fbpx

ଓଡ଼ିଶାର ୧୮ଟି ଜିଲ୍ଲା ଶିକ୍ଷା କ୍ଷେତ୍ରରେ ପଛୁଆ: ବ୍ୟବସ୍ଥା ଭୁଶୁଡ଼ି ଯାଇଥିବା ସୂଚନା ଦେଲେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଂପ୍ରତି ରାଜ୍ୟର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ସମଗ୍ର ଭାରତବର୍ଷରେ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା ମୋଟ ୩୭୪ଟି ଜିଲ୍ଲା ମଧ୍ୟରୁ ଓଡ଼ିଶାରେ ୧୮ଟି ଜିଲ୍ଲା ସାମିଲ୍ ଅଛି । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକସଭାରେ ଏମପି ରମା ଦେବୀ ଓ ହରିଶ ଦ୍ୱିବେଦୀଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପ୍ରଧାନ ଏହି ବିବୃତ୍ତି ରଖିଥିବା ଜଣାପଡ଼ିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ପଛୁଆ ଜିଲ୍ଲାଗୁଡ଼ିକୁ ଚିହ୍ନଟ କରିବା ପାଇଁ ୟୁଜିସି ଦ୍ୱାରା ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା । ସେଥିପାଇଁ ମୋଟ କଲେଜ ସଂଖ୍ୟା, ନାମଲେଖା ସଂଖ୍ୟା, ଛାତ୍ରଛାତ୍ରୀଙ୍କ ନାମଲେଖା ହାର ଆଦିକୁ ବିଚାରକୁ ନିଆଯାଇଥିଲା । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଦେଓଗଡ଼଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେଉଁଝର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସୋନପୁର ରହିଛି । ପଡ଼ୋଶୀ ରାଜ୍ୟ ତୁଳନାରେ ଓଡ଼ିଶାର ଅଧିକ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଅନଗ୍ରସର ସ୍ତରରେ ରହିଛନ୍ତି । ଆନ୍ଧ୍ରପ୍ରଦେଶରେ ୧୧ଟି, ଛତିଶଗଡ଼ରେ ୧୫ଟି, ଝାଡ଼ଖଣ୍ଡରେ ୧୨ଟି, ପଶ୍ଚିମବଙ୍ଗରେ ୧୭ଟି ଜିଲ୍ଲା ଶିକ୍ଷା କ୍ଷେତ୍ରରେ ପଛୁଆ ରହିଥିବା ବେଳେ ଓଡ଼ିଶାରେ ୧୮ଟି ରହିଥିବା ୟୁଜିସି ପକ୍ଷରୁ କୁହାଯାଇଛି ।

ଏହି ଜିଲ୍ଲାଗୁଡ଼ିକରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ସକାଶେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସମଗ୍ର ଶିକ୍ଷା ବ୍ୟବସ୍ଥାରେ ସ୍କୁଲମାନଙ୍କରେ ଉନ୍ନତ ପରିବେଶରେ ଉତ୍ତମ ଶିକ୍ଷା ପ୍ରଦାନ କରାଯାଉଛି । ଏହି ଯୋଜନାରେ ୧୧.୬ ଲକ୍ଷ ସ୍କୁଲ, ୧୫.୬ କୋଟି ଛାତ୍ରଛାତ୍ରୀ ଓ ୫୭ ଲକ୍ଷ ଶିକ୍ଷକ କାର୍ଯ୍ୟ କରୁଥିବା ଶ୍ରୀ ପ୍ରଧାନ କହିଥିଲେ ।

Get real time updates directly on you device, subscribe now.