭାବମୂର୍ତ୍ତିକୁ ବଞ୍ଚାଇବାକୁ ଯାଇ ଏହି ଷଡ଼ଯନ୍ତ୍ର ରଚାଯାଇଥିଲା । ଅନୁରୂପ ଭାବେ ଓଡ଼ିଶାରେ ଏକ ଘଟଣା ଘଟିଛି । ନୟାଗଡ଼ ସିଡିଏମଓଙ୍କ ରିପୋର୍ଟ ଅନୁସାରେ ଦ୍ୱିତୀୟ ଲହରରେ ନୟାଗଡ଼ରେ ୯୬ ଜଣଙ୍କ ମୃତ୍ୟୁ ଘଟିଛି । ମାତ୍ର ରାଜ୍ୟ ସରକାରଙ୍କ ରିପୋର୍ଟରେ ମାତ୍ର ୯ ଜଣ ଦ୍ୱିତୀୟ ଲହରରେ ପ୍ରାଣ ହରାଇଛନ୍ତି ବୋଲି କୁହାଯାଇଛି । ମୃତ୍ୟୁ ତଥ୍ୟ ସଠିକ୍ ନ ଥିବାରୁ ଅନାଥ ପିଲା, ବିଧବା ମହିଳା ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସହାୟତା ପାଇବାରୁ ବଞ୍ଚିତ ହେଉଥିବା ଦେଖାଯାଉଛି ।

Get real time updates directly on you device, subscribe now.