ବିଷାକ୍ତ ମଦ ପିଇ ୪୮ ଘଣ୍ଟାରେ ୧୮ ମୃତ

ପୁଣେ ଏବଂ ପିମ୍ପରି-ଚିଞ୍ଚୱାଡରେ ବିଷାକ୍ତ ମଦ ପିଇବା କାରଣରୁ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆଉ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁଯାୟୀ, ଏହି ବିଷାକ୍ତ ମଦ ଯୋଗେଶ ୱାନଖେଡେ ନାମକ ଜଣେ ବ୍ୟକ୍ତି ପ୍ରସ୍ତୁତ କରିଥିଲା। ଯାହାକୁ ପୁଣେ ଏବଂ ପିମ୍ପରି-ଚିଞ୍ଚୱାଡର ବିଭିନ୍ନ ଅଞ୍ଚଳରେ ବିକ୍ରି କରାଯାଇଥିଲା।

ମହାରାଷ୍ଟ୍ର : ପୁଣେ ଓ ଏହାର ଆଖପାଖ ଅଞ୍ଚଳରେ ୨୪ ଘଣ୍ଟା ଭିତରେ ୧୮ ଜଣଙ୍କ ମୃତ୍ୟୁ ପରେ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମୃତ୍ୟୁଗୁଡ଼ିକ ମିଥାନଲ ମିଶ୍ରିତ ବିଷାକ୍ତ ମଦ ପିଇବା ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଛି। ଶୁକ୍ରବାର ଦିନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଗୁରୁବାର ଦିନ ପିମ୍ପରି-ଚିଞ୍ଚୱାଡର ଫୁଗେୱାଡି ଏବଂ ପୁଣେର ହଡପସର ଅଞ୍ଚଳରୁ ଏହି ମୃତ୍ୟୁ ଖବର ମିଳିଥିଲା। ଅବକାରୀ ବିଭାଗ ଅନୁଯାୟୀ, ଏହି ଅଞ୍ଚଳଗୁଡ଼ିକରେ କଥିତ ଭାବେ ଦେଶୀ ମଦ ଯୋଗାଉଥିବା ଜଣେ ବ୍ୟକ୍ତିକୁ ଅଟକ ରଖାଯାଇଛି ଏବଂ ତା’ ବିରୋଧରେ ଦାପୋଡି ଥାନାରେ ମାମଲା ରୁଜୁ ହୋଇଛି।

ପିମ୍ପରି-ଚିଞ୍ଚୱାଡ ପୋଲିସ ଜଣାଇଛି ଯେ, ଗୁରୁବାର ଦିନ ଫୁଗେୱାଡି ଅଞ୍ଚଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରଥମେ ପୋଲିସ କହିଥିଲା ଯେ ଏଥିରୁ ଚାରିଟି ମୃତ୍ୟୁ ମଦ ସହ ଜଡିତ ନୁହେଁ, କିନ୍ତୁ ବର୍ତ୍ତମାନ ସମସ୍ତ ମୃତ୍ୟୁର ତଦନ୍ତ କରାଯାଉଛି। ହଡପସର ଥାନାର ଜଣେ ଅଧିକାରୀ କହିଛନ୍ତି ଯେ ସେମାନଙ୍କ ଅଞ୍ଚଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ମଧ୍ୟ ମୃତ୍ୟୁର ଖବର ଆସିଛି, ଯାହାଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି। ମୃତକମାନେ ପେଟ ଯନ୍ତ୍ରଣା ହେଉଥିବା ନେଇ ଅଭିଯୋଗ କରିଥିଲେ। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ବିଷାକ୍ତ ମଦ ଦିଗରୁ ତଦନ୍ତ ଚାଲିଛି।

ରାଜ୍ୟ ଅବକାରୀ କମିଶନର ଅତୁଲ କାନ୍ଡେ କହିଛନ୍ତି ଯେ ଫୁଗେୱାଡିରେ ହୋଇଥିବା ମୃତ୍ୟୁ ପରେ ବିଭାଗ ତଦନ୍ତ ଆରମ୍ଭ କରିଛି। ସେ କହିଛନ୍ତି, “ଆମେ ଯୋଗେଶ ୱାନଖେଡେକୁ ଅଟକ ରଖିଛୁ, ଯିଏ କି ଫୁଗେୱାଡି ଏବଂ ହଡପସର ଉଭୟ ସ୍ଥାନରେ ମଦ ଯୋଗାଉଥିଲା। ତାକୁ ପିମ୍ପରି ଚିଞ୍ଚୱାଡ ପୋଲିସକୁ ହସ୍ତାନ୍ତର କରାଯାଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।”